Unknown

 

 

 

 

 

 

 

 

 

 

 

ରଘୁବଂଶ

ଲୋକନାଥ ମିଶ୍ର

 

ଭୂମିକା

 

ମହାକବି କାଳିଦାସଙ୍କର ମହାକବ୍ୟ ରଘୁବଂଶ ସଂସ୍କୃତ ଭାଷାରେ ରଚିତ । ଏଥିରେ ଇକ୍ଷ୍ୱାକୁ ବଂଶୀୟ ନରପତିମାନଙ୍କର ଯଶଗୌରବ ବର୍ଣ୍ଣନା କରାଯାଇଅଛି । ବିଷ୍ଣୁରୂପୀ ରାମଙ୍କ ବିଷୟ ଅତି ସଂକ୍ଷିପ୍ତ ଭାବରେ ବର୍ଣ୍ଣିତ ହୋଇଥିଲେ ହେଁ ସଂସ୍କୃତ ସାହିତ୍ୟର ଏହା ଗୋଟିଏ ଅମୂଲ୍ୟ ଗ୍ରନ୍ଥ । ଏଣୁ ଓଡ଼ିଆ ଭାଷାରେ ଏହାର ବିଷୟବସ୍ତୁ ନେଇ ବୋଧଗମ୍ୟ ହେଲାଭଳି ଶ୍ରୁତିପ୍ରୀତିକର ବଙ୍ଗଳା ଶ୍ରୀ ରାଗରେ ଏହି ବଂଶାବଳୀ ରଚନା କରି ସାହିତ୍ୟ ରକସିକମାନଙ୍କ ଆଗରେ ଉପସ୍ଥାପନ କଲି । ପୂର୍ବରୁ ଭାବନା, ଗୁଣ୍ଡିଚା ଭାବନା, ତ୍ୟାଗବୀର, ଆନ୍ଦୋଳନ, ସୀତା ଉଦ୍ଧାର, କୁରୁକ୍ଷେତ୍ର, ଚେତନା ପ୍ରଭୃତି ପଦ୍ୟାବଳୀ ରଚନା କରି ପ୍ରକାଶ କରିଅଛି । ତ୍ୟାଗବୀର ଓ ସୀତା ଉଦ୍ଧାରରେ ରାମାୟଣର ବିଷୟବସ୍ତୁ ରଚନା କରିଥିବାରୁ ରାମାୟଣର ବିଷୟ ରଘୁବଂଶରେ ଅତି ସଂକ୍ଷେପରେ ବର୍ଣ୍ଣନା କରାଯାଇଅଛି ।

 

ଏହି ପୁସ୍ତକଟି ଆଦୃତ ହେଲେ ଶ୍ରମ ସାର୍ଥକ ହେବ ।

 

ଆସିକା

ଲୋକନାଥ ମିଶ୍ର

ତା ୭-୪-୧୯୭୩

 

★★★

 

ଅଭିମତ

 

‘‘କୀର୍ତ୍ତିରକ୍ଷର ସମ୍ବଦ୍ଧା ସ୍ଥିରାଭବତି ଭୂତଳେ’’

 

ମହାକବି କାଳିଦାସଙ୍କ ପ୍ରଣୀତ ‘‘ରଘୁବଂଶ ମହାକାବ୍ୟ’’ର ଉତ୍କଳଭାଷାନୁବାଦ ପ୍ରମଦପୂର୍ଣ୍ଣ ଦେଖି ଆସିକା ଗ୍ରାମବାସୀ, ଡାକ୍ତର ଶ୍ରୀ ଲୋକନାଥ ମିଶ୍ର ସ୍ୱୀୟ ନୈସର୍ଗିକ କବିତ୍ୱାବଲମ୍ବନରେ ଆମୂଳଚୂଳ ଭାଷାଲଳିତ, ସୁପାଠ୍ୟ, ସର୍ବଜନସୁବୋଧ୍ୟ, ଉତ୍କଳ ଭାଷାନୁବାଦିତ, ଉନବିଂଶସର୍ଗାତ୍ମକ, ‘‘ରଘୁବଂଶକାବ୍ୟ’’ ରଚନା କରି ଓଡ଼ିଆ ଭାଷାର ସମୃଦ୍ଧି ସମ୍ପାଦନ କରିପାରିଛନ୍ତି ।

 

କାବ୍ୟଟି ବଙ୍ଗଳାଶ୍ରୀ ବୃତ୍ତରେ ରଚିତ । ଏହାର ପ୍ରଥମସର୍ଗରେ ବଶିଷ୍ଠାଶ୍ରମ ବର୍ଣ୍ଣନା ଓ ରାଜା ଦିଲୀପଙ୍କ ଅନପତ୍ୟତା ବିଷାଦ, ଦ୍ୱିତୀୟ ସର୍ଗରେ ଗୋ ସେବା, ତୃତୀୟ ସର୍ଗରେ ରଘୁଜନ୍ମ ଓ ରାଜା ରାଣୀଙ୍କର ସନ୍ତାନବାତ୍ସଲ୍ୟ, ଚତୁର୍ଥ ସର୍ଗରେ ରଘୁଙ୍କ ଦିଗ୍‌ବିଜୟ, ପଞ୍ଚମ ସର୍ଗରେ କୌତ୍ସ ମୁନିଙ୍କ ଅଭିଳାଷ ସିଦ୍ଧି, ଷଷ୍ଠ ସର୍ଗରେ ଇନ୍ଦୁମତୀଙ୍କ ସ୍ୱୟମ୍ବର, ସପ୍ତମ ସର୍ଗରେ ଅଜବିବାହ, ଅଷ୍ଟମ ସର୍ଗରେ ପୁଷ୍ପମାଳା ପତନହେତୁ ଇନ୍ଦୁମତୀଙ୍କ ମୃତ୍ୟୁରେ ଅଜ ବିଳାପ, ନବମ ସର୍ଗରେ ଦଶରଥଙ୍କ ମୃଗୟା, ଏହିପରି ଉନବିଂଶ ସର୍ଗାନ୍ତ ଉତ୍ତଦ୍‍ ବିଷୟ ବର୍ଣ୍ଣନାରେ କବିଙ୍କ ମୌଳିକତା ସହୃଦୟ ହୃଦୟୋପଭୋଗ୍ୟ ହୋଇଅଛି । କବି କାବ୍ୟର ସ୍ଥାନେ ସ୍ଥାନେ ଶଦ୍ଦାର୍ଥାଳଂକାର ନିବେଶ କରିଥିବାରୁ ତାହା ଅତି ରମଣୀୟ ହୋଇଅଛି । ଏଥିରେ କବିକଳ୍ପନା, ସରଳତା ଓ ସରସତା କିପରି ବିକଶିତ ତାହା ପାଠକମାତ୍ରେ ଉପଲବ୍‌ଧି କରି ପାରିବେ ।

 

ପରିଶେଷରେ ଡାକ୍ତର ମିଶ୍ର ମହାଶୟ ନିଜର ବୈଦୁଷ୍ୟ-ପ୍ରଯୁକ୍ତ ଅଧ୍ୟବସାୟ ପୂର୍ବକ ଏହିପରି ଗୋଟିଏ ସତ୍‌କାବ୍ୟ ଲେଖି ଅଭିନନ୍ଦନୀୟ ହୋଇଛନ୍ତି । ଏତଦ୍ଦ୍ୱାରା ଜନସାଧାରଣ ଉପକୃତ ହେବେ ବୋଲି ମୋର ଆଶା ।

 

ଶ୍ରୀ ବାସୁଦେବ କର ଶର୍ମ୍ମା

ପ୍ରଧାନାଧ୍ୟାପକ

ମେକ୍‌ମାଇକେଲ ସଂସ୍କୃତ ଟୋଲ

ଆସିକା (ଗଞ୍ଜାମ)

ତା ୭-୪-୭୩

★★★

 

ପ୍ରଥମ ସର୍ଗ

 

ଦିଲୀପ ନାମରେ ପୁର୍ବେ ରଘୁବଂଶ

ମହାଯଶା ନରମଣି,

ନୀତି ପରାୟଣ ହୋଇ ଶାସ୍ତ୍ରମତେ

ଶାସୁଥିଲେ ଏ ଧରଣୀ ।

ଆଗଚକ ଗାରେ ପଛ ଚକ ଯଥା

ଘୂରେ ସଦା ଅନୁସରି,

ମନୁ କୃତାଚାର ପଦ୍ଧତି ପାଳନ୍ତି

ଲଙ୍ଘନ ତଥା ନ କରି ।

ନେଇ ଚିରନ୍ତର ପରଜାଙ୍କ ଠାରୁ

ବିଧିମତେ ରାଜକର,

କରିଥିଲେ ଦାନ ସେମାନଙ୍କ ହିତେ

ଶୂନ୍ୟ କରି ଗନ୍ତାଘର ।

ସାଧୁ ଉପାୟରେ ସମ୍ପଦନିକର

କବି ସଦା ଉପାର୍ଜନ,

ଆସକ୍ତି ରହିତ ହୋଇ ସାଧୁଥିଲେ

ଧର୍ମ କର୍ମ ସେ ରାଜନ ।

ଦେଖାଉ ନଥିଲେ ନିଜର ବଡ଼ାଇ

କ୍ଷମାଗୁଣେ ଥିଲେ ବଳୀ,

ଧରାଧାମେ ତାଙ୍କ ସର୍ବ ବିଦ୍ୟା ଜ୍ଞାନ

ପାରୁ କେ ନଥିଲେ କଳି ।

ଥିଲେହେଁ ନବରେ ବହୁ ରାଣୀ ଏଣେ

ରାଜଜେମା ମଗଧର,

ସରଳା ସୁଶୀଳା ସାଧ୍ୱୀ ସୁଦକ୍ଷିଣା

ପ୍ରିୟତମା ରଜାଙ୍କର ।

ବହୁବର୍ଷ ଧରି ସନ୍ତାନ ଜନମ

ନୋହିବାରୁ ଜାୟାପତି,

ପୁତ୍ର ଲାଭ ଆଶେ ବାହାରିଲେ ଦୁହେଁ

ପ୍ରଭୁପଦେ ଦେଇ ମତି ।

ରାଜ୍ୟଭାର ମନ୍ତ୍ରୀ- ହସ୍ତେ ସମରପି

ନିଷ୍ଠାପର ହୋଇ ବନେ,

ଗଲାବେଳେ ବେନି କମ୍ପିଲା କାନନେ

ରଥର ଘର୍ଘର ସ୍ୱପନ ।

ବାଟେ ବାଟେ କେକା ଧ୍ୱନି କେକୀଙ୍କର

ହେଉଥିଲା ସୁଖକର,

ଏଣେ ଅଶ୍ୱଖୁରେ ସମୁତ୍‌ଥିତ ଧୂଳି

ଘୋଡ଼ାଇ ଦେଲା ଅମ୍ବର ।

ବକପନ୍ତିଙ୍କର ଶୁଭୁଥିଲା ନଭେ

ଅବ୍ୟକ୍ତ ମଧୁର ସ୍ୱନ,

ପଥଶ୍ରମକ୍ଳାନ୍ତି ହରୁଥିଲା ଧୀରେ

କୋମଳ ମଧୁ ପବନ ।

ଅଭ୍ୟର୍ଥନା ଲାଗି ଗ୍ରୀବା ଟେକି ଟେକି

ପଥେ କୁରଙ୍ଗ ନିକର,

ହେଲେ ଉଭା ଅବା ରଥଧ୍ୱନି ଶୁଣି

ମାନସେ ନରଖି ଡର ।

କମଳ ବନରୁ ମୃଦୁବାତ ବହି

ଚହଟାଉ ଥିଲା ଦିଶ,

ହେଉଥିଲେ ଖୁସି ଲଭି ବେନି ବାଟେ

ବହୁ ବିପ୍ରଙ୍କ ଆଶିଷ ।

ମାର୍ଗେ ଆଭୀରଙ୍କୁ ପଚାରରି ପଚାରି

ବନ ତରୁଲତା ନାମ,

ପୁଲକିତ ମନେ ସେ ରାଜ ଦମ୍ପତି

ଗମୁଥିଲେ ଅବିରାମ ।

ବିଲୀପ ରାଜନ ମହିଷୀଙ୍କି ପଥେ

ନାନା ମନୋହର ଛବି,

ଦେଖାଇ ଦେଖାଇ ପଥଶ୍ରମକ୍ଳାନ୍ତି

ନ ପାରିଲେ ଅନୁଭବି ।

ଦିବା ଅବସାନେ ଦୁହେଁ ତପୋବନେ

ପ୍ରବେଶିଲେ ହରଷରେ,

ଯହିଁ ପଶୁଥିଲେ କୁଶକାଠଫଳ

ଧରି ତାପସ ନିକରେ ।

ସୁନ୍ଦର ବରଣ କୃଷ୍ଣସାର ପନ୍ତି

ଆଦରେ ହୋଇ ପାଳିତ,

ସୀମନ୍ତିନୀଙ୍କର ସନ୍ତାନ ପରାଏ

ଉଟଜ ଦ୍ୱାରେ ଶାୟିତ ।

ଶ୍ରମେ ସଂଗୃହୀତ ନିବାର ଧାନରେ

ବ୍ୟାପ୍ତ କୁଟୀର ପ୍ରାଙ୍ଗଣ,

କୁରଙ୍ଗ ନିକର ଯହିଁ କରୁଥିଲେ

ସୁଖେ ବୈତ ଚର୍ବଣ ।

ହୋମାଗ୍ନି ସୂଚକ ଆହୁତିର ଧୂମ

ଗନ୍ଧ ଥିଲା ମନୋହର,

ମନକୁ ପବିତ୍ର କରୁଥିଲା ତାହା

ଆଗତ ଅତିଥିଙ୍କର ।

ଜାୟାସହ ଭୂପ ହୋଇ ଉପସ୍ଥିତ

ରଥୁଁ ଆପେ ଅବତରି,

ଦେଲେ ଉତୁରାଇ ସେ ପୁଣ୍ୟାଶ୍ରମରେ

ମହିଷୀଙ୍କି ହାତ ଧରି ।

ଶିଷ୍ଟାଚାର ପଟୁ ତାପସ ନିକର

ନେଲେ ତାଙ୍କୁ ସମାଦରେ,

ଯହିଁ ବସିଥିଲେ ବଶିଷ୍ଠ ମୁନୀନ୍ଦ୍ର

ସ୍ୱାହା ସହ ମୋଦଭରେ ।

ମହାଦେଈ ସହ ନରମଣି ଯାଇ

କରନ୍ତେ ପଦେ ପ୍ରଣତି,

ଗୁରୁଗୁରୁପତ୍ନୀ ଆଶୀର୍ବାଦ କରି

ସଙ୍ଖୋଳି ନେଲେ ଝଟତି ।

ତହୁଁ ଋଷିବର ହିତାହିତ କଥା

ପୁଚ୍ଛନ୍ତେ ନିଜ ରାଜ୍ୟର,

‘‘ତୁମ୍ଭ ପ୍ରସାଦରୁ ମଙ୍ଗଳ ବୋଲି ସେ

ଉତ୍ତରିଲେ ନରବର ।

ସକଳ ବିଷୟ ମଙ୍ଗଳ ହେଲେ ହେଁ

ନଦେଖି ସୁତ ବଦନ,

ମୋର ଅନ୍ତେ ପିଣ୍ଡ ଲୁପ୍ତ ହେବ ବୋଲି

କରୁଛି ସଦା ଚିନ୍ତନ ।

ଯାଗ କର୍ମ କରି ସୁକୃତ ଅରଜି

ଅପୁତ୍ରିକ ହେଲି ଭବେ,

ଘାଣ୍ଟି ହେଉଅଛି ମନ ଅହରହ

ଶାନ୍ତି ଲାଗୁନାହିଁ ଲବେ ।

ମୁକ୍ତିର ଉପାୟ କର ଦୟା ବହି

ଯେଣୁ ମୁଁ ତବ ଆଶ୍ରିତ,

ମିହିରକୁଳର ନୋହୁ ପିଣ୍ଡ ଲୋପ

କର ପିତୃଗଣେ ପ୍ରୀତ ।’’

ମୁଦ୍ରିତ ନୟନେ ସ୍ଥିର ହୋଇ କ୍ଷଣେ

କହିଲେ ଯଦି ପୁଙ୍ଗବ,

‘‘ମୋର ସନ୍ତାନଙ୍କ ଆରାଧନା ବିନା

ନୋହିବ ତନୟ ତବ ।

ଏହି ଅଭିଶାପ ଦେଇଥିଲେ ପୂର୍ବେ

ସୁରଧେନୁ ରୋଷଭରେ,

କରିଥିଲ ଯେଣୁ ହେୟ ତାଙ୍କୁ ଦିନେ

ଶୋଇଥିବା ସମୟରେ ।’’

ଧନ ଥିଲେ ମାନ ନ ବଢ଼ଇ କା’ର

ନ ଜାଣେ କିଏ ୟା ଭବେ,

ଆପଣାର ଢମ ଦେଖାଇ ହେବାକୁ

ଇଚ୍ଛନ୍ତି ସଦା ସରବେ ।

‘‘ପୂଜନୀୟ ପ୍ରତି ପୂଜା ବ୍ୟତିକ୍ରମ

ହେଲେ ନୁହଇ ମଙ୍ଗଳ,

କରେ ସିନା ସଦା ଇଷ୍ଟ କାର୍ଯ୍ୟ ନାଶ

ପୁଣି ସକଳ କୁଶଳ ।

ଉପୁଜିଛି ବିଘ୍ନ ପୁତ୍ରଲାଭ ପଥେ

ସୁରଭୀଙ୍କ ଅପମାନେ,

ପ୍ରତିନିଧି କରି ନନ୍ଦିନୀଙ୍କି ସେବି

ରହ ତାଙ୍କ ସନ୍ନିଧାନେ ।

ନନ୍ଦିନୀ ସନ୍ତୋଷେ ତବ ମନୋରଥ

ଅବଶ୍ୟ ହେବ ପୂରଣ,’’

କହୁ କହୁ ଏହା କାମଧେନୁ ସୁତା

ବନୁ କଲେ ଆଗମନ ।

ଅଭିଷିକ୍ତ କରି ଧରା ଦୁଗ୍‌ଧଧାରେ

କରନ୍ତେ ଏଥି ପ୍ରବେଶ,

ହୋଇ ପୁଲକିତ ଭକତି ଅନ୍ତରେ

ପୂଜିଲେ ତାଙ୍କୁ ନରେଶ ।

ଧନ୍ୟରେ ସଂସାର ସମ୍ପଦ କାଳେ ତୁ

ପାସୋରୁ ମନୁଁ ଭକତି,

କେତେ ଦେବଦେବୀ କରୁଥାଉ ପୂଜା

ପଡ଼ିଲେ ସିନା ବିପତ୍ତି ।

ବିଦ୍ୟାର୍ଥୀ ଯେସନ ବିଦ୍ୟାକୁ ନିବିଷ୍ଟ

ବିତ୍ତେ କରନ୍ତି ସାଧନ,

ଗାଭୀଙ୍କୁ ତେନେ ସେବ ବୋଲି ସଦା

କହିଲେ ସେ ତପୋଧନ ।

‘‘ଯିବାବେଳେ ଯିବା ଉଭାବେଳେ ଉଭା

ବସିବା କାଳରେ ବସି,

ସେବା କର ବେନି ଜନ ଏହିରୂପେ

ଶୁଦ୍ଧ ମନେ ହସି ହସି ।

ସଞ୍ଜେ ରଚିବୁଲି ଆସିବା ସମୟେ

ପାଛୋଟି ଆଣିବ ଯାଇ,

ଭକତି ଅନ୍ତରେ ତୁଷ୍ଟ ହେବାଯାଏଁ

ରହ ଏକନିଷ୍ଠ ହୋଇ ।’’

ପୁତ୍ର ଲାଭ ଆଶା ଦେଇ ଉଭୟଙ୍କୁ

ଆଶୀର୍ବାଦ କରି ମୁନି,

ହେଉ ବିଘ୍ନ ଦୂର ତବ ପିତା ପରି

ବୋଲି ହୋଇଲେ ସେ ତୁନି ।’

ଗୁରୁ ଗୁରୁପତ୍ନୀ ପଦେ ହୃଷ୍ଟ ମନେ

ନିବେଶି ଦୁହେଁ ହୃଦୟ,

କୁଟୀର କୋଳରେ ନାନା ଆଳାପରେ

ଯାପିଲେ ନିଶି ସମୟ ।

ପୁଅ ପାଇଁ ସତେ ଛଟପଟ କେତେ

ହେଉଛି ମଣିଷ ନିତି,

ଉପୁଚଜଇ ଭୀତି ମନେ ଆଜିକାଲି

ଦେଖିଣ ପୁଅଙ୍କ ରୀତି ।

★★★

 

ଦ୍ୱିତୀୟ ସର୍ଗ

 

ବିଭବରୀ ଅନ୍ତେ ଉଠି ଉଷାକାଳେ

ଶୁଣି ବେଦ ଧ୍ୱନି ବେନି,

ଗନ୍ଧ ପୁଷ୍ପେ ପୂଜା କରି ମୁନି ଧେନୁ

ବନମୁଖେ ଗଲେ ଘେନି ।

ଧୂଳି ପୂର୍ଣ୍ଣ ପଥେ ଯାଉଁ ଯାଉଁ ପଛେ

ପତିବ୍ରତା ମହାଦେଈ,

ଅଯୋଧ୍ୟା ନରେଶ ଦେଲେ ତାଙ୍କୁ ଖରେ

ଅଧବାଟୁଁ ଲେଉଟାଇ ।

ନନ୍ଦିନୀ ସେବାରେ ଏକାନ୍ତ ମନରେ

ନିଯୁକ୍ତ ହୋଇ ରାଜନ,

ବ୍ରତ ରକ୍ଷା ଲାଗି ଧେନୁ ସଙ୍ଗେ ସଙ୍ଗେ

ଭ୍ରମିଲେ କାନନ ବନ ।

ସୁକୋମଳ ତୃଣ ଖୁଆଇ ଖୁଆଇ

କରାଇ ସଲିଳ ପାନ,

ଗଲେ ଗଳି ଗଳି ଲତା ତଳେ ତଳେ

କରି ଏକମାତ୍ର ଧ୍ୟାନ ।

ତାଙ୍କୁ ଅନୁସରି ଯାଉଥିଲେ ଭୂପ

କେତେବେଳେ ଲଇଁ ଲଇଁ,

କେବେ ବା ସଳଖେ କେବେ ବକ୍ର ଗତି

କରି ହୋଇ ଧଇଁ ସଇଁ ।

ଏଭାବେ ରାଜନ କରନ୍ତେ ବିହାର

ପକ୍ଷିଏ ତରୁ ଡାଳରେ,

ମୃଦୁରାବ ଛଳେ ଜୟଧ୍ୱନି ମୋଦେ

ଉଚ୍ଚାରିଲେ ରତ୍କାଳରେ ।

ମନ୍ଦ ପବନରେ ଆନ୍ଦୋଳିତ ହୋଇ

କାନନ ଲତାନିଚୟ,

ନରେଶ୍ୱର ଶିରେ ଅଜାଡ଼ିଲେ ଧୀରେ

ବୃନ୍ତରୁ କୁସୁମଚୟ ।

ଦଳ ଦଳ ହୋଇ ଗ୍ରୀବା ଟେକି ଟେକି

ହରିଣ ହରିଣୀଗଣ,

ଚାହିଁ ରହୁଥିଲେ ଯଶସ୍ୱୀ ନୃପଙ୍କୁ

ଲଭି ମୃଦୁ ସମୀରଣ ।

ଠାବେ ଠାବେ ବନେ ସୁଲୁସୁଲୁ ବାଆ

ପୁରୁଣା ବାଉଁଶେ ପଶି,

କରୁଥିଲା ସ୍ୱନ କୋକିଳ ପରାଏ

ରସାଳ ଡାଳରେ ବସି ।

ଶୁଣି ଶୁଣି ତାହା ମଣୁଥିଲେ ଭୂପ

ଦେବଦେବୀମାନେ ଆସି,

ଲତା ଆଢ଼ୁଆଳେ ରହି ତାହାଙ୍କର

ଗାଉଛନ୍ତି ଯଶରାଶି ।

ସରସୀରେ ପଶି କାହିଁବା ବରାହ

ଲୋଟୁଥିଲେ କର୍ଦ୍ଦମରେ,

ଫୁଲାଇ ଫୁଲାଇ କଣ୍ଠ କାହିଁ କେକୀ

ରାବୁଥିଲା ମୋଦଭରେ ।

ପାଦପ୍‌ ବିରଳ ତୃଣ ପ୍ରାଙ୍ଗଣରେ

ଏଣୀକୁଳ ଧୀରେ ଧୀରେ,

ଚରୁ ଚରୁ କେବେ ଦେଉଥାନ୍ତି ଚାହିଁ

ହର୍ଷେ ଚାରୁ ଚାହାଁଣିରେ ।

ଫେରିଲେ ନୀଡ଼କୁ ଦଳ ଦଳ ପକ୍ଷୀ

ଦିନଶେଷେ ଉଡ଼ି ଉଡ଼ି,

ଧେନୁସମ ଭ୍ରମି ଭ୍ରମି ଦିନ ସାରା

ଆସିଲେ ନୃପ ବାହୁଡ଼ି ।

ଯିବାବେଳୁଁ ରାଣୀ ପଥ ଚାହିଁ ଚାହିଁ

ଥିଲେ ମହା ଉତ୍ସୁକରେ,

ଫେରିବାର ଦେଖି ପ୍ରଦକ୍ଷିଣ କରି

ପୂଜିଲେ ହରଷଭରେ ।

କ୍ଷୀର ଦୋହନାନ୍ତେ ଶୁଅନ୍ତେ ନନ୍ଦିନୀ

ପ୍ରୀତ ହୋଇ ଦମ୍ପତି,

ସାନ୍ଧ୍ୟକୃତ୍ୟ ଅନ୍ତେ ତାହାଙ୍କ ସେବାରେ

ହର୍ଷେ ବଲାଇଲେ ମତି ।

ପୂଜା ସାମଗିରୀ ଥୋଇ ନିକଟରେ

ପୂଜାକଲେ ଦୀପ ଜାଳି,

ପ୍ରଣମି ଗାଭୀଙ୍କି ପିନ୍ଧାଇଲେ ଗଳେ

ଆଣି କର୍ପୂରର ମାଳି ।

ବିଂଶତି ଦିବସ ହୁଅନ୍ତେ ଅତୀତ

ନିରାଜନା କରି କରି,

ମନ ଜାଣିବାକୁ ବୁଲିଲା ନନ୍ଦିନୀ

ଏଣେ ତେଣେ ଚରି ଚରି ।

ଅଲକ୍ଷିତ ଭାବେ ପଶୁ ପଶୁ ଧେନୁ

ହିମାଳୟ ଗହ୍ୱରରେ,

ଲଟିରୁ ବାହାରି ସିଂହଟିଏ ତାଙ୍କୁ

ଆକ୍ରମିଲା କ୍ରୋଧଭରେ ।

ଚକିତେ ନରେନ୍ଦ୍ର ଦେଖିଲେ ହରୀନ୍ଦ୍ର

ଗାଭୀପୃଷ୍ଠେ ବସିବାର,

ନପାରିଲେ କାଢ଼ି ତୂଣୀରୁ ସାୟକ

ଟାଣିଲେହେଁ ବାରବାର ।

ତାହାଙ୍କ ଆଗରେ ଓଟାରୁଛି ସିଂହ

ଦ୍ୱଢ଼ଭାବେ ତାଙ୍କୁ ଧରି,

ତଥାପି ଅକ୍ଷମ ହେଲେ ନରରାଣ

ବଧିବାକୁ ସେ କେଶରୀ ।

ତହୁଁ ସେ ମୃଗେନ୍ଦ୍ର ମନୁଷ୍ୟ ଭାଷାରେ

କହିଲା ଭୂପେ ଏସନ,

‘‘ବୃଥା ଶ୍ରମ କରି ମାତିଛ କିପାଇଁ

ସବୁ ହେବ ଅକାରଣ ।

ଭାବି ଦେଖ ଗିରି ଟଳିବ କି ଗାରେ

ବାତ୍ୟାଘାତେ ତରୁମୂଳ,

ଶଶାକି ବଧିବ ହାତୀକୁ ଅଥବା

ମୃଗେନ୍ଦ୍ରକୁ ମୃଗକୁଳ ।

ଶୁଳିପାଣିଙ୍କର ଜଗୁଆଳ ହୋଇ

ରହିଅଛି ଏ କାନନେ,

ଉପବାସେ ଅଛି ହେବି ପରିତୃପ୍ତ

ଏଧେନୁ ଶୋଣିତ ପାନେ ।

ନାମ କୁମ୍ଭୋଦର ଜାଣ ମହାବୀର

ରୁଦ୍ରଙ୍କ ଅଟେ କିଙ୍କର,

ପାରେକି ମୁରୁଛି ହାବୁଡ଼େ ପଡ଼ିଛି

କହ ଆହେ ନରବର ?’’

ବୁଝିଲେ ରାଜେନ୍ଦ୍ର ଶିବଙ୍କ ପ୍ରସାଦେ

ନିଜ ଅସ୍ତ୍ର ପ୍ରତିହତ,

ଯାଚିଥିଲେ ତେଣୁ ମୁନି ଧେନୁ ଛାଡ଼ି

ପିଇବାକୁ ସ୍ୱରକତ ।

ଶୁଣି ତା’ କେଶରୀ ତହୁଁ ସ୍ମିତହାସ୍ୟେ

କହନ୍ତି ପୁଣି ଏସନ,

‘‘ଛାର ଗାଭୀ ଲାଗି ଏ ସୁନ୍ଦର ଗାତ୍ର

କରିବା କିମ୍ପା ବର୍ଜନ ?

ପ୍ରଜାହିତ ଲାଗି ରାଜାର ଜନମ

ଜାଣିଥିବ ନରପତି,

ତାରିବ ପ୍ରଜାଙ୍କୁ ସ୍ୱରାଇଜେ ଥାଇ

ଖଣ୍ଡିବ ତାଙ୍କ ବିପତ୍ତି ।’’

ଏକାଳେ ନନ୍ଦିନୀ ଚାହାଁନ୍ତେ ଅଧୀରେ

ଫେରାଇ ଫେରାଇ ମୁଖ,

ବିକଳେ ରାଜନ କହିଲେ ହରିକି

ଅନୁଭବି ଅତି ଦୁଃଖ ।

‘କିଫଳ ବା ହେବ ଏ ରାଜ ଭୋଗରେ

କଳଙ୍କିତ ହେଲେ ଭାବେ,

କହୁଛ କିପରି ମହାଜ୍ଞାନୀ ହୋଇ

ପାରୁନାହିଁ ବୁଝି ଲବେ ।’

ଆହୁରି କଥାଏ ଶୁଣ ପଶୁରାଜ

କହୁଛି ହୋଇ ବିନୟ,

ଜନମି ଧରାରେ କୋଟି କୋଟି ଜୀବ

ଭଜନ୍ତି ନିତି ବିଲୟ ।

ମରଣ ଭୟରେ ଯଶ ନାଶ କଲେ

କି ବୋଲିବେ ମୋତେ ଜନେ,

ଅବଶ୍ୟ ନଶ୍ୱର ଏ ଶରୀର ଅବା

ଆସିବ କି ପ୍ରୟୋଜନେ ?

ଘଟିଛି ବନ୍ଧୁତ୍ୱ ଦଇବବଶରୁ

ବନେ ଆମ୍ଭ ଦୁହିଁଙ୍କର,

ତେଣୁ ହେ ମୁଗେନ୍ଦ୍ର ବନ୍ଧୁର ପ୍ରାର୍ଥନା

ବିଫଳ କେଭେ ନକର ।’’

‘ହେଉ ତେବେ’ ବୋଲି ବୋଲନ୍ତେ କେଶରୀ

ଖେଳିଲା ହସ ବଦନେ,

ଜାଡ଼୍ୟମୁକ୍ତ ହୋଇ ଚାହିଁଲା ବେଳକୁ

କେଶରୀ ନଥିଲା ବନେ ।

ନନ୍ଦୀନ ଏକାକୀ ରହି ସେହିଠାରେ

କହିଲେ ଭୂପେ ସ୍ନେହରେ,

‘‘ପରଖୁଥିଲି ମୁଁ ତବ ସେବାଭକ୍ତି

ମାୟାକରି ଏ ରୂପରେ ।

ଦୁଗ୍‌ଧଦାତ୍ରୀ ବୋଲି ନଭାବି ମୋ’ଠାରୁ

ମାଗିନିଅ ଏବେ ବର,

ମୋ’ପ୍ରତି ସୁଦୟା ପୁଣି ସେବାଭକ୍ତି

ମୋହିଛି ମନ ମୋହର ।’’

ଏବଚନ ଶୁଣି ମାଗିଲେ ଏବର

ଚିରଯଶା ଏକ ସୁତ,

ସୁଦକ୍ଷିଣା ଗର୍ଭେ ଜାତ ହୋଇ କରୁ

ଅଯୋଧ୍ୟା ମହୀକୁ ପୂତ ।’

ପ୍ରସନ୍ନେ ‘ତଥାସ୍ତୁବୋଲି ବରଦେଇ

ଆସିଲେ ଆଶ୍ରମେ ଫେରି,

ପଛେ ପିଛେ ତାଙ୍କ ଅଯୋଧ୍ୟା ନରେଶ

ଆସିଲେ ନକରି ଡେରି ।

ମୁଖେ ହସ ହସ ଦେଖି ନରେଶଙ୍କ

ସୁଦକ୍ଷିଣା ମନେ ମନେ,

ସିଦ୍ଧ ମନୋରଥ ହୋଇଅଛି ବୋଲି

ଭାବି ପୁଚ୍ଛିଲେ ରାଜନେ ।

ତହୁଁ ନରପତି ସକଳ ବୃତ୍ତାନ୍ତ

ଆନନ୍ଦେ ଗଦ୍‌ଗଦ୍‍ ହୋଇ,

ପାଟ ମହଷୀଙ୍କି ବର୍ଣ୍ଣିଲେ ତକ୍ଷଣେ

ତଳେ ଅସ୍ତ୍ରଶସ୍ତ୍ର ଥୋଇ ।

ସାନ୍ଧ୍ୟବିଧି ସାରି ତହୁଁ ନରେଶ୍ୱର

ପାନାନ୍ତେ ବତ୍ସତରୀର,

ହୋମବିଧି ଶେଷେ ବଶିଷ୍ଟ ଆଦେଶେ

ପିଇଲେ ନନ୍ଦିନୀ କ୍ଷୀର ।

ମହାମନା ମୁନି ପରଦିନ ପ୍ରାତେ

ଗୋସେବା ବ୍ରତ କରାଇ,

ଆଶୀର୍ବାଦ ଦେଇ ଆପଣା ନବରେ

ବେନିଙ୍କୁ ଦେଲେ ପଠାଇ ।

ପୂଜାକରି ବେନି ଗୁରୁଗୁରୁପତ୍ନୀ

ପୁଣି ସବତ୍ସା ଧେନୁକୁ,

ବିଦାମାଗି ତାଙ୍କୁ ଲେଉଟିଲେ ହର୍ଷେ

ଆପଣା ରାଜଧାନୀକୁ ।

ବିବିଧ ଆଳାପେ ପଥ ଅତିକ୍ରମି

ପହଞ୍ଚିଲେ ସ୍ୱନବରେ,

ମନଦୁଃଖେ ଥିବା ପରଜାନିବହ

ପାଛୋଟି ନେଲେ ସାଦରେ ।

★★★

 

ତୃତୀୟ ସର୍ଗ

 

ଗର୍ଭଧରିବାରୁ ପାଟ ମହାଦେଈ

ପୁରବାସୀ ପୁଲକିତ,

ଦିଲୀପଙ୍କ ମୁଖେ ଉଲ୍ଲାସ ଜ୍ୟୋତ୍ସନା

ଖେଳିଲା ଅନବରତ ।

କୃଶହୋଇ ତନୁ ଦିଶିଲା ପାଣ୍ଡୁର

ମହିଷୀଙ୍କ ଚନ୍ଦ୍ରାନନ,

ଅରୁଚି ହେବାରୁ ମାଟି ଆସ୍ୱାଦନ

ପାଇଁ ବଲାଇଲେ ମନ ।

ଏଣେ ନରପତି କହନ୍ତି ସଖୀଙ୍କି

‘ଯହିଁରେ ତାହାଙ୍କ ମନ

ପଚାରି ପଚାରି ଆଣି ଦେଇଥିବ

ସରିଯାଉ ଯେତେ ଧନ ।’

ପ୍ରେୟସୀଙ୍କ ପ୍ରତି ଗାଢ଼ ଅନୁରାଗ

ରଖି ସେହି ନରପତି,

ରିଷ୍ଟ ଯିବାଲାଗି ବ୍ରାହ୍ମଣ ଦରିଦ୍ରେ

ବାଣ୍ଟିଲେ ବହୁ ସମ୍ପତ୍ତି ।

ମରମେ ମରମେ ଦେଉଅଛି ବାଧା

ଗର୍ଭଭାର ଦିନୁଦିନ,

ସମ୍ଭାଳି ନିଅନ୍ତି ଲାଜପାଇ ଅବା

ତନୁ କ୍ରମେ କ୍ରମେ କ୍ଷୀଣ ।

ଆସନ୍ନ ପ୍ରସବା ପାଟ ମହାଦେଈ

ଦିଶିଲେ ରୁଚିରତର,

ନୃପତି ଆଦେଶେ ଦାସୀଏ ସଜାଡ଼ି

ରଖିଲେ ସୂତିକା ଘର ।

ପ୍ରସବିଲେ ସୁତ ଭାଗ୍ୟବତୀ ରାଣୀ

ସର୍ବ ଶୁଭ ମୁହୂର୍ତ୍ତରେ,

ଏହି ମଧୁମୟ ବାରତା ଶ୍ରବଣେ

ନରେନ୍ଦ୍ର ଆସିଲେ ଖରେ ।

ବିଧୁଙ୍କ ଦର୍ଶନେ ଜଳନିଧି ଜଳ-

ରାଶି ଉଛୁଳଇ ଯଥା,

ପୁତ୍ରମୁଖ ଦେଖି ଉଛୁଳିଲା ହୃଦୁଁ

ଆନନ୍ଦ ଲହରୀ କଥା ।

ସୁତ ଜନ୍ମଲାଗି ବିବିଧ ଆମୋଦ

ହେଲା ରାଜ୍ୟେ ଅନୁଷ୍ଠିତ,

ପୁଣି ସୁମଧୁର ମଙ୍ଗଳ ବାଦ୍ୟରେ

ମେଦିନୀ ହେଲା କମ୍ପିତ ।

ଚିଲୀ ବିଳାସିନୀ ସୁଚାରୁ ହାସିନୀ

ନର୍ତ୍ତକୀ ଗଣିକାଚୟ,

ଅଙ୍ଗଭଙ୍ଗି କରି ଗୀତ ଗାଇ ଗାଇ

ରସାଇ ଦେଲେ ହୃଦୟ ।

ରଘୁନାମ ଦେଇ ପୁଅକୁ ବଶିଷ୍ଠ

ବନୁ ଆସି ଆନନ୍ଦରେ,

କହିଲେ ନୋହିବ ଏହାଙ୍କ ସରି କେ

ଶସ୍ତ୍ରେ ତିନି ଭୁବନରେ ।

ସେ ଦମ୍ପତି ସଦା ଲଭନ୍ତି ଆହ୍ଲାଦ

ପୁତ୍ର ମୁଖ ଚାହିଁ ଚାହିଁ,

ଚାଲି ଶିଖିବାରୁ ଡାକନ୍ତେ ଆସନ୍ତି

ଡଗ ଡଗ ହୋଇ ଧାଇଁ ।

ସୁଖ ଦୁଃଖ ଭାଇ ଲୁଚୁକାଳି ଖେଳ

ଦେଖୁଛ ନିରତ ଭବେ,

ସୁଖେ ପୁଲକିତ ଦୁଃଖେ ପରିତାପ

ନକରିବ ଏଣୁ ଲବେ ।

କେତେ ବ୍ରତ କରି ପାଇଛନ୍ତି ପୁତ୍ର

ଆହା କେଡ଼େ ଯାତନାରେ,

ପୂରୁବ କଥାକୁ ପାସୋରି ଦେଲେଣି

ଦୁହେଁ ଭବିଷ୍ୟ ଆଶାରେ ।

ଯଉବନ ଯୋଗେ ନବକାନ୍ତି ବହି

ପାରଗ ସବୁ ବିଦ୍ୟାରେ,

ହେବାରୁ ରାଜନ ତାଙ୍କ ପରିଣୟ

ସମ୍ପନ୍ନ କଲେ ଶ୍ରଦ୍ଧାରେ ।

ଯୁବରାଜ ପଦେ ଅଭିଷିକ୍ତ କରି

ଦେଲେ ରାଜ୍ୟର ଶାସନ,

ଅନେଶ୍ୱତ ବାର ଅଶ୍ୱମେଧ ଯାଗ

କଲେ ଭୂପ ସମାପନ ।

ଶତସଂଖ୍ୟା ଯାଗ ପୂରିବା ମାନସେ

ବଳିଷ୍ଠ ରଘୁ ସଙ୍ଗରେ,

ଛାଡ଼ିଲେ ଦିଲୀପ ଯାଜ୍ଞିକ ଘୋଟକ

ପ୍ରଣମି ହରଷଭରେ ।

ସେ ପୂତ ଅଶ୍ୱକୁ ନେଉଛନ୍ତି ହରି

ବଜ୍ରୀ ଆସି ଖରତରେ,

ଏ ଅଦ୍ଭୁତ ଦୃଶ୍ୟ ଦେଖି ନୃପସୁତ

ଅନାଇଲେ ବିସ୍ମୟରେ ।

ଏକାଳେ ନନ୍ଦିନୀ ସ୍ୱେଚ୍ଛାକ୍ରମେ ଆସି

ଦେଲେ ତାଙ୍କୁ ଦରଶନ,

ତାହାଙ୍କ ଇଙ୍ଗିତେ ପବିତ୍ର ମୂତ୍ରରେ

କଲେ ନେତ୍ର ପ୍ରକ୍ଷାଳନ ।

ସେ ଅଶ୍ୱ ଚୋରକୁ ଦେବରାଜ ବୋଲି

ରଘୁବୀର ତାଙ୍କୁ କଳି,

ଗଗନ କମ୍ପାଇ କହନ୍ତି ଗମ୍ଭୀରେ

ଚାରୁଚକ୍ଷୁ ମଳି ମଳି ।

‘‘ହେ ଦେବେନ୍ଦ୍ର କିମ୍ପା ଘଟାଉଛ ବାଧା

ମୋ ପିତାଙ୍କ ଧର୍ମ କର୍ମେ,

ତୁମ୍ଭପରି ମାନ୍ୟ ଲୋକର ଏ କାର୍ଯ୍ୟ

ବ୍ୟଥା ଲାଗେ ମର୍ମେ ମର୍ମେ ।

ଯାଗର ପ୍ରଧାନ ଅଙ୍ଗ ଏ ଅଶ୍ୱଟି

ଛାଡିଦିଅ ସୁରପତି,

ସନ୍ମାର୍ଗ ଦର୍ଶକ ହୋଇ ନୀଚକର୍ମ

ବଳାଇଛ ତୁଚ୍ଛା ମତି ।

ରଘୁଙ୍କ ପ୍ରଗ୍‌ଳଭ ଗିର ଶୁଣି ଶକ୍ର

ଉତ୍ତରିଲେ ତାଙ୍କୁ ଧୀରେ,

‘ଶତକ୍ରତୁ’ ବୋଲି ଜାଣିଛନ୍ତି ମୋତେ

ସକଳେ ଏ ମେଦିନୀରେ ।

ଏହି ଆଖ୍ୟା ମୋର ଦେବାକୁ ଲିଭାଇ

ଇଚ୍ଛନ୍ତି କନକ ତବ,

କିନ୍ତୁ ମୋ ପ୍ରସିଦ୍ଧି- ବିଲୋପ ସାଧନ

ନହେବ କେବେ ସମ୍ଭବ ।’’

ଘୋଟକ ରକ୍ଷକ ରଘୁ ଉତ୍ତରିଲେ

ତହୁଁ ମେଘମନ୍ଦ୍ର ନାଦେ,

ଉପହାସ କରି ତ୍ରିଦିବନାଥଙ୍କୁ

‘ପଶ ନାହିଁ ଏ ବିବାଦେ ।’

‘‘ରଘୁକୁ ନଜିଣି ଯିବ କି ପଳାଇ

ଅଭିଳାଷ ପୂର୍ଣ୍ଣ କରି ?

ନକରି ବିଳମ୍ବ ଭୀରୁତା ବରଜି

ଆସ ଶିରୋସନ ଧରି ।’’

ଏହା କହି ରଘୁ ଉର୍ଦ୍ଧ୍ୱମୁଖେ କରି

ଶର ଥୋଇ ଶରାସନେ,

ମହା ପ୍ରଭାବରେ ହେଲେ ଅବସ୍ଥିତ

ଚାହିଁ ସହସ୍ର ଲୋଚନେ ।

ଦୁହିଁଙ୍କ ମଧ୍ୟରେ ବହୁକାଳ ଧରି

ଲାଗିଲା ଯୁଦ୍ଧ ଭୀଷଣ,

ରହିଲେ ଅନାଇ ଭୂତଳେ ସୈନିକେ

ଅନ୍ତରୀକ୍ଷେ ସିଦ୍ଧଗଣ ।

ଅଦ୍ଭୁତ ବୀରତ୍ୱ ଦେଖି ସୁନାସୀର

ରଘୁଙ୍କର ଏକାଳରେ,

‘ପ୍ରସନ୍ନ ହେଲି ମୁୀଁମାଗ ବର ବୋଲି

କହିଲେ ଉଲ୍ଲାସଭରେ ।

ନରେନ୍ଦ୍ର ନନ୍ଦନ ଦେବେନ୍ଦ୍ର ବଚନେ

ଶର ପୂରାଇ ତୁଣୀରେ,

ହେ ଶକ୍ର ! ଅଶ୍ୱକୁ ଛାଡ଼ିଦିଅ ବୋଲି

ନିବେଦିଲେ ମୃଦୁଗିରେ ।

‘‘ଯାଗ ଅଶ୍ୱ ଛାଡ଼ି ଯାହା ଅଭିରୁଚି

ଇଚ୍ଛାମତେ ମାଗ ବର’’

ବୋଲି କହିବାରୁ ଦିଲୀପ ନନ୍ଦନ

ବୋଇଲେ ତହୁଁ ସତ୍ୱର ।

‘‘ଅଶ୍ୱ ତେଜିବାକୁ ନଥିଲେ ହୃଦୟେ

ଜନକ ଯଜ୍ଞ ସଦନେ,

ଯାଗ ଶେଷ ଆଶେ ହୋଇଛନ୍ତି ବ୍ରତୀ

ପଠାନ୍ତୁ ଦୂତ ତକ୍ଷଣେ ।

ଏ ସକଳ କଥା କରିବାକୁ ଜଣା

କର ସେଥିର ବିଧାନ,

ମୋର ମନୋରଥ ପୂରିବ ପୁନଶ୍ଚ

ବଢ଼ିବ ମୋର ସମ୍ମାନ ।’’

ପ୍ରତିଶ୍ରୁତ ହୋଇ ରଘୁଙ୍କ କଥାରେ

ବାହୁଡ଼ିଲେ ଶଚୀପତି,

ରଘୁ ନ ଯାଉଣୁ ଦୂତ ଏ ସନ୍ଦେଶ

ଜଣାଇଥିଲା ଝଟତି ।

ତନୟ ପ୍ରବେଶ ହରଶିନେ ପିତା

ଆଉଁଷି ତାହାଙ୍କୁ ଧୀରେ,

ପୁଲକିତ ମନେ ଆଲିଙ୍ଗନ କରି

ପ୍ରଶଂସିଲେ ମିଷ୍ଟ ଗିରେ ।

ବୀତସ୍ପୃହ ହୋଇ ବିଷୟ ଭୋଗରେ

ସୁତକୁ ସିଂହାସନରେ,

ବସାଇ ଦିଲୀପ ସୁଦକ୍ଷିଣା ସହ

ଆଶ୍ରିଲେ ତପୋବନରେ ।

★★★

 

ଚତୁର୍ଥ ସର୍ଗ

 

ଗୁପ୍ତ ଶତ୍ରୁଙ୍କର ହୃଦେ ଈର୍ଷାନଳ

କୁହୁଳୁଥିଲା ଭିତରେ,

ତପସ୍ୟା ନିମିନ୍ତ ଯିବାରୁ ଲୀପ

ଜଳିଲା ତାହା ପ୍ରଖରେ ।

ରଘୁଙ୍କ ଚାତୁର୍ଯ୍ୟ ଲିଭାଇଲା ତାକୁ

କଳେ ବଳେ କଉଶଳେ,

ଗଜେନ୍ଦ୍ର ଗତିରେ ହେଲେ ସୁଶୋଭିତ

ଅପୂର୍ବ ପ୍ରଭାମଣ୍ଡଳେ ।

ନବ ବାରିବାହ ଦର୍ଶନେ କୃଷକେ

ହୁଅନ୍ତି ଆନନ୍ଦ ଯେହ୍ନେ,

ଅଯୋଧ୍ୟାବାସୀଏ ବୀରେନ୍ଦ୍ର ରଘୁକୁ

ଦେଖି ସିଂହାସନେ ତେହ୍ନେ ।

ନବ ଗୁଣଯୁକ୍ତ ହୋଇ ନବ ନୃପ

ରାଜାନାମ ସାର୍ଥ କରି,

ଶାସିଲେ ଧରଣୀ ନ୍ୟାୟ ଅନୁଯାୟୀ

ନବ ନିୟମକୁ ଧରି ।

ନାନା କଉଶଳେ ଯେତେ ବିଶୃଙ୍ଖଳା

ଥିଲା କରି ଦୂରୀଭୂତ,

ନିରୁଦ୍ଦେଗ ମନେ ଶାସନ କରନ୍ତି

ସାହାସେ ଦିଲୀପସୁତ ।

ସମଭାବେ ଦଣ୍ଡ ସମ ଦୋଷୀଜନେ

ଦେଇ ଦିଲୀପ ନନ୍ଦନ,

ଶତ୍ରୁ ଅବା ମିତ୍ର ନ ବିଚାରି ହୃଦେ

କଲେ ଖ୍ୟାତି ଅରଜନ ।

ସୁବିମଳ ଯଶ ତାହାଙ୍କର କ୍ରମେ

ବ୍ୟାପ୍ତହୋଇ ଭୂମଣ୍ଡଳେ,

ସତେ ଅବ ତାହା ତାରାମାଳ ଛଳେ

ପ୍ରସରିଲା ନଭସ୍ଥଳେ ।

କୃଷକ ବାଲାଏ ଇକ୍ଷୁଲତା ତଳେ

ଧରି ସୁମଧୁର ତାନ,

ତାଙ୍କ ଯଶୋଗୀତି- ମାଲା ମୋଦଭରେ

କରୁଥିଲେ ସଞ୍ଜେ ଗାନ ।

ତାଙ୍କ ଅଭ୍ୟୁଦୟେ ପରାଜୟ ଭୟେ

ନଦିଶିଲେ ଦେଶେ ଠକ,

ସରୀସୃପ ଗନ୍ଧ ପାଇ ତତକ୍ଷଣେ

ଲୁଚନ୍ତି ଯେପରି ଭେକ ।

ଶରତ ସମୟ ଉପଗତ ହୋଇ

ଶୁଖାଇଲା ମାର୍ଗୁଁ ପଙ୍କ,

ସୁଧା କିରଣରେ ଅତୀବ ଉଜ୍ଜ୍ୱଳ

ଦିଶିଲା ସୁଧାଂଶୁ ଅଙ୍କ ।

ରମ୍ୟ ସପ୍ତପର୍ଣ୍ଣୀ ଫୁଟି ଚଉଦିଗେ

ବିଛାଇଲା ତା’ ବାସନା,

ଯୁଦ୍ଧ ପାଇଁ ରଘୁ ମାନସ ବଳାଇ

କପଲ ଅଶ୍ୱ ନିରାଜନା ।

ଶୁଭ ଅନୁକୂଳେ ଦିଗ୍‌ବିଜୟ ଆଶେ

ଆରମ୍ଭିଲେ ଅଭିଯାନ,

ନାରୀମାନଙ୍କର ଲଜାଞ୍ଜଳି ଯୋଗେ

ଉଡ଼ିଲା ରଥେ କେତନ ।

ଜନମି ଧରାରେ ଖାଲିହାତେ ସର୍ବେ

ଫେରନ୍ତି ଖାଲି ହାତରେ,

ନିତି ଦେଖି ଜନେ ତଥାପି ଆସକ୍ତ

ନିଜ ସ୍ୱାର୍ଥ ସାଧନରେ ।

ଦେଖି ହେଲା ମନେ ଧ୍ୱଜ ସଙ୍କେତରେ

ପୂର୍ବୁ ତର୍କି ରିପୁଗଣେ,

ହୋଇ ସାବଧାନ ନିଜ ସଇନିକେ

ସଜାଇ ରଖିଲେ ରଣେ ।

ବାସବ ଦିଗରେ ହେଲେ ଅଗ୍ରସର

ଚତୁରଙ୍ଗ ସେନାସହ,

ରଥର ଘର୍ଘର ନାଦେ କମ୍ପୁଥିଲା

ଅନ୍ତରୀକ୍ଷ ଅହରହ ।

ଖୋଳି ଖୋଳି କୂପ ଜଳହୀନ ପଥେ

ନିର୍ମାଣି ସେତୁ ନଦୀରେ,

ଘନବନ ଛେଦି ବିରାଟ ବାହିନୀ

ଗମୁଥିଲେ ଧୀରେ ଧୀରେ ।

ଛିନ୍ନଭିନ୍ନ କରି ମହୀରୁହ ରାଜି

ଗମେ ଗଜେନ୍ଦ୍ର ଯେସନ,

ବିପକ୍ଷ ନୃପଙ୍କୁ ଦଳି ପରକ୍ରମେ

ଗଲେ ନରେନ୍ଦ୍ର ତେସନ ।

କ୍ରମେ କ୍ରମେ ବଳ- ବାନ ସେନାଗଣ

ପୂର୍ବଦିଗ ଜୟକରି,

ତାଳୀବନ ସିନ୍ଧୁ- ତୀରେ ପହଞ୍ଚିଲେ

ଅବାରିତ ଗତିଧରି ।

ସେଠା ଅଧିବାସୀ ସୁନ୍ଦ୍ମରାଜଗଣ

ପରିହରି ଯୁଦ୍ଧ ଭୟେ,

ବେତସ ପରାଏ ନତ ହୋଇ ପଦେ

ଜୁହାର କଲେ ବିନୟେ ।

ହେମନ୍ତ ଋତୁରେ ଲଇଁଥାଏ ଫଳେ

ପକ୍ୱଶାଳି ଯେଉଁପରି,

ଦେଖି ପରାକ୍ରମ ବଙ୍ଗ ବୀରଗଣ

ଅବନତ ସେହିପରି ।

ବଙ୍ଗ ଜୟକରି ନିଜ ବାହୁବଳେ

ହେଲେ ତହୁଁ ଅଗ୍ରସର,

ଜୟଲିପ୍‌ସୁ ରଘୁ କଳିଙ୍ଗ ଆଡ଼କୁ

ନକରି ତିଳେ ଖାତର ।

ଗଜ ସୈନ୍ୟେ ସଜ ହୋଇଣ କଳିଙ୍ଗ

କଲା ତାଙ୍କୁ ଆକ୍ରମଣ,

ଉଭୟ ପକ୍ଷରେ ଅତି ଚମତ୍କାରେ

ହେଲା ତହିଁ ଘୋର ରଣ ।

ମାତ୍ର ରଘୁ ଭାଙ୍ଗି ବିପକ୍ଷ ସୈନ୍ୟଙ୍କ

ଟାଣପଣିଆ ଅଚିରେ,

ରଖିଥିଲେ ନେଇ ସେନା ନିବାସରେ

ବହୁ ନଜର ବନ୍ଦିରେ ।

ତାହାଙ୍କ ଫଉଜେ ମହା ମଉଜରେ

କେତେ ଦିବସ କଟାଇ,

ଦକ୍ଷିଣକୁ ଗଲେ ସିନ୍ଧୁ ତଟେ ତଟେ

ବିପକ୍ଷ ରାଜ୍ୟ ଫେରାଇ ।

ପାନପତ୍ରେ ଠୋଲା କରି ନାରିକେଳ

ମଧୁ ପାନ କରି କରି,

ପ୍ରସନ୍ନ ମନରେ ଯାଆନ୍ତି ସୋମନେ

ପଥକ୍ଳାନ୍ତି ତୃଷା ହରି ।

ରଣୋନ୍ମତ୍ତ ବୀର ରଘୁ ବାହିନିଏ

ପଶୁ ପଶୁ ପାଣ୍ଡୁ ଦେଶ,

କେଳା କାମିନିଏ ଛାଡ଼ିଥିଲେ ଭୟେ

ରୁକ୍ଷ କୁନ୍ତଳର ବେଶ ।

ନଦୀ ମୁହାଣରୁ ପାଇଥିଲେ ଯେତେ

ମୁକ୍ତା ପାଣ୍ଡୁ ଦେଶବାସୀ ,

ଗୋଟିଏ ଗୋଟିଏ ଆଣି ସମର୍ପିଲେ

ରଘୁଙ୍କ ଛାମୁରେ ଆସି ।

ଚନ୍ଦନ ଆଚ୍ଛନ୍ନ ମହୋଦଧି ତଟି

ଦିଶୁଥିଲା ମନୋହର,

ପବନ ଆନୀତ ସୁବାସିତ ଗନ୍ଧେ

ଚହଟୁ ଥିଲା ଅମ୍ବର ।

ମୁରଳା ତଟିନୀ ମୃଦୁ ସମୀରଣ

କେବେ ବହି ଧୀରେ ଧୀରେ,

କେତେକୀ ପରାଗ ହରି ଦେଉଥିଲା ।

ବୋଳି ସଇନଙ୍କ ଶିରେ ।

ବାଜି ପୃଷ୍ଠସ୍ଥିତ ଚର୍ମ କବଚରୁ

ଉଠି ଶ୍ରୁତି ମଞ୍ଜୁସ୍ୱନ,

ତାଳୀ କାନନର ମର୍ମର ଧ୍ୱନିକୁ

ତୁଚ୍ଛ କଲା ଘନ ଘନ ।

ବନ୍ଧା ହୋଇଥିଲେ ଖଜୁରୀ ଗଛରେ

ମଦସ୍ରାବୀ କରୀତତି,

ସେ ମଦ ଗନ୍ଧକୁ ଆଘ୍ରାଣି ମଧୁପେ

ତକ୍ଷଣେ କରିଲେ ଗତି ।

କେ ବା ଗଜପୃଷ୍ଠେ କିଏ ବାଜୀପୁଷ୍ଠେ

କିଏ ବା ଆରୋହି ରଥେ,

ପାରଶିକ ଜୟେ ବୀର ଯୋଦ୍ଧୃବୃନ୍ଦ

ବାହାରିଲେ ସ୍ଥଳ ପଥେ ।

ଯେସନ ସଂଯମୀ ଇନ୍ଦ୍ରିୟକୁ ଦମି

ତତ୍ୱଜ୍ଞାନ ସନ୍ଧାନରେ,

ହୁଏ ଅଗ୍ରସର ତେସନ ଯୋଦ୍ଧାଏ

ଗମିଲେ ଜୟ ଆଶାରେ ।

ରାଘବୀୟ ଚମୂ ପାରାଶିକ ସହ

ମାତିଲେ ତୁମୂଳ ରଣେ,

ବିପକ୍ଷଙ୍କ ଟାଣ ଭାଙ୍ଗିବା ଉଦ୍ଦେଶ୍ୟ

ରଖି ସମର ପ୍ରାଙ୍ଗଣେ ।

ଶ୍ମଶ୍ରୁଳ ଯବନ ଶିର ଶତ ଶତ

କୃପାଣେ ଦେଲେ ଗଡ଼ାଇ,

ଅବଶିଷ୍ଟ ସେନା ପଶିଲେ ଶରଣ

କିଏ ବା ଗଲେ ପଳାଇ !

ସରସୀରୁ ଭାନୁ ନୀର ନାଶେ ଯଥା

ହୁଅନ୍ତି ଉତ୍ତରାୟଣ,

ଗଲେ ଉତ୍ତରକୁ ଦେଶ ଜୟେ ତଥା

ତହୁଁ ରଘୁ ଯୋଦ୍ଧାଗଣ ।

ଜମାଇ ଆସ୍ଥାନ ସିନ୍ଧୁନଦ ତଟେ

ହୁଣ ରାଜ୍ୟେ ପ୍ରବେଶିଲେ,

ଏ ସମୟେ ଆସି ହୁଣବୀରେ ବାଟ

ସେମାନଙ୍କୁ ଓଗାଳିଲେ ।

ଛିନ୍ନଭିନ୍ନ ଅବା ଅସ୍ତବ୍ୟସ୍ତ ହୋଇ

ପଳାଇଲେ ହୁଣବୀରେ,

ସଂଖ୍ୟା ନାହିଁ ତା’ର କତେ ଯେ ମରିଲେ

ଏକାଳେ ଯୁଦ୍ଧ ଭୂଇଁରେ ।

ନାରୀମାନଙ୍କର ଦଳିତ ସିନ୍ଦୂର

କାନ୍ତି ଗଣ୍ଡଭାଲ ଦେଶ,

ଦେଉଥିଲା କହି ଯୁଦ୍ଧ ସମାଚାର

ନଥାଇ ସନ୍ଦେହ ଲେଶ ।

ତଦନ୍ତେ କମ୍ବୋଜ ଦେଶରେ ପ୍ରବେଶି

ଆକ୍ରମନ୍ତେ ଭୀମବଳେ,

ସେ ଦୁର୍ଗବାସୀଏ ବିନମ୍ରେ ଭେଟିଲେ

ଧନରାଶି ପଦତଳେ ।

ଏତେ ଧନରତ୍ନ ଲଭିଲେହେଁ ରଘୁ

ନଥିଲା ଗରବ ମନେ,

ଦେଖି ତାଙ୍କ ରୀତି ହେଉଥିଲେ ଖୁସି

ସଦା ପଦାନତ ଜନେ ।

ହେଉଥାଏ ଟେକି ହୃଦୟ ଫୁଲାଇ

କ୍ଷୁଦ୍ରଲୋକ ସିନା ଭବେ,

ନଥାଏ ହୃଦୟେ ଗର୍ବ ଅଭିମାନ

ମହତ ଲୋକର ଲବେ ।

ଉଚ୍ଚ ହିମାଳୟେ ଚତୁରଙ୍ଗ ସେନା

ଆରୋହଣ ଅନନ୍ତର,

ଦେଖିଲେ ତହିଁରେ ରଘୁଙ୍କ ସମାନ

ବଳୀ କେଶରୀନିକର ।

ନୁଡରି ସେମାନେ ବଦନ ବୁଲାଇ

ଚାହୁଁଥିଲେ ଥରେ ଥରେ,

ବ୍ୟକ୍ତ କରୁଥିଲେ ଅବା ନିର୍ଭୀକତା

ସେନାବାହିନୀ ଆଗରେ ।

ଭୁଜ ପତ୍ର ଦଳ ବାଉଁଶ ରନ୍ଧ୍ରରେ

ମୃଦୁଧ୍ୱନି ଉପୁଜାଇ,

କରିଲା କି ସେବା କୋଶଳେଶ୍ୱରଙ୍କ

କାନନ ମାର୍ଗରେ ଥାଇ ।

ଯିବାବେଳେ ରଘୁ ଗିରି ଉଠି ଉଠି

ତାଙ୍କ ସେନା ଦଳେ ଦଳେ ,

ହରୁଥିଲେ ଶ୍ରମ ମହା ହରଷରେ

ଦେବଦାରୁ ଛାୟତଳେ ।

ଗିରି ପୃଷ୍ଠଦେଶେ ‘ଗଣ’ ନାମେ ଏକ

ଜାତି କରୁଥିଲେ ବାସ,

ରଘୁଙ୍କ ସହିତ ଯୁଝିଲେ ସେମାନେ

ଦେଖାଇ ଅତି ସାହସ ।

କିନ୍ତୁ ଗଣମାନେ ରଘୁ ବାହିନୀଙ୍କ

ଅନୁଭବି ବାହୁବଳ,

ଯୁଦ୍ଧ ଛାଡ଼ିଦେଇ ଅର୍ପିଲେ ରଘୁଙ୍କୁ

ଯା ଥିଲା ତାଙ୍କ ସମ୍ବଳ ।

ପ୍ରାଗ ଜ୍ୟୋତିଷର ନରପତି ଶୁଣି

ରଘୁଙ୍କର ଆଗମନ,

ତାଙ୍କ ପଦ ଧୋଇ ଦେଲେ ଉପହାର

ବଡ଼ ବଡ଼ କରୀମାନ ।

ବହୁସ୍ଥାନ ବୁଲି ବହୁ ରତ୍ନ ଲଭି

ସେନାବାହିନୀ ସହିତ,

ବହୁଦିନ ପରେ ଫେରିଲେ ନୃପତି

ପୂରେ ହୋଇ ପୁଲକିତ ।

ଉଷାକାଳେ ରବି ଆଗମନ ଦେଖି

ପଦ୍ମିନୀ ଆନନ୍ଦ ଯଥା,

ନରପତିଙ୍କର ପ୍ରତ୍ୟାବର୍ତ୍ତନରେ

ଅଯୋଧ୍ୟାବାସୀଏ ତଥା ।

ନବରେ ପ୍ରବେଶ କରନ୍ତେ ନରେଶ

ପୁଲକିତ ମହିଳାଏ,

ଜଣାଗଲା ଏବେ ବିଧୁ ଦରଶନେ

କୁମୁଦିନୀର ପରାଏ ।

ପ୍ରଜାହିତ ଲାଗି ଜଳାଶୟମାନ

ଖୋଳାଇଲେ ନୃପବର,

ରାଜ୍ୟ ସମାଚାର ଅବଗତି ପାଇଁ

ରଖିଥାନ୍ତି ଗୁପ୍ତଚର ।

ଇତି ଭୟ କେବେ ନଥିଲା ଦେଶରେ

ରାଜାଙ୍କ ନ୍ୟାୟ ଶାସନେ,

ଯାଗ କରି କରି ସାରୁଥିଲେ ଧନ

ରାଜ୍ୟର ହିତ ସାଧନେ ।

★★★

 

ପଞ୍ଚମ ସର୍ଗ

 

ଦକ୍ଷିଣା ଦାନରେ ସର୍ବସ୍ୱାନ୍ତ ରଘୁ

ରହିଥିଲେ ଶୂନ୍ୟପୁରେ,

ଦିନେ କୌତ୍ସମୁନି ପ୍ରବେଶିଲେ ଆସି

ତାହାଙ୍କ ରାଜ ନବରେ ।

ବେଦବିଶାରଦ ଅତିଥିଙ୍କୁ କରି

ଭକ୍ତିଭରେ ଅଭ୍ୟର୍ଥନା,

ମୃତ୍ତିକା ପାତ୍ରରେ ଅର୍ଘ୍ୟ ଥୋଇ ଦେଇ

କରିଲେ ତାଙ୍କୁ ଅର୍ଚ୍ଚନା ।

ଯାଗ ଦକ୍ଷିଣାରେ ଦାନ କରି କରି

ନଥିଲା କିଛି ତାଙ୍କର,

କୃତାଞ୍ଜଳିପୁଟେ ନିରାଜନା କରି

ପୁଚ୍ଛିଲେ ତଦନନ୍ତର ।

ତବ ଗୁରୁଦେବ କୁଶଳେ ଆନନ୍ଦେ

ଅଛନ୍ତିତ ତପୋବନେ ?

କିଛି ଗୁରୁତର ବାଧାବିଘ୍ନ ଯୋଗେ

ଅଛନ୍ତି କି ଦୁଃଖ ମନେ ?

ମୃଗ ଶିଶୁମାନେ ହେଉ ନାହାନ୍ତି ତ

ଆଶ୍ରମେ ଅକାଳେ ନାଶ,

ନିତି ନିତି ଦାନ କରି ପୁଣ୍ୟତୀର୍ଥେ

ପୂରୁଛି କି ଅଭିଳାଷ ?

ହେ ପୁଣ୍ୟାତ୍ମାବର ଆସିଛ କିମର୍ଥେ

କୃପାକରି କହ ଥରେ ?

ଏ ରୂପ ବଚନ ଶୁଣି ନୃପଙ୍କର

ବୋଇଲେ ମୁନି ମୋଦରେ ।

ତବତୁଲ୍ୟବ ନାଥ ଥାଉଁ ଥାଉଁ ରାଜ୍ୟେ

ଅଶୁଭ ହୁଏ କି କା’ର ?

ଯେକାଳେ ଚଣ୍ଡାଂଶୁ ହୁଅନ୍ତି ଉଦିତ

ରହେ କି ତମ ଧରାର ।

ପାଉଅଛି ଶୋଭା ସତ୍‌ପାତ୍ରରେ ଦାନ

କରି କରି ନିରନ୍ତର,

ଯାଗ କରି କରି ଦକ୍ଷିଣା ଦାନରେ

ଶୂନ୍ୟ କି ଭଣ୍ଡାର ଘର ?

ବାଞ୍ଛିତ ପଦାର୍ଥ ମିଳିବାର ଆଶା

ଦିଶୁନାହିଁ ମୋତେ ଆଉ,

ଭଲ ଲାଗୁନାହିଁ ଯାଚକ ଫେରିବା

ତୁମ୍ଭେ ରାଜା ଥାଉ ଥାଉ ।

ଆଶାୟୀ ଚାତକ ଶାରଦ ନୀରଦେ

ମାଗଇ କି କେବେ ଜଳ,

ଅବା ପତ୍ରହୀନ ତରୁ ଛାୟାତଳେ

ପଥିକ ଆଶା ସଫଳ ?’’

ଆଶୀର୍ବାଦ ଦେଇ ଉଠନ୍ତେ ଯିବାକୁ

ଏହା କହି ମୁନିବର,

ପୁଚ୍ଛିଲେ ନୃପତି ଇଚ୍ଛ କି ସମ୍ପତ୍ତି

କହ ହେ ତାପସବର !

ନିବେଦିଲେ ତହୁଁ ବ୍ରହ୍ମଚାରୀ କୌତ୍ସ-

ମୁନି ଦିଲୀପ ତନୟେ,

ଚତୁର୍ଦ୍ଦଶ କୋଟି ସ୍ୱର୍ଣ୍ଣମୁଦ୍ରା ଲୋଡ଼ା

ବୋଲି ଅତି ସବନୟେ ।

ଯାଚକ ବ୍ରାହ୍ମଣ ରଘୁ ପାଶେ ଆସି

ଫେରିଗଲେ ଭଗ୍ନମନେ,

ଯଶ ହେବ ନାଶ ଯତନ କରିବି

ରହ ମାତ୍ର ଆଉ ଦିନେ ।

ଅବ୍ୟର୍ଥ ପ୍ରତିଜ୍ଞା ବାକ୍ୟ ରଘୁ ମୁଖୁଁ

ଶୁଣି ବିପ୍ର ମୋଦଭରେ,

‘ତଥାସ୍ତୁ, ତଥାସ୍ତୁକହି ଆଶ୍ରାନେଲେ

ଆଉ ଦିନେ ମନ୍ଦିରରେ ।

କୁବେରଙ୍କଠାରୁ ଆଣିବାକୁ ଧନ

ଇଚ୍ଛି ଦିଲୀପ ନନ୍ଦନ,

ବଶିଷ୍ଠଙ୍କ ମନ୍ତ୍ର ପ୍ରଭାବେ ଯିବାକୁ

ସଜାଇଲେ ସ୍ୱସ୍ୟନ୍ଦନ ।

ରଘୁଙ୍କ ସଂକଳ୍ପ ଜାଣି ଧନପତି

ଯୁଦ୍ଧଯାତ୍ରା ପୂରୁବରୁ ,

ବହୁ ସ୍ୱର୍ଣ୍ଣମୁଦ୍ରା ଅଲକ୍ଷିତ ଭାବେ

ଅଜାଡ଼ିଲେ ଗନ୍ତାଘରୁ ।

ଆଚିମ୍ବିତେ ଧନ ପୂରିଥିବା ଦେଖି

ରଘୁଙ୍କର ଗନ୍ତାଘର,

ଭଣ୍ଡାର ରକ୍ଷକେ ଯାଇ ନିବେଦିଲେ

ଏହି ମଙ୍ଗଳ ଖବର ।

ପ୍ରାର୍ଥନାରୁ ବଳି ଧନ ଦେବାଲାଗି

ପାରିଲେ ହେଁ ନୃଫବର,

ଗୁରୁ ଦକ୍ଷିଣାରୁ ଅଧିକା ନେବାକୁ

ନଥିଲା ଇଚ୍ଛାତାଙ୍କର ।

ଅଯୋଧ୍ୟାବାସୀଏ ବିବିଧ ପ୍ରକାରେ

ପ୍ରଶଂସି ସେ ବେନିଜନେ,

ଶତ ଶତ ଉଷ୍ଟ୍ର ଅଶ୍ୱପୃଷ୍ଠେ ଲଦି

ପଠାଇଲେ ହୃଷ୍ଟ ମନେ ।

ସୁଦାନୀ ରାଜାଏ ଧରଣୀ ମଣ୍ଡଳୁ

ଲଭନ୍ତି ଯେବେଟି ଧନ,

ବାଞ୍ଛିତ ବିଷୟେ ଇଚ୍ଛାମତେ ତାହା

କରନ୍ତି ସତତ ଦାନ ।

ମାନବର ସୁଖ ଯାହା ଯାହା ଲୋଡ଼ା

ପୂର୍ଣ୍ଣଭାବେ ତବଠାରେ,

ଅଛି ସେ ସକଳ କିନ୍ତୁ ଅପୁତ୍ରିକ

ହୋଇଅଛ ବସୁଧାରେ ।

ତବ ଅନୁରୂପ ପ୍ରିୟତମ ସୁତ

ଲଭ ହେ ନୃପପତିବର !

ଏହି ଆଶୀର୍ବାଦ ଦେଇ କୌତ୍ସମୁନି

ଆଶ୍ରମେ ଗଲେ ସତ୍ୱର ।

ଲଭିଲେ ମହିଷୀ ଆଶାପ୍ରଦ ଗର୍ଭ

ଯଥାକାଳେ ମୁନିବରେ,

ଦଶମାସ ଅନ୍ତେ ପ୍ରସବିଲେ ସେହି

ସୁତ ବ୍ରାହ୍ମ ମୁହୂର୍ତ୍ତରେ ।

‘ଅଜ’ ବୋଲି ପିତା ଦେଇଥିଲେ ନାମ

ମୋଦଭରେ ପୁତ୍ରଙ୍କର,

ନଥିଲା ଭିନ୍ନତା କିଛି ପିତାସହ

ନବ ଜାତ ଶିଶୁଟିର ।

କ୍ରମେ କ୍ରମେ ବାଲ୍ୟ- କାଳ ଅତିକ୍ରମି

ଯଥାକାଳେ ଧରି ଖଡ଼ି,

ଅଗାଧ ପାଣ୍ଡିତ୍ୟ ଲଭିଲେ ସେ ସୁତ

ଗୁରୁଦତ୍ତ ବିଦ୍ୟା ପଢ଼ି ।

ଯୌବନ ସମୟ ହେବାରୁ ତାଙ୍କର

ଦିଶିଲେ ମଞ୍ଜୁଳତର,

ପରିଣୟଯୋଗ୍ୟା କନ୍ୟାଟିଏ ଲାଗି

ଖୋଜାଇଲେ ନୃପବର ।

ଏକାଳେ ବିଦର୍ଭ ପତି ଭୋଜରାଜ

ବିଶ୍ୱସ୍ତ ଦୂତ ପଠାଇ,

ତାଙ୍କ ଭଗ୍ନୀ ଇନ୍ଦୁ- ମତୀ ସ୍ୱୟମ୍ବରେ

ଅଜଙ୍କୁ ଦେଲେ ଡକାଇ ।

ସମୃଦ୍ଧିଶାଳିନୀ ବିଦର୍ଭ ଦେଶକୁ

ଶୁଭ ଅନୁକୂଳ କରି,

ବାହାରିଲେ ଅଜ ସୁସଜ୍ଜିତ ସୈନ୍ୟେ

ସଙ୍ଗେ ପାତ୍ର ମିତ୍ର ଧରି ।

ଯିବାବେଳେ ମାର୍ଗେ ମହା ଆଡ଼ମ୍ୱରେ

ଆସି ଗ୍ରାମବାସୀତତି,

ଆଣି ଭେଟିମାନେ କଲେ ସମର୍ପଣ

ଦେଖାଇ ରାଜ ଭକତି ।

ଅସ୍ତାଚଳେ ରବି କରନ୍ତେ ପ୍ରବେଶ

ଶିବିର କରି ସ୍ଥାପନ,

ଯୁବରାଜ ଅଜ ମହା ହୃଷ୍ଟମନେ

ରଜନୀ କଲେ ଯାପନ ।

ବିଭାବରୀ ଅନ୍ତେ ବାହାରି ସକଳେ

ବିଦର୍ଭ ଅଭିମୁଖରେ,

ପ୍ରବେଶିଲେ ଯାଇ ଉତ୍‌ଫୁଲ୍ଲ ଆନନେ

ରେବା ତଟିନୀ ତଟରେ ।

ଶ୍ୟାମଳ କରଞ୍ଜ ବୃକ୍ଷ ଦେଉଥିଲା

ମନେ ଆନନ୍ଦ ଅପାର,

ଉଦ୍ୟାନ ବିହାର ପରି ମନେ ହେଲା

ଦେଖି ସୁଷମା ତାହାର ।

ଏକାଳେ ସହସା ଦେଖାଦେଲା ଆସି

ମଦମତ୍ତ ଦନ୍ତାବଳ,

ତା’ ମଦ ଗନ୍ଧକୁ ବାରି ଚଉଦିଗୁ

ଆସିଲେ ମିଲିନ୍ଦ ଦଳ !

ପ୍ରବଳ ବେଗରେ ଧାଇଁଲା ସେ ତହୁଁ

ଉପରକୁ ପୁଚ୍ଛ ଟେକି,

ବନ୍ଧା ହୋଇଥିଲେ ଯହିଁ କରୀମାନେ

ତାଙ୍କୁ ନିରେଖି ନିରେଖି ।

ମାହୁନ୍ତର ଶୃଣି ଆଘାତ ନମାନି

ପଳାଇଲେ ସେ ବାରଣେ,

ଅସ୍ତବ୍ୟସ୍ତ ହୋଇ ଶୁଣ୍ଢ ଟେକି ଟେକି

ଛିଣ୍ଡାଇ ଯୁତ ତକ୍ଷଣେ ।

ରାଜାମାନଙ୍କର ବଧ୍ୟ ନୁହେଁବୋଲି

ଜାଣି କାର୍ମୁକକୁ ଧରି ,

ରଘୁଙ୍କ ତନୟ କଲେ ଶରାଘାତ

ଅଳ୍ପ ଆକର୍ଷଣ କରି ।

ନିବାରିବା ପାଇଁ ସେ ଦନ୍ତାବଳକୁ

କରନ୍ତେ ଆଘାତ ଶର,

କୁମ୍ଭୀରୂପ ଛାଡ଼ି ଜନ୍ମାଇ ଆଶ୍ଚର୍ଯ୍ୟ

ଧଇଲା ଦେବ ଶରୀର ।

କୁମାର ମସ୍ତକେ କରି ସେ ବର୍ଷଣ

କଳ୍ପଦ୍ରୁମ ପୁଷ୍ପାବଳୀ,

ନିବେଦିଲେ ତହୁଁ ଗଦ୍‌ଗଦ କଣ୍ଠରେ

ବାକ୍‌ପଟୁ ପୁରୁଷଭଳି ।

‘‘ଗନ୍ଧର୍ବ ପତିଙ୍କ ପ୍ରିୟ ମ୍ବୁତ୍ର ମୁହିଁ

ପ୍ରିୟମ୍ବଦ ନାମେ ଖ୍ୟାତି,

ମାତଙ୍ଗ ଋଷିଙ୍କ ଅଭିଶାପ ଯୋଗେ

ହୋଇଥିଲି ମତ୍ତହାତୀ ।

ଏଥିରୁ ମୋଚନେ କରନ୍ତେ ଗୁହାରି

ପ୍ରଣାମ କରି ବିନୟେ

ତାହାଙ୍କ ଚରଣେ, ଶାନ୍ତ ହୋଇ ଋଷି

କହିଲେ ମୋତେ ସଦୟେ,

ଇକ୍ଷ୍ୱାକୁ ବଂଶୀୟ ଅଜ ଆସି ଯେବେ

ବାଣେ କରିବେ ଭେଦନ,

ପାଇବ ସ୍ୱରୂପ ଏହି ଅଭିଶାପୁଁ

ସେକାଳେ ଲଭି ମୋଚନ ।

ଦରଶନ ଆଶେ ରହିଥିଲି ଟାକି

ସେହିଦିନୁ ଚିନ୍ତାକରି,

ହେଲି ଏଥୁଁ ମୁକ୍ତ ତବ ଦୟାବଶୁଁ

ଯାଉଛି ମୋ ରୂପ ଧରି ।

ପ୍ରତି ଉପକାର ନ କରିଲେ କିଛି

କି ବୋଲିବେ ମୋତେ ଜନେ,

ତେଣୁ ସମ୍ମୋହନ ଅସ୍ତ୍ର ଏହି ନେଇ

ରଖିଥିବ ମୋତେ ମନେ ।

ଏ ଅସ୍ତ୍ର ପ୍ରୟୋଗେ ଭିନ୍ନ ଭିନ୍ନ ମନ୍ତ୍ରେ

ନରହିବେ ବୈରିରାଜି,

ସମର କ୍ଷେତ୍ରରେ ନମରି ବିପକ୍ଷେ

ରହିଥିବେ ମୂର୍ଚ୍ଛା ଭଜି ।

ଗନ୍ଧର୍ବାସ୍ତ୍ର ମନ୍ତ୍ର ତାଙ୍କଠାରୁ ଲଭି

ଗନ୍ତବ୍ୟମାର୍ଗେ ଯେ ଯାର,

ଗମିଲେ ହରଷେ ଅବିଳମ୍ବେ କରି

ବିଭୁପଦେ ନମସ୍କାର ।

ଅଜ ଆଗମନେ ଆହ୍ଲାଦିତ ମନେ

ଅଭ୍ୟର୍ଥନା ତାଙ୍କୁ କରି,

ବିଦର୍ଭ ଈଶ୍ୱର ସ୍ୱୟମ୍ବର ସ୍ଥାନେ

ନେଲେ ତାଙ୍କ ହାତଧରି ।

ମଙ୍ଗଳ ଗୀତରେ ମିଶି ଚଉଦିଗେ

ଶୁଭୁଅଛି ହୁଳହୁଳି,

ବିଧୁ ଦେଖି ବିଚୀ- ମାଳ ଘନ ଘନ

ପଡ଼ିଲା ଅବା ଉଛୁଳି !

ରାଜେ ରାଜଧାନୀ ଅଟ୍ଟାଳିକା ମାଳେ

ଚୁମ୍ବି ଅନ୍ତରୀକ୍ଷ ଦେଶ,

ତହିଁପରେ ବସି ସୀମନ୍ତିନୀଗଣ

କରୁଥିଲେ କେଶ ବେଶ ।

ଯାଇଅଛି ମିଶି ଘଣ୍ଟର ନିନାଦ

ବୃଂହିତ ହ୍ରେଷାରବରେ,

ବାବାଜିପଟଳୀ ମାତିଛନ୍ତି କାହିଁ

ହରିନାମ କୀର୍ତ୍ତନରେ ।

ବେହେଲା ସୀତାର ବାଜା ବାଜିବାରୁ

ଉଷ୍ଟ୍ରବ୍ରଜ ଛନ୍ନ ଛନ୍ନ,

ବାରବିଳାସିନୀ ସଙ୍ଗୀତ ରସରେ

ହରୁଥିଲେ ଜନମନ ।

ତାପସ ପଟଳୀ ବେଦ ପଢ଼ି ପଢ଼ି

ପୁହାଇଲେ ବିଭାବରୀ,

ସାମନ୍ତ ରାଜାଏ ପହଞ୍ଚିଲେ ଆସି

ଉପଢଉକନ ଧରି ।

ସଜ ସରସିଜ ରବିକର ପଡ଼ି

ହସି ଉଠଇ ଯେମନ୍ତି,

ବଦର୍ଭ ନଗର ଅଜ ପଦ ବାଜି

ମାତିଲା ମୋତେ ତେମନ୍ତ ।

★★★

 

ଷଷ୍ଠ ସର୍ଗ

 

ଇନ୍ଦୁମତୀଙ୍କର ଶୁଭ ପରିଣୟ

ଶୁଣି ଯୁବରାଜ ରାଜା,

ରୁଣ୍ଡ ହୋଇଛନ୍ତି ନାନା ଦେଶୁଁ ଆସି

ବିଦର୍ଭ ନଗରେ ଆଜି ।

ପଟ୍ଟମଣ୍ଡପରେ ହୋଇଥିଲା ସଜ୍ଜା

ରମଣୀୟ ମଞ୍ଚଟିଏ,

ଚାରୁ ବେଶଧରି ବସିଥିଲେ ଆସି

ତହିଁ ଗୋଟିଏ ଗୋଟିଏ ।

ହାତକୁ ହାତରେ ମିଶାଇ ଦେବାକୁ

ପୋଷି ଆଶା ମନେ ମନେ,

ରହିଥିଲେ ଟାଳି ସେ ଶୁଭ ମୁହୂର୍ତ୍ତ

ସର୍ବେ ଆହ୍ଲାଦ ବଦନେ ।

ମନୋହର ଜରି ଦିଶେ ଜକ ଜକ

ପିନ୍ଧିବା ଆଭରଣରେ ,

ହିମବିନ୍ଦୁ ଜାଳ ଦିଶୁଥାଏ ଯଥା

ପଡ଼ି ନବ ପଲ୍ଲବରେ ।

ବେନିଙ୍କର ତୁଳନା କରିବେ ବେନିଏ

ଆଜି ଏ ପୁଣ୍ୟ ବାସରେ,

ହୁଅଇ ମଣିଷ ଛଟପଟ ସିନା

ଘଟେ ଯା ଭାଗ୍ୟ ବଶରେ ।

ରଘୁ ରାଜସୁତ ଅଜ ଯୁବରାଜ

ଉଠିଲେ ମଞ୍ଚ ଉପରେ,

ଉଠଇ ଅକ୍ଳେଶେ କଣ୍ଠୀରବ ଶିଶୁ

ଯଥା ଶିଖରୀ ଶିଖରେ ।

ପଡ଼ିଲା ସହସା ପୁରଜନଙ୍କର

ଅଜଙ୍କ ପରେ ନୟନ,

ଶୁଭିଲା ଏକାଳେ ମଙ୍ଗଳ ସୂଚକ

ଶଙ୍ଖସ୍ୱନ ଘନ ଘନ ।

ମୃଦୁ ପବନରେ ଚନ୍ଦନ ଧୂପର

ଧୂମ ହୋଇ ସଞ୍ଚାରିତ,

ଜନ ଗହଳିର ଦୁର୍ଗନ୍ଧ ବାୟୁକୁ

ନିବାରି ଦେଲା ତ୍ୱରିତ ।

ଦାସୀ ପରିବୃତା ଜେମାଙ୍କୁ ଆଣନ୍ତେ

ସଭା ମଣ୍ଡପେ ରାଜନ,

ବୈତାଳିକଗଣ ଆଶାୟୀମାନଙ୍କ

ଆରମ୍ଭିଲେ ଯଶୋଗାନ ।

ଜେମାଙ୍କର ସଖୀ ସୁନନ୍ଦା ଏ ଅନ୍ତେ

ଜେମାମଣି ପାଶେ ଯାଇ,

ଗୋଟି ଗୋଟି କରି ଦେଲା ପରିଚୟ

ଯୁବାମାନଙ୍କୁ ଦେଖାଇ ।

ମଗଧର ରାଜା ଏହି ଯୁବାମଣି

ଦେଖ ଆଗୋ, ବାଳାମଣି,

ପ୍ରକୃତି ରଞ୍ଜନେ ପ୍ରକୃତି ତାଙ୍କର

ଭୂପମାନଙ୍କ ଅଗ୍ରଣୀ ।

ଶରଣାର୍ଥୀଙ୍କର ଆଶ୍ରୟ ଦାତାଏ

ପରନ୍ତପ ୟାଙ୍କ ନାମ,

ଦେଇଥାନ୍ତି ମନ ପ୍ରଜାହିତେ ପୁଣି

ଧର୍ମ କର୍ମେ ଅବିରାମ ।

କିଛି ହିଁ ନକହି ମୁହଁ ଲେଉଟାଇ

ଗଲେ ସେ ଦୁହେଁ ଏକାଳେ,

କୁଟିଳ ନୟନେ କହିଲା ସୁନନ୍ଦା

ଦେଖ ଗୋ, ଅଙ୍ଗ ଭୂପାଳେ ।

ଯାହାକୁ ଇଛନ୍ତି ସୂର ଅଙ୍ଗନାଏ

ସଦା ଯଉବନ ଭୋଗ,

ରଣେ ସଦା ନାଶ କରିନ୍ତି ବିପକ୍ଷେ

ବରିନିଅ ଥିଲେ ଯୋଗେ ।

ଲକ୍ଷ୍ମୀ ସରସ୍ୱତୀ ଭିନ୍ନ ଭିନ୍ନ ସ୍ଥାନେ

ସ୍ୱଭାବେ କରନ୍ତି ବାସ,

ମାତ୍ର ନିର୍ବିବାଦେ ଏକତ୍ର ଆନନ୍ଦେ

ଏଥି କରନ୍ତି ବିଳାସ ।

ସୁମଧୁର ଗିରେ ସୁନ୍ଦର ପଣରେ

ଲକ୍ଷ୍ମୀ ସରସ୍ୱତୀ ପରି,

ତୁମ୍ଭେ ହେ କଲ୍ୟାଣି, ଇଚ୍ଛାଥିଲେ ତୋର

ନିଅହେ ଏହାଙ୍କୁ ବରି ।

ପାଲଟାଇ ଆଖି ଅଙ୍ଗ ନୃପଠାରୁ

ଚାଲ ବୋଲି ମୃଦୁସ୍ୱରେ,

ସଖୀ ସୁନନ୍ଦାକୁ କହିଲେ କୁମାରୀ

ଅନ୍ୟେ ଦେଖାଇ ଆଗରେ ।

କହିଲା ସୁନନ୍ଦା ଅବନ୍ତି ନାୟକ

ଦିଶନ୍ତି ରବିଙ୍କ ପରି,

ଅଖଣ୍ଡ ପ୍ରତାପ- ଶାଳୀ ଏ ଭୂପତି

ନୋହିବ କେ ୟାଙ୍କ ସରି ।

ଯୁଦ୍ଧଯାତ୍ରା ବେଳେ ମହା ଆଡ଼ମ୍ବରେ

ଗଜବାଜୀ ରାଜି ଧରି,

ଗମନ୍ତେ, ବିପକ୍ଷେ ଦରଶନ କରି

ପଛାନ୍ତି ଏହାଙ୍କୁ ଡରି ।

ଆସକ୍ତ ନୋହିଲା ସୁକୁମାରୀ ମନ

କିନ୍ତୁ ସେ ନୃପତି ପ୍ରତି,

ଇନ୍ଦୁ ପ୍ରଣୟିନୀ କୁମୁଦିନୀର କି

ରହେ ଭାନୁପରେ ମତି ?

ଏ ଅନ୍ତେ ସୁନନ୍ଦା ଅନୁପ ଦେଶର

ଭୂପ ସନ୍ନିଧିକୁ ନେଇ,

ଭାଷିଲା ଚଞ୍ଚଳା ଏହାଙ୍କ ନବରେ

ରହନ୍ତି ଅଚଳା ହୋଇ ।

ପୁନିଅଁ ଚନ୍ଦ୍ରମା ହୁଏନାହିଁ ଯେହ୍ନେ

ନଳିନୀର ରୁଚିକର,

ହେଲେନାହିଁ ନୃପ ଇନ୍ଦୁମତୀଙ୍କର

ତେହ୍ନେ ନେତ୍ରାନନ୍ଦକର ।

ଏଅନ୍ତେ ସେ ଧାଇଁ ଲେଉଟି ସେଠାରୁ

ଜେମାଙ୍କୁ ଘେନି ସଙ୍ଗରେ,

ସୁରସେନ ନାଥ ସୁଷେଣ ନିକଷା

ପ୍ରବେଶିଲେ ଅତି ଖରେ ।

ଯେତେ ଟେକାଟେକି କଲେହେଁ ସୁନନ୍ଦା

ନଶୁଣି ତା’ର ବଚନ,

ଗତି ବକ୍ରକରି ଭୋଜଙ୍କ ଭଗିନୀ

ଆଗକୁ କଲେ ଗମନ ।

କହେ ଉପମାତା ଜେମାଙ୍କୁ ଅନାଇଁ

ନୃପତି ଏ କିଳିଙ୍ଗର,

ବରିଲେ ଏହାଙ୍କୁ ଆଗୋ ଚଳାପାଙ୍ଗି

ଦିଶିବ କେଡ଼େ ସୁନ୍ଦର ।

ଦୁର୍ଲ୍ଲଭ ଶାୟକ ଲଭିଛନ୍ତି ଏହୁ

ଶିବଙ୍କୁ ତୋଷି ତପରେ,

ସକଳ ଯୋଦ୍ଧାଏ ସେ ଶର ପ୍ରଭାବେ

ଡରନ୍ତି ତାଙ୍କୁ ସମରେ ।

ରୂପସୀ ହୃଦୟେ ନ ପାରିଲା ପଶି

ଉପମାତା ଉପଦେଶ,

ପଦ୍ମିନୀ କୋରକେ ନିଶାକରକର

କରେ କି କେବେ ପ୍ରବେଶ ?

ଇନ୍ଦୁ ମନଜାଣି ଉପମାତା ତହୁଁ

ଅନ୍ୟ ଯୁବା ସମୀପରେ,

ଉପସ୍ଥିତ ହୋଇ କହିଲା ଗୋ, ସଖି

ଅନାଅଁ ଆଗକୁ ଥରେ ।

ପାଣ୍ଡ୍ୟଦେଶାଧିପ ରକ୍ତ-ଚନ୍ଦନରେ

ତନୁ କରି ସୁରଞ୍ଜିତ,

ସ୍କନ୍ଧରେ ଲମ୍ବାଇ ରମ୍ୟ ମୁକ୍ତାହାର

ଦିଶନ୍ତି ଅତି ଶୋଭିତ ।

ସୁନାନ୍ଦା ଉକ୍ତିରେ ନମାନିଲା ମନ

ଜେମାମଣିଙ୍କ ଏକାଳେ,

ବର୍ଷାବାରି ସ୍ନେହୀ ଚାତକ କେବେକି

ରସେ ପଦ୍ମାକର ଜଳେ ।

ପାଶେ ଉପବିଷ୍ଟ ରଘୁଙ୍କ ନନ୍ଦନ

ଅନାଇଁ ଅନୁରାଗରେ,

ପ୍ରୀତି ଦୃଷ୍ଟିରଖି ବରମାଳା ନେଇ

ଲମ୍ବାଇ ଦେଲେ କଣ୍ଠରେ ।

ସ୍ୱୟମ୍ବର ସ୍ଥଳ କମ୍ପିଲା ହରଷେ

ବର କନ୍ୟାଙ୍କ ମିଳନେ,

ଉଚ୍ଛୁଳେ ଯେସନ ବାରିଧି ତରଙ୍ଗ

କଳାନିଧି ଆଗମନେ ।

ଦଇବ ନାଉରୀ ଏ ଜୀବନ ତରୀ

ଚଳାଉଛି ଅହରହ,

ଲଭେ କି ମଣିଷ ଧନ ଅବା ଯଶ

ନଥିଲେ ତା’ ଅନୁଗ୍ରହ ।

କେବେ କାହା ମୁଣ୍ଡ କୁସୁମ ବରଷେ

ନଜାଣି ପାରେ କେ ଲବେ,

ନିୟତି ଚକ୍ରରେ ଘୂରି ଘୂରି ସିନା

ଭୋଗନ୍ତି ଫଳ ସରବେ ।

କିଏ ବା ନିନ୍ଦିଲା ନିଜ କପାଳକୁ

କିଏ ଅବା ଭେଷଭୂଷା,

ଦିଶିଲେ ପାଣ୍ଡୁର ଉଷା ତାରା ପରି

ବିଫଳ ରାଜାଙ୍କ ତୃଷା ।

★★★

 

ସପ୍ତମ ସର୍ଗ

 

ଭଗ୍ନ ମନୋରଥ ହୋଇ ନୃପତିଏ

ନିଜ ଶିବିରେ ଗମନ୍ତେ,

ଭୋଜରାଜ ଅଜ ଅନୁଜାଙ୍କୁ ଘେନି

ଆସିଲେ ପୁରେ ଏ ଅନ୍ତେ ।

ହୁଳହୁଳି ନାଦେ କମ୍ପିଲା ଗଗନ,

ଦେଖି ବରବଧୂ ବେନି,

ଆସିଲା ତତ୍‌କ୍ଷଣେ ଅଳତା ସିନ୍ଦୂର

ନାପିତୁଣୀ କରେ ଘେନି ।

ପୁଲକେ ଅଧୀରା ପୁର ରମଣିଏ

ପରିଣୟ ସଜଧରି,

ଆସିଲେ ସେଠାକୁ ହୁଳହୁଳି ଦେଇ

ହଲି ହଲି ହଂସୀ ପରି ।

କେ ଦେଲା ସିନ୍ଦୂର କେ ଦେଲା ଅଳତା

କିଏ ବା କୁସୁମ ମାଳ,

ପୁରୋହିତ ବସି କଲେ ମନ୍ତ୍ରପାଠ

ଦେଖିଣ ବିବାହ କାଳ ।

ସାକ୍ଷୀ କରି ଶିଖୀ ସଦ୍ୟ ଗବ୍ୟଘୃତେ

ଆହୁତି ପ୍ରଦାନ କରି,

ନବୀନ ସୂତ୍ରରେ ବାନ୍ଧିଦେଲେ ସେହୁ

ଦୁହିଁଙ୍କର କରଧରି ।

କୋମଳ କନ୍ୟାର କରକୁ ସ୍ୱକରେ

ଧଇଲେ କୁମାରବର,

ମିଶିଗଲା କିରେ ପଦ୍ମିନୀ ସଙ୍ଗରେ

ନବ ପ୍ରଭାକର କର !

ହାତ ଧରାଧରି ହେଉଁ ହେଉଁ ଦୁହେଁ

ଦୁହିଁଙ୍କୁ ଦେଖିବା ପାଇଁ,

ଲାଳାୟିତେ ତାଙ୍କ ସତୃଷ୍ପ ନୟନ

ଲୀଳାୟିତେ ଗଲା ଧାଇଁ ।

ହସ୍ତଗ୍ରନ୍ଥି କାଳେ ବିନ୍ଦୁ ବିନ୍ଦୁ ଝାଳେ

ଭିଜିଗଲା ଗଣ୍ଡଦେଶ,

ବରକନ୍ୟାଙ୍କର ସାତ୍ତ୍ୱିକ ବିକାରେ

ଲଜ୍ଜା କି କଲା ପ୍ରବେଶ !

ପ୍ରଦକ୍ଷିଣ କରି କିଶୋର କିଶୋରୀ

ପ୍ରଜ୍ଜ୍ୱଳିତ ହୋମାନଳ,

ପରସ୍ପର ମିଳି ଲାଜା ସହିତରେ

କଲେ ବିସର୍ଜନ ଜଳ ।

ଘନ ଘନ ଶିଖା ପାବକରୁ ଏଣେ

ଉଠି ହବି ସଂଯୋଗରେ,

କର୍ଣ୍ଣ ଭୂଷଣର ବଢ଼ାଇଲା କାନ୍ତି

ବାଜି କୁମାରୀ ଗଣ୍ଡରେ ।

କୌଳିକ ପ୍ରଥାରେ ବନ୍ଦିଲେ ବାମାଏ

ହଳଦିଆ ଚାଉଳରେ,

ତଦନ୍ତେ ବାନ୍ଧବ ସହିତ ଆଶିଷ

ଦେଲେ ସ୍ନାତକ ନିକରେ ।

ରଜାଘର ବିଭା ଦିଶୁଅଛି ଶୋଭା

ବିବିଧ ସାଜ ସଜ୍ଜାରେ,

କର୍ଣ୍ଣ ରସାୟନ ଗାନ ଶୁଣି ଶୁଣି

ମାତିଲେ ସର୍ବେ ମଜାରେ ।

ଖଞ୍ଜନ ନୟନା ବାରଙ୍ଗନାମାନେ

ଅଞ୍ଜନ ନେତ୍ରେ ଲଗାଇ,

ଅଙ୍ଗ ଭାଙ୍ଗି ଠାଣି ଦେଖାଇ ଦେଖାଇ

ମାନସ ଦେଲେ ଭୁଲାଇ ।

କୁତୂହଳା ହୋଇ ମହିଳାଏ କେତେ

ପ୍ରାସାଦ ଉପରେ ଚଢ଼ି,

ଦେଖୁଥିଲେ କିରେ ଅତି ମୋଦଭରେ

ବାରବନିତାଙ୍କ ଛଡ଼ି ।

ଅଟ୍ଟାଳୀ ଉପରେ ଦୀପାବଳି ପୁଣି

ମାର୍ଗେ ଦିହୁଡ଼ି ଲଗାଇ-

ବାରୁ ଚଉଦିଗେ ଆଲୋକିତ ହୋଇ

ଜ୍ୟୋତ୍ସ୍ନାକୁ ଦେଲା ଘୋଡ଼ାଇ ।

ହେବାରୁ ଯାମିନୀ ବସି ଭାମିନିଏ

ହେଲେ କୁହାକୋହି ଧୀରେ,

କଲେହେଁ ପ୍ରାର୍ଥନା ରାଜାଏଁ ପୂରୁବେ

ନ ଦେଲେ କାନ କା ଗିରେ ।

ସ୍ୱୟମ୍ବର ଲାଗି ବସିଥିଲେ ହଟି

ଲାଜଛାଡ଼ି ଜେମାମଣି,

ହେଲା ହିତ ଏବେ ଲଭନ୍ତେ କି କେବେ

ଅନୁରୂପ ନୃପମଣି ।

ସତେ କି ବିଧାରା ଗଢ଼ି ଶରଧାରେ

ବେନିଙ୍କୁ ଦେଲା ମିଶାଇ,

ଇନ୍ଦୁ ଅଜ ଲଭି ଦିଶନ୍ତି ଯେସନ

ଇନ୍ଦିରା ବିଷ୍ଣୁଙ୍କୁ ପାଇ ।

ହୋଇଥାନ୍ତା ଯେବେ ଏହି ନିର୍ବାଚନ

ଅନୁରୂପ କାନ୍ତ ବିନା,

ପଣ୍ଡ ହୋଇଥାନ୍ତା ଦଣ୍ଡକ ଭିତରେ

ବିଧାତା ସୃଜନ ସିନା ।’’

ଇନ୍ଦୁମତୀଙ୍କର ପରିଣୟ ବିଧି

ଶୁଭେ କରି ସମାପନ,

ଆଦେଶିଲେ ଏଣେ ଭୂପଙ୍କ ସତ୍କା

ଲାଗି ବିଦର୍ଭ ରାଜନ ।

ପ୍ରତ୍ୟର୍ପଣ କରି ଉପାୟନ ଛଳେ

ଦତ୍ତପଦାର୍ଥ ନିକର,

ଅନ୍ତରେ ଈରିଷା ରଖି ନୃପତିଏ

ମେଲାଣି ନେଲେ ସତ୍ୱର ।

ବିଚାରି ଏମାନେ ଭୋଜ ଭଗିନୀଙ୍କୁ

ନେବାପାଇଁ ବଳେ ବଳେ,

ଫେରିବା ମାର୍ଗରେ ରହିଥିଲେ ଲୁଚି

ଅଜଙ୍କ ପ୍ରସ୍ଥାନ କାଳେ ।

ଏଣେ ଭୋଜରାଜ ଯଉତୁକ ଦେଇ

ନବ ଦମ୍ପତି ସଙ୍ଗରେ,

ମହା ସମାରୋହେ ଘରୁ ବିଦାଦେଇ

ଗଲେ ବିବାହ ଶେଷରେ ।

ତିନିରାତ୍ର ରହି ସେମାନଙ୍କ ସହ

ଫେରିଲେ କୁଣ୍ଡିନେଶ୍ୱର,

ଯଥା ବାହୁଡ଼ନ୍ତି ବିଧୁ ଭାନୁ ପାଶୁଁ

ଉଆଁଶ ରଜନୀ ପର ।

ପୂର୍ବୁଁ ରଘୁଙ୍କର ଦିଗ୍‌ବିଜୟ କାଳେ

ନୃପତିଏ ଈର୍ଷା ବହି,

ରହିଥିଲେ ଦୁଃଖେ ଏଣୁ, ନାରୀରତ୍ନ

ଲାଭ ନ ପାରିଲେ ସହି ।

ପୂର୍ବର ଶତ୍ରୁତା ସ୍ମରି ନୃପତିଏ

ଦାଉ ସାଧିବା ଇଚ୍ଛାରେ,

ବକଲେ ଅବରୋଧ ଅଜ ଗଲାବେଳେ

ଇନ୍ଦୁଙ୍କୁ ନେବା ଆଶାରେ ।

ରାଜକୀୟ ବୀର ବୃନ୍ଦ ସଙ୍ଗେ ଘେନି

ତକ୍ଷଣେ ଆଗକୁ ଧାଇଁ,

କଲେ ରଘୁ ସୁତ ପ୍ରତି ଆକ୍ରମଣ

ଇନ୍ଦୁମତୀ ରକ୍ଷା ପାଇଁ ।

ଦମ୍ଭ ସହକାରେ ଉଭୟ ପକ୍ଷର

ଲାଗିଲା ଘୋର ସଂଗ୍ରାମ,

ପଦାତି ପଦାତି ରଥୀ ସହ ରଥୀ

ନଥିଲା କାର ବିଶ୍ରାମ ।

ଆପଣା ଆପଣା ନାମ ବଂଶାବଳୀ

ନୃପେ ଉଚ୍ଚାରି ଉଚ୍ଚାରି,

କ୍ଷେପୁଥିଲେ ଶର ପ୍ରତିଦ୍ୱନ୍ଦ୍ୱୀ ଦେଖି

ଶ୍ରବଣ ଯାଏଁ ଓଟାରି ।

ରୋଧିଲା ଭାସ୍କର ବିମ୍ବ ବିହାୟସେ

ଧୂଳିରାଶି ତଳୁ ଉଠି,

ଆତ୍ମପର କିଛି ହେଲା ନାହିଁ ବାଛି

ନଗଲା ଯାଏଁ ତା’ ତୁଟି ।

ଭଟ୍ଟାରକ କେହି ଅଟ୍ଟହାସ କରି

ଆସନ୍ତେ ଅଜ ନିକଷା,

ମୋହନାସ୍ତ୍ର ବିନ୍ଧି ଗଡ଼ାନ୍ତି ଭୂଇଁରେ

ସେହିମାନଙ୍କୁ ସହସା ।

ପଡ଼ିଲେ ସମରେ କୁଢ଼ କୁଢ଼ ହୋଇ

ଗଜବାଜି ସୈନ୍ୟ ରାଜି,

ରଥରେ ଗଡ଼ିଲେ ରଥୀ ସାରଥିଏ

ମାଡ଼ରେ ମୁରୁଛା ଭଜି ।

ତୁଣ୍ଡକରି କିଏ ମୁଣ୍ଡ କାଟିଦେଲା

କୃପାଣରେ ମାହୁନ୍ତର,

ବିପକ୍ଷ ଶରକୁ ରୋଧିବାକୁ ପୁଣି

ହେଲା କିଏ ଅଗ୍ରସର ।

କିଏ ବା ଲଢ଼େଇ କଲା ମହାଆଣ୍ଟେ

ପରାଣର ମାୟା ଛାଡ଼ି,

ମୂର୍ଚ୍ଛାରୁ ଉଠି କେ ଆପଣା ଦେହରୁ

ଦେଉଥିଲା ଧୂଳି ଝାଡ଼ି ।

କେହି ଧନୁର୍ଦ୍ଧାରୀ ହୁଁ ହୁଁକାରେ ଗର୍ଜି

ଟାଣେ କ୍ଷେପିବାରୁ ଶର,

ବିପକ୍ଷ ବାଣରେ ଛିନ୍ନ ହୋଇ ତାହା

ପଡ଼ିଲା ଭୂଇଁ ଉପର ।

ମାଡ଼ଖାଇ କାର ହାଡ଼ ଗଲା ଭାଙ୍ଗି

କାହାର ମୁଣ୍ଡ ଦିଫାଳେ,

ଛୋଟା ହୋଇ କେତେ ଗୋଟା ଗୋଟା ହୋଇ

ପଡ଼ିଲେ ସମରସ୍ଥଳେ ।

ଶକୁନି ଗଧିଆ ଶୃଗାଳ ଏକାଳେ

କାହୁଁ ଆସି ହେଲେ ରୁଣ୍ଡ,

ଓଟାରେ କିଏ ସେ ଗୋଡ଼ କିଏ ପେଟ

କିଏବା ଚୋବାଏ ମୁଣ୍ଡ ।

କାକଗଣ ତହିଁ ନ ପାରିଣ ପଶି

କରୁଥାନ୍ତି ଘୋର ରଡ଼ି,

ମନେହେଲା ଅବା ସୋଦରେ ପାରୁଶେ

କାନ୍ଦୁଛନ୍ତି ଶୋକେ ଜଡ଼ି ।

କୃତାନ୍ତର ଭୋଜି ପରି ହେଲା ମନେ

ଦେଖି ଏ ଦୃଶ୍ୟ ବିକଟ,

କେହି ବା ଘାତର ତୀବ୍ର ଯନ୍ତ୍ରଣାରେ

ହେଉଥିଲା ଛଟପଟ ।

ତରୁଣ ଅରୁଣ ଉଦୟ କାଳରେ

ଦିଶେ ପ୍ରାଚୀ ଦିଶ ଯଥା,

ଶୋଣିତ ରଞ୍ଜିତ ସମର ପ୍ରାଙ୍ଗଣ

ଏକାଳେ ଦିଶଇ ତଥା ।

ଶିଳୀ ମୁଖେ କାର ବାହୁ ଛିଡ଼ିବାରୁ

ଯୁଦ୍ଧୁଁ ଗଲା ଅପସରି,

କେହି ବା ସ୍ୟନ୍ଦନୁଁ ଓହ୍ଲାଇ ଯୁଝିଲେ

ବହୁକ୍ଷଣ ଗଦାଧରି ।

ପର୍ଯ୍ୟାୟ କ୍ରମରେ ବଢ଼େ ଅବା ଛିଡ଼େ

ଊର୍ମ୍ମିମାଳୀ ଊର୍ମ୍ମି ଯଥା,

ହେଉଥିଲା ଜୟ କେବେ ପରାଜୟ

ଉଭୟ ପକ୍ଷର ତଥା ।

ଯୁଦ୍ଧ କରି କରି ଅବସନ୍ନ ହୋଇ

ଭଙ୍ଗ ଦେଖି ନିଜବଳ,

ନହାବୀର ଅଜ ସଜ ହୋଇ ନିଜ

ଆସିଲେ ସଂଗ୍ରାମ ସ୍ଥଳ ।

ତାହାଙ୍କ ଦର୍ଶନେ ଶଙ୍କା କରି ମନେ

ଶତ୍ରୁ ପକ୍ଷ ସେନାବାହୀ,

ଇତସ୍ତତ ହୋଇ କଲେ ପଳାୟନ

ଡାକଦେଇ ତ୍ରାହି’ ତ୍ରାହି ।

ପ୍ରଳୟ କାଳରେ ଧଇଲେ ମୁରାରି

ବରାହ ରୂପ ଯେସନ,

କ୍ରୋଧରେ ଦିଶିଲେ ଭୟଙ୍କର ରୂପ

ରଘୁନନ୍ଦନ ତେସନ ।

ପ୍ରସବୁ ଥିଲା କି ଅଦ୍ଭୁତେ ଶିଞ୍ଜିନୀ

ତାଙ୍କ ତୀକ୍ଷ୍‌ଣ ବାଣମାନ,

ବହ୍ନି ଶିଖାର ପରି କ୍ଷେପି ଚାରିପଟ

ଭାଙ୍ଗିଲା ବହୁ ବିମାନ ।

ଅରି ମୁଣ୍ଡମାଳ ଭଲ୍ଲାଗ୍ରେ ଛିଣ୍ଡାଇ

ପୂର୍ଣ୍ଣ କଲେ ମହାବୀର,

ଭଲ୍ଲ ଶୂଳ ଗଦା ଆଦି ଅସ୍ତ୍ର ବ୍ରଜ

ଆସନ୍ତେ ହେଲେ ଅସ୍ଥିର ।

ପ୍ରତ୍ୟୁତ୍ପନ୍ନ ମତି ଯୁବା ଅଜ ତହୁଁ

ପ୍ରିୟମ୍ବଦ ଦତ୍ତ ଅସ୍ତ୍ର,

ପ୍ରୟୋଗ କଲାରୁ ହୋଇଥିଲା ଭୀମ

ରିପୁକୁଳ ଧ୍ୱଂସ ତନ୍ତ୍ର ।

ଆକଣ୍ଠ ଭୋଜନ ପାଇଲେ କ୍ଷୁଧାର୍ତ୍ତ

ଲଭଇ ତୃପତି ଯେହ୍ନେ,

ପେଟପୂରା ଖାଦ୍ୟ ପାଇବାରୁ ତୁଷ୍ଟ

ଶୃଗାଳ ଶକୁନି ତେହ୍ନେ ।

ଶତ୍ରୁକୁଳ ନାଶ ହେବାରୁ ବାଜିଲା

ଜୟଶଙ୍ଖ ଘନ ଘନ,

ରାଘବୀୟ ଚମୂ ରାଜି ଦଳେ ଦଳେ

ଆସି କଲେ ତା’ ଦର୍ଶନ ।

ସରିବାରୁ ଯୁଦ୍ଧ ବିଜୟୀ କୁମାର

ଯାଇ ପ୍ରେୟସୀଙ୍କ ପାଶେ,

ତାହାଙ୍କୁ ଅନାଇଁ ଯୁଦ୍ଧର ବୃତ୍ତାନ୍ତ

କହିଲେ ମହା ଉଲ୍ଲାସେ ।

ଦେଖ ଶଶୀ ମୁଖି ! ଗଡ଼ୁଛନ୍ତି ପଡ଼ି

କେମନ୍ତେ ଶତ୍ରୁ ଏ ତଳେ,

ମୋ କରୁଁ ତୁମଙ୍କୁ ଛଡ଼ାଇ ନେବାକୁ

ଆସିଥିଲେ ପରା ବଳେ ।

ଏ ବିଜୟ ବାର୍ତ୍ତା ଶୁଣି ଭର୍ତ୍ତା ମୁଖୁଁ

ନ କହି କିଛି ଆଗରେ,

ସହଚରୀ ମୁଖେ କୁହାଇଲେ ତାଙ୍କ

ମନକଥା ସରାଗରେ ।

ବୈରୀଗଣ ଶିରେ ବାମପାଦ ଦେଇ

ବିଜେ କଲେ ସ୍ୱନବରେ,

ଜାୟା ସହ ଅଜ ପ୍ରବେଶନ୍ତେ ପୁରେ

ନେଲେ ରଘୁ ସମାଦରେ ।

ପଶୁ ପଶୁ ଦୁହେଁ ନବରେ ଶୁଭିଲା

ହୁଳହୁଳି ବାର ବାର

ଜନନୀ ବୋହୂଙ୍କୁ ନେଲେ ଭିତରକୁ

ଧରି ତାହାଙ୍କର କର ।

★★★

 

ଅଷ୍ଟମ ସର୍ଗ

 

ଧୁରୀଣ ତନୟ ଅଜଙ୍କୁ ଏଅନ୍ତେ

ସମରପି ରାଜ୍ୟଭାର,

ବାନପ୍ରସ୍ଥାଶ୍ରମେ ବାହାରିଲେ ରଘୁ

ଅନୁସରି କୁଳାଚାର ।

ଅର୍କବଂଶୀ ନୃପେ ତର୍କ କରିବାକୁ

ଲୋଡ଼ନ୍ତି ସକଳ କଥା,

କରନ୍ତି କରମ ଉପଦେଶ ମାନି

ନ ଛାଡ଼ି କୌଳିକ ପ୍ରଥା ।

ବନେ ଯିବା ଲାଗି ଜନକଙ୍କୁ ଅଜ

ବ୍ୟଗ୍ର ଦେଖି ଆଗ୍ରହରେ,

ମସ୍ତକ ଲୋଟାଇ ତାଙ୍କ ପଦତଳେ

ଅଳିକଲେ ଆତୁରରେ ।

ଯାଅ ନାହିଁ ବୋଲି ମୋତେ ଛାଡ଼ିଦେଇ

ବାଷ୍ପ ଗଦ୍‌ଗଦ କଣ୍ଠରେ

କହିବାରୁ, ରଘୁ କ୍ଷାନ୍ତ ହୋଇ ତହୁଁ

ରହିଲେ ପୁର ଶେଷରେ ।

ବୀରେନ୍ଦ୍ର ନରେନ୍ଦ୍ର ରଘୁ ଏ ସମୟେ

ଶାନ୍ତି ମାର୍ଗ ଅନୁସରି,

ଜିତେନ୍ଦ୍ରିୟ ହୋଇ ସଂସାର ଜଞ୍ଜାଳୁଁ

ଗଲେ ଧୀରେ ଅପସରି ।

ଯୁବରାଜ ଅଜ ରାଜ୍ୟଭାର ବହି

ନୋହି ଭୋଗ ତୃଷ୍ଣାବଶ,

ନିରତ ଜାଗ୍ରତ ମେଣ୍ଟାଇବା ଲାଗି

ପ୍ରଜାପୁଞ୍ଜ ଅଭିଳାଷ ।

କ୍ଷାତ୍ର ତେଜେ ବ୍ରହ୍ମ ତେଜ ମିଶି ହେଲା

ବାୟୁ ଯୋଗେ ବାୟୁସଖା,

ତାହାଙ୍କ ସୁନ୍ଦର ଶାସନ ରାଜ୍ୟରେ

ନଥିଲା ପୂରୁବେ ଦେଖା ।

ନବ ପରିଣୀତା ହେଲେ ହେଁ ରାଜନ

ଯୌବନର ଚପଳତା,

ନ ପରଶି ହୃଦେ ତାଙ୍କର ସତତ

ରାଜୁ ଥିଲା ସରଳତା ।

ଅନାଦର କେବେ ନକରି କାପ୍ରତି

ଚିତ୍ତେ ରଖି ସମଭାବ,

ଶାସିବାରୁ ଧରା ନ୍ୟାୟ ତୁଳାଦଣ୍ଡେ

ବଢ଼ିଲା ତାଙ୍କ ପ୍ରଭାବ ।

ରଖିବା ପାଇଁକି ଅବାଧ୍ୟ ନୃପଙ୍କୁ

ସଦା ନିଜ ଆୟତ୍ତରେ,

ଭସ୍ମ କଲେ ତାଙ୍କ ଗର୍ବ ଅଭିମାନ

ଜ୍ଞାନମୟ ପାବକରେ ।

ସତ୍ୱ-ରଜ-ତମ ତ୍ରିବିଧ ଗୁଣକୁ

ଅବଲମ୍ବି ଦୃଢ଼ମନ,

ସମାଧି ବଳରେ କଲେ ପ୍ରକୃତିସ୍ଥ

ଏ କାଳେ ବୃଦ୍ଧ ରାଜନ ।

ଫଳ ସିଦ୍ଧି ଯାଏ ନୋହିଲେ ବିରତ

ସ୍ୱୀୟ ଏକାଗ୍ର ଯୋଗରୁ,

ଅପବର୍ଗ ଆଶେ ରହିଥାନ୍ତି ସଦା

ନିବର୍ତ୍ତି ଭବଭୋଗରୁ ।

ମନୋହର ରଘୁ ଯୋଗ ସମାଧିରେ

କଟାଇ କେତେକ ବର୍ଷ,

ଲଭିଲେ ଶେଷରେ ଅନାମୟ ଧାମ

ସଭିଙ୍କ ମନ ବିମର୍ଶ ।

ପିତୃଦେବଙ୍କର ଦେହ ବିସର୍ଜନ

ଶୁଣି ଅଜ ନରପତି,

ଶୋକରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦିଲେ

ଲୋତକ ଗଡ଼ାଇ ଅତି ।

ଏ ଅନ୍ତେ ମୃତାହ- କରମ ଗୌରବେ

କଲେ ନୃପ ସମ୍ପାଦନ,

ପିତାମୃତ୍ୟୁ ଦୁଃଖ କାଳର ପ୍ରଭାବେ

କ୍ରମେ କ୍ରମେ ହେଲା ଲୀନ ।

ଅଂଶୁମାଳୀ ଅଂଶୁ ବିସ୍ତାରିଲା ପରି

ବଢ଼ାଇଲେ ଅଜଯଶ,

ଧୀରେ ଧୀରେ ବହୁ ଭୂପତିମାନଙ୍କୁ

କରି ଆପଣାର ବଶ ।

ଏକ କାଳେ ମହିଷୀ ଇନ୍ଦୁମତୀ ଗର୍ଭୁଁ

ହେଲା ଜାତ ପୁଅଟିଏ,

ଦେଖିବାକୁ ତାକୁ କୁତୂହଳୀ ହୋଇ

ଜମିଲେ ବହୁ ନାରୀଏ ।

କେତେକାଳ ପରେ ହୋଇଅଛି ପୁଅ

ବୋଲି ପଡ଼ିଲା ଚହଳ,

ପୁରବାସୀ ସହ ସେ ରାଜ ଦମ୍ପତି

ହେଲେ ଆନନ୍ଦବିହ୍ୱଳ ।

ମେଘମୁକ୍ତ ଦୀପ୍ତ ଦିନମଣି ପରି

ଦିଶୁଥିଲେ ସେ ତନୟ,

ବହୁଦିନ ପରେ ପୁତ୍ରଲାଭ ମୋଦେ

ନ ନାଚିବ କା ହୃଦୟ !

ନାମ ଦେଇଥିଲେ ଦଶରଥ ବୋଲି

ନବଜାତ ଶିଶୁଟିର,

ହିମାଂଶୁ ପରି ସେ ବଢ଼ି ଦିନୁଦିନ

ଭବେ ହେଲେ ଶ୍ରେଷ୍ଠ ବୀର ।

ସଚିବ ହସ୍ତରେ ଦେଇ ରାଜ୍ୟଭାର

ରାଣୀସହ ସେ ରାଜନ,

ଉପକଣ୍ଠ ବନେ ବାସନ୍ତୀ ବିହାର

ଲାଗି ବଳାଇଲେ ମନ ।

ଦେବର୍ଷି ନାରଦ ଗୋକର୍ଣ୍ଣ ତୀର୍ଥକୁ

ଯାଉଥିଲେ ସେହିକାଳେ,

ବୀଣାଯନ୍ତ୍ର ତାଙ୍କ ହୋଇଥିଲା ମଣ୍ଡି

ସ୍ୱର୍ଗୀୟ କୁସୁମମାଳେ ।

ସେ ସୁନ୍ଦର ମାଳ ନେଲା ହରି ଅବା

ବାୟୁ ସୁବାସ ଲୋଭର,

ଉଡ଼ି ଉଡ଼ି ଖରେ ପଡ଼ିଲା ସେ ଯାଇ

ରାଣୀଙ୍କ ଉରଜ ପରେ ।

ପାଟ ମହାଦେଈ ଦେଖି ସେ ମାଳକୁ

ବିହ୍ୱଳ ହୋଇ ଅଧୀରେ ,

ରାହୁ କବଳିତ ଇନ୍ଦୁଙ୍କ ପରାଏ

ନିମୀଳିତ ହେଲେ ଧୀରେ ।

ଚିରକାଳ ପାଇଁ, ଇନ୍ଦୁମତୀ ପରି

ରାଜା ହତ ଚେତନାରେ,

ପଡ଼ିଲା କି ଦୀପୁଁ ଦୀପଶିଖା ତୈଳ

ବିନ୍ଦୁସହ ଭୂତଳରେ ।

ପାଖେଥିବା ଲୋକ ହାହାକାରେ ରବେ

କାନ୍ଦି କାନ୍ଦି ଆର୍ତ୍ତସ୍ୱରେ,

କିଏ ବା ବିଞ୍ଚିଲା କିଏ ବା ସିଞ୍ଚିଲା

ମୁଖ ଶୀତଳ ଜଳରେ ।

କିଛିକ୍ଷଣ ପରେ ଉଠିଲେ ନୃପତି

ଚେତା ପାଇ ଉପଚାରେ,

ମାତ୍ର ରାଣୀଙ୍କର ମହାନିଦ୍ରା ଭଙ୍ଗ

ହେଲା ନାହିଁ ଆଉ ବାରେ ।

ପ୍ରତ୍ୟଙ୍ଗ ଶିଥିଳ ହୋଇଥିଲା ପୁଣି

ନିଷ୍ପନ୍ଦ ସକଳ ସ୍ନାୟୁ,

ବୃଥାହୁଏ ସିନା ପ୍ରତିକାର ବିଧି

ନଥିଲେ କ୍ନା ପରମାୟୁ ।

ପ୍ରୟସୀ ବତ୍ସଳ ଭୂତଳୁ ଉଠାଇ

ନିଜେ ପ୍ରେୟସୀଙ୍କୁ ନେଇ,

ସ୍ୱୀୟ କ୍ରୋଡ଼ଦେଶେ ଥୋଇଲେ ଯତନେ

ନୟନ ଲୋତକେ ଧୋଇ ।

ମୁହଁକୁ ଅନାଇଁ ଅଯୋଧ୍ୟାର ସାଇଁ

ଆଉଁଷି ଆଉଁଷି ଦେହ,

ଝୁରିଲେ ବିକଳେ ପତିପ୍ରତି ତାଙ୍କ

ଭକତି-ମମତା-ସ୍ନେହ ।

‘‘ଆଗୋ ଚନ୍ଦ୍ରାନନି ! କିପାଁ ଅନାଥକୁ

ନଚାହଁ ଫେଡ଼ି ନୟନ,

ତୁମ୍ଭ ଆଗେ ବସି କାନ୍ଦୁଛି କିଲାଗି

ନ କହ ପଦେ ବଚନ ।

ଭାବିଲଣି ମୋତେ କପଟ ପ୍ରଣୟୀ

ବୋଲି ଜାଣୁଛି ନିଶ୍ଚୟ,

ନୋହିଲେ କି କେବେ ଯାଆନ୍ତ ସେ ଦେଶେ

ନ କହି ଖୋଲି ହୃଦୟ ।

ଯେ ଦେଶୁ ବାହୁଡ଼ି ନ ଆସନ୍ତି କେହି

କେବେ ଆଗୋ ସୁଧାହାସି,

ନେଉଁନାହିଁ କିପାଁ ତବ ସଙ୍ଗେ ମୋତେ

ଯାଏ ଶୋକଜଳେ ଭାସି ।

ରେ କୁତ୍ସିତ ପ୍ରାଣ, ଯାଇଥିଲୁ ଯେବେ

ଶଶୀମୁଖୀ ପ୍ରିୟା ସହ,

ଫେରିଲୁ ଯେବେଟି ନ ଆଣି ତାହାଙ୍କୁ

କିପାଁ ଲେଉଟିଲୁ କହ ।

ଭୋଗିବୁରେ ଘୋର ବିରହ ବେଦନା

ଥିବାଯାଏଁ ଧରାତଳେ,

ବୁଝାଇବ କିଏ ସଢ଼ିଯିବୁ ଯେବେ

ଆତ୍ମକୃତ ପାପଫଳେ ?

ଧିକ ଶତବାର ଦେହୀମାନଙ୍କର

ଏରୂପ ଅସାରତାକୁ,

ହୃଦୟ ବିଦ୍‌ଗଧ ହେଉଅଛି ଛାଡ଼ି

ପ୍ରିୟତମା ବନିତାକୁ ।

ତୁମ୍ଭର ଅପ୍ରିୟ କାର୍ଯ୍ୟ କରିନାହିଁ

କେତେବେଳେ ଏ ଜୀବନେ,

ତେବେ କାହିଁ ପାଇଁ ଯାଉଅଛ ଛାଡ଼ି

ଏତେ ରୋଷ ବହି ମନେ ?

ତୁମ୍ଭଠାରେ ଆଖି ରହିଥିଲା ଲାଖି

ଅବିରତ ଜୀବନରେ,

ଭୁଲିବି କିପରି ତୁମ ଗାଢ଼ ପ୍ରୀତି

କହ ପ୍ରିୟସହି ଥରେ !

କୁସୁମ-ଖଚିତ ଅଳକ ତୁମର

ଦୋହଲାଇ ପ୍ରଭଞ୍ଜନ,

ଉଠୁଅଛ ବୋଲି ଦେଉଛି ଜନ୍ମାଇ

ମୋର ମନେ, ପ୍ରିୟଧନ !

ବିଷାଦ କାଳିମା ଘୁଞ୍ଚୁ ମୋ ହୃଦୟୁଁ

କହି ସୁକୋମଳ କଥା,

ତୁମ୍ଭ ବିନା ସହି ! ନ ଜାଣିବ କେହି

ମୋର ମାନସର ବ୍ୟଥା ।

ଲୋଡ଼ିଥିଲ ସିନା ତୁମେ ମୋର ସଙ୍ଗ

ସ୍ୱୟମ୍ବର ସଭାସ୍ଥଳେ,

ଜାଣି ମୁଁ ନଥିଲି ଚାଲିଯିବ ବୋଲି

ଭସାଇ ଶୋକ-ସଲିଳେ ।

ମୋର ମନ ଜାଣି ତୋଷୁଥିଲ ପରା

ନିରତ ମୃଦୁ ବଚନେ,

ଉଠୁଅଛି କୋହ ମୋହଲାଗି ସିନା

ଏବେ ଏ ପାପୀର ମନେ ।

ପୂର୍ବ ସୁକୃତରୁ ଯାଉଛ ବାହାରି

ନଛୁଇଁ ଟିକିଏ ରୋଗ,

ଅବା ଭବଜାଲୁଁ ମୁକୁଳିବା ଲାଗି

ତେଜିଲ ସକଳ ଭୋଗ !

ଜନମି ଧରାରେ ଦୁଃଖବୋଲି ଦିନେ

ଜାଣିତ ନଥିଲି ସହି ?

ଏ ବିରହ ବାଧା ଦେଉଅଛି ଏବେ

ମରମେ ମରମେ ଦହି ।

ଫାଟିଯାଏ ହିଆ ଦେଖି ଶିଶୁ ପୁତ୍ର

ତୁମ ସୁକୋମଳ କୋଳେ,

ସନ୍ତାନ ମମତା ଛାଡ଼ିଲ କି ଅବା

ସ୍ୱର୍ଗ ସଉରଭ ଭୋଳେ ।

ଗୋଳି ଚନ୍ଦନକୁ ବୋଳି ହେଉଥିଲ

ନିଦାଘ ତାପ ନସହି,

ଏବେ କେଉଁପରି ଶିଖୀ ଶିଖାପରେ

ଲୋଡ଼ୁଚ ଶୟନ ସହି ?

ଉଷୀରବ୍ୟଜନ ତୁଳିକା ନିରତ

ହେଉଥିଲା ଲୋଡ଼ା ଯାର,

ହାୟରେ ଦଇବ ! ମୃତ୍ତିକା ଆବୋଡ଼ି

ପଡ଼ିଛି ତନୁ ତାହାର ।

ଚକୋର ଚକୋରୀ ବିରହ ଯାତନା

ରହେସିନା ଅଳ୍ପ କାଳ,

କିନ୍ତୁ ତୋ ବିରହ ଚିରଦିନ ବୋଲି

ଜାଣିଲାଟି ନରପାଳ ।

ହା ଦଇବ କହ କିପରି ସହିବ

ସେହି ଚିତାନଳ କ୍ଳେଶ ?

ଯେଣୁଏ ନିରତ ତୁଳିତଳ୍ପ ଶେଯେ

ନଜାଣି ଯାତନା ଲେଶ ।

ହୃଦେ ଯେଉଁ ବ୍ୟଥା ଉପୁଜଇ ଏବେ

ପାରୁନାହିଁ ଧୈର୍ଯ୍ୟ ଧରି,

ଆଗୋ, କଳକଣ୍ଠି ! ତୋର ପିକସ୍ୱନ

କହ, ଭୁଲିବି କିପରି ?

ରୋପିଥିଲ ପରା ଏ ରସାଳ ତରୁ

ପ୍ରିୟଙ୍ଗୁ ଲତିକା ସହ,

ଯାଉଛ ବାହାରି ନସାରି ତାଙ୍କର

ଶୁଭଲଗ୍ନେ ପରିଣୟ ।

କେଡ଼େ ଶରଧାରେ କେତକୀ ପାଖୁଡ଼ା

ଯୁଡ଼ା ବାନ୍ଧିଥିଲ ଆଣି,

ଯାଇଛି ମଉଳି ତୁମ୍ଭ ସଙ୍ଗେ ସଖି !

ଅଞ୍ଜନ ଲଗା ଚାହାଁଣି ।

ରାଜହଂସ ପରି ସୁମନ୍ଥର ଗତି

ନୟନ ଭଙ୍ଗି ଚଞ୍ଚଳ,

କାତର ଏହୃଦ ତୁମ୍ଭ ବିରହରେ

ବହୁଅଛି ନେତ୍ରୁଁ ଜଳ ।

ଦେଖ ପ୍ରିୟସହି ! ଥୋପା ଥୋପା ହୋଇ

ଅଶୋକୁ କୁସୁମକଢ଼ି,

ଏ ଦୁଃଖ ନସହି ଅଶ୍ରୁଛଳେ ଅବା

ପଡ଼ୁଅଛି ତଳେ ଝଡ଼ି ।

ଦରଗୁନ୍ଥା କରି ଥୋଇଅଛ ପାଶେ

ମୁକୁଳ ବକୁଳ-ମାଳ,

ଏଡ଼େବେଗେ କିପାଁ ଶୋଇଲ ନିଦରେ

ହୋଇ ସର ସର ଝାଳ ।

ଉତ୍ସବ ବିହୀନ ବସନ୍ତାଚି ଋତୁ

ତୁମ୍ଭଲାଗି ପ୍ରିୟସହି !

ମହାଶୂନ୍ୟ ହୋଇ ରହିବି କିପରି

ଏ ଘୋର ଯାତନା ସହି ?

ଏହି ସଖୀଗଣ କରନ୍ତି ରୋଦନ

ମୁହିଁ ଅଛି ପାଶେ ପୁଣି,

ଶୋଭୁଛି କୋଳରେ ପ୍ରିୟତମ ସୁତ

ଯାଉଛ ଛାଡ଼ି ନଶୁଣି ।

ମୋ କଥା ପଡ଼ିଲେ ଡେରୁଥିଲ କାନ

ହେଲ କି ଏବେ ବଧିରା ।

ଅବା ନିଷ୍ଠୁରତା ପ୍ରବେଶି ହୃଦୟେ

କଲାଣି ଅବୋଲକରା ।

ସଙ୍ଗୀତେ ବିରତି ଭୂଷଣେ ଅପ୍ରୀତି

ଭୋଗସ୍ପୃହା ବି ନିବୃତ୍ତି,

ହେବସିନା ମୋର ତୁମକୁ ନଦେଖି

ଆଜିଠାରୁ ଧୈର୍ଯ୍ୟଚ୍ୟୁତି ।

ସୁଦକ୍ଷାଗୃହିଣୀ, ରହସ୍ୟେ ସଙ୍ଗିନୀ,

ବୁଦ୍ଧିଦାନେ ମନ୍ତ୍ରୀବତ,

ପ୍ରିୟ ଶିଷ୍ୟା ପୁଣି ପ୍ରିୟତମା ରାଣୀ

ଥିଲ ତୁମ୍ଭେ ଅବିରତ ।

ବଳିଷ୍ଠ କୃତାନ୍ତ କେବଳ ତୁମ୍ଭଙ୍କୁ

ନେଉଅଛି ଟାଣି ବଳେ,

ଛଡ଼ାଇ ନେବାକୁ ଯା କରୁଁ କାହାର

ସାଧ୍ୟନାହିଁ ମହୀତଳେ ।

ଅଖିଳ ସମ୍ପଦ ଥିଲେହେଁ ମୋହର

ସରିଲା ସକଳ ସୁଖ,

ଆଜିଠାରୁ ମୋର ନସରିବ ଦିନ

ନଦେଖି ପଙ୍କଜ ମୁଖ ।

ଆହାରେ ବିହାରେ ବିଳାସେ ବ୍ୟସନେ

ରଞ୍ଜାଉଥିଲ ମାନସ,

ଲିଭି ଯାଇଛିତ ଲାବଣ୍ୟ ମୁହଁରୁ

ଦିଶୁନାହିଁ ଟିକେ ହସ ।

ଅନ୍ୟ ପ୍ରଲୋଭନ ନପାରିବ ଟାଣି

ତୁମ୍ଭଛଡ଼ା ଏ ଜୀବନେ,

ତୁମ୍ଭଲାଗି ସିନା ସକଳ ସୌଭାଗ୍ୟ

ଭଣ୍ଡାରେ ଥିଲା ଯତନେ ।

ଭବମାୟା ଛାଡ଼ି ଯାଉଛ ବାହାରି

ସ୍ୱର୍ଗସୁଖ ଲାଭ ଆଶେ,

କିନ୍ତୁ ସବୁକଥା ହୁଅନ୍ତା ସୁଖ ବା

ମୁହିଁ ଥିଲେ ତୁମ୍ଭ ପାଶେ ।

ଅଳତା ରଞ୍ଜିତ କୋମଳ ଚରଣ

ଦିଶୁଛି ବିବର୍ଣ୍ଣ ତବ,

କହ କେଉଁପରି ଯିବି ଚାଲି ଚାଲି

ନକରି ଦୁଃଖାନୁଭବ :

ଅଗୁରୁ ମିଶ୍ରିତ ସୁଗନ୍ଧ ସଲିଳ

କରୁଥିଲ ସଦା ପାନ,

ଲାଗିବ କି ସୁଖ ଦୂଷିତ ଉତ୍ତପ୍ତ

ପ୍ରେତ ଜଳାଞ୍ଜଳି ଦାନ ।

ଆଗୋ, ସୁଧାହାସି, କରୁଥିଲ ନିତି

କେତେ ରଙ୍ଗ ପରିହାସ,

ଭ୍ରମେ ଭ୍ରମି ଭ୍ରମି ପଙ୍କଜିନୀ ବୋଲି

ଶେଷରେ ହେଲି ନିରାଶ ।

ଏରୂପେ ରାଜନ ବିଳପନ୍ତେ ସ୍ମିର

ମହିଷୀଙ୍କ ଗୁଣାବଳୀ,

କାନ୍ଦିଲେ କି ଅବା ତରୁଲାତାମାନେ

ପୁଷ୍ପରସ ଅଶ୍ରୁଢାଳି ।

ବାହୁନି ବାହୁନି କାନ୍ଦିଲେ କି ହେବ

ଦଇବ ହୃଦ ପଥର,

ସ୍ୱକାର୍ଯ୍ୟ ସାଧନେ ଉଚ୍ଚନୀଚ ଭାବ

କରିଛି ମନୁଁ ଅନ୍ତର ।

ନଥିଲେ ନିୟତି ଭୋଗନ୍ତେ କି ଏହା

ଅଜଙ୍କର ପ୍ରଣୟିନୀ,

ହୁଅନ୍ତା କି ନାଶ ତୁଷାର ପତନେ

ସୁକୁମାରୀ କମଳିନୀ ।

ଈଶ୍ୱର ଇଚ୍ଛାରେ ଅମୃତ କାହିଁବା

ହୁଏ ପ୍ରାଣନାଶକାରୀ,

କାହିଁବା ଗରଳ ସୁଧା ହୋଇ ହୁଏ

ପ୍ରାଣୀଙ୍କର ହିତାକରୀ ।

ଯମଦୂତ ପରି ବନ୍ଧୁବର୍ଗ ଆସି

ଏଅନ୍ତେ ବିଷଣ୍ଣ ମନେ,

ବିଶ୍ୱବନ୍ଦନୀୟା ମହିଷୀଙ୍କି ନେଲେ

ଅଜଙ୍କ କ୍ରୋଡ଼ୁ ଶ୍ମଶାନେ,

ଯହିଁ ଭସ୍ମୀଭୂତ ହୁଅନ୍ତି ସକଳେ

ଚିତାନଳ ମୁଖେ ପାଇ,

କଲେ ବିସର୍ଜନ ନେତ୍ରୁଁ ଅଶ୍ରୁଢାଳି

ଚନ୍ଦନେ ଅଗ୍ନି ଲଗାଇ ।

ପ୍ରିୟାଙ୍କ ଉଦ୍ଦେଶ୍ୟେ ମହା ସମାରୋହେ

ଶ୍ରାଦ୍ଧକ୍ରିୟା ତପୋବନେ,

ମହାରାଜା ଅଜ ପୁରେ ବାହୁଡ଼ିଲେ

ଶେଷ କରି ଦଶଦିନେ ।

ପତ୍ନୀଶୂନ୍ୟ ହୋଇ ପଶନ୍ତେ ନବରେ

କାନ୍ଦିଲେ ଦୁଃଖେ ସକଳ,

ଧୋଇଦେଲା କିରେ ନବର ଭିତର

ଲଳନାଙ୍କ ଅଶ୍ରୁଜଳ !

ବଶିଷ୍ଠ ମହର୍ଷି ଯୋଗବଳେ ଜାଣି

ଇନ୍ଦୁଙ୍କ ଦେହାବସାନ,

ଶିଷ୍ୟଟିଏ ବନୁଁ ପ୍ରେରିଲେ ଅଯୋଧ୍ୟା

କରିବାକୁ ଅନୁଧ୍ୟାନ ।

ରାଜାଙ୍କ ସମୀପେ ପ୍ରବେଶି ସେ ଶିଷ୍ୟ

ନିବେଦିଲେ ଏହିପରି,

‘‘ମୁନିବର ଯାହା କହିଛନ୍ତି ମୋତେ

ଶୁଣନ୍ତୁ ଧଇର୍ଯ୍ୟ ଧରି ।’’

‘‘ତୃଣ ବିନ୍ଦୁଙ୍କର ଘୋର ତପ ଦେଖି

ଭୀତ ହୋଇ ମଘବାନ,

ହରିଣୀ ଅପ୍‌ସରା ତପୋନାଶେ ତାଙ୍କ

ପଠାଇଲେ ସନ୍ନିଧାନ ।

ସେ ଅପ୍‌ସରା ଆସି ତାହାଙ୍କ ସନ୍ନିଧେ

କେତେ ଭଙ୍ଗି ବିଳାସର,

ପ୍ରକାଶିଲା କିନ୍ତୁ ନୋହି ବିଚଳିତ

ତା’ ଛଳନେ ମୁନିବର ।

ଦେଲେ ଅଭିଶାପ ରୋଷ ବହିମନେ

‘ନାରୀଜନ୍ମ ଲଭ ମର୍ତ୍ତ୍ୟେ’

ଶାପ ଭୟେ ତ୍ରସ୍ତା ହୋଇ ବରାରୋହା

କହିଲେ ତାହଙ୍କୁ ଆର୍ତ୍ତେ ।’’

‘‘କ୍ଷମାକର ବାରେ କୃପାବହି ମନେ

ଦୋଷ ଏ ପରାଧୀନାର,

କହନ୍ତୁ ସଦୟେ କିପରି ଏ ଶାପ

ଦୂର ହେବ ଅବଳାର ?’’

‘‘ବାସକର ଯାଇ ସ୍ୱର୍ଗୀୟ ସୁମନ

ସ୍ପର୍ଶଯାଏ ମହୀତଳେ,’’

କହନ୍ତେ ସେ ୠଷି ଜନ୍ମିଥିଲେ ସେହି

ସୀମନ୍ତିନୀ ଭୋଜ କୁଳେ ।

ସ୍ପର୍ଶ କରିବାରୁ ଇନ୍ଦୁମତୀ ଦେହେ

ସ୍ୱର୍ଗଚ୍ୟୁତ ପୁଷ୍ପ-ହାର,

ଅଭିଶାପ ମୁକ୍ତ ହୋଇ ଏଣୁକଲେ

ମର୍ତ୍ତ୍ୟତନୁ ପରିହାର ।

ତେବେ ତାଙ୍କ ପାଇଁ ଅନିଶ କାନ୍ଦିବା

ନୁହେଁ କେଭେଁ ସମୀଚୀନ,

ଜନ୍ମିଲେ ସଂସାରେ ମରିବାକୁ ହେବ

ଦେଖୁଛତ ପ୍ରତିଦିନ ।

ଚିରଦିନ ଲାଗି ଯାଇଛି ଯେ ପାଶୁଁ

ଖୋଜିଲେ ବା କେତେ ତାକୁ,

ମିଳିବ କି ଆଉ କାନ୍ଦିଲେ ହେଁ ଅବା

ଆରାଧିଲେ ଦେବତାକୁ ।

ପତ୍ନୀହୀନ ବୋଲି ନ ଭାବି ହୃଦୟେ

କର ଏ ମହୀ ପାଳନ,

ଅଭ୍ୟୁଦୟ କାଳେ ନବହି ଗରବ

କର ଯଶ ଉପାର୍ଜନ ।

ନ ଫେରିବ ଆଉ ଯେଣୁ ଧରେ ଜୀବ

ଭିନ୍ନଗତି ଲୋକାନ୍ତରେ

ଯାଇ, ଅଦିରତ ନିଜ ନିଜ କୃତ

କର୍ମଫଳ ଅନୁସରେ ।

ବସୁନ୍ଧରା ତଳେ ଶରୀରୀମାନଙ୍କ

ସ୍ୱଭାବସିଦ୍ଧ ମରଣ,

ଜିଇଁବାର ସିନା ଅଟଇ ବିକୃତ

କହିଥାନ୍ତି ବୁଧଗଣ ।

ଘଟୁଅଛି ଭବେ ନିଜ ଦେହ ସହ

ବିଚ୍ଛେଦ ନିଜ ଆତ୍ମାର,

ତେବେ କି ଆଶ୍ଚର୍ଯ୍ୟ ପୁତ୍ର-ପତ୍ନୀ-ଭର୍ତ୍ତା

ଆଦି ବିରହ ବେଭାର ।

ଉପଦେଶ ବାଣୀ ଗୁରୁଙ୍କର ଶୁଣି

ଶିଷ୍ୟମୁଖୁଁ ନରପତି,

ପ୍ରଣମି ବିନୟେ ତାଙ୍କୁ ବିଦାକରି

ଧର୍ମେ ବୁଲାଇଲେ ମତି ।

ସତ୍ୟଭାଷୀ ଅଜ ବାଲ୍ୟାବସ୍ଥା ଦେଖି

ମାତୃହୀନ ବାଳକର,

ଯତନେ ତାହାଙ୍କୁ ଆଠବର୍ଷ ଯାଏଁ

ପାଳିଲେ କରି ଆଦର ।

ନାତି ବିଳମ୍ବରେ ଯଥା ବଟଚେର

ଭେଦଇ ସଉଧତଳ,

ପ୍ରବଳ ଆବେଗେ ନୃପତିଙ୍କ ଶୋକ

ଭାଙ୍ଗିଲା ମାନସ ବଳ ।

ତହୁଁ ସବିନୀତ କୁମାରକୁ ଦେଖି

କର୍ମ ଧାରଣେ ସୁକ୍ଷମ,

ରାଜ୍ୟଭାର ଦେଇ ସ୍ୱର୍ଗେ ଯିବା ଲାଗି

କଲେ ସେହୁ ଉପକ୍ରମ ।

ସରଯୁ ଜାହ୍ନବୀ ସଙ୍ଗମ ତୀର୍ଥରେ

ଉପବାସ କରି କରି,

ନନ୍ଦନ କାନନେ ବିହରିଲେ ମୋଦେ

କଳେବର ପରିହରି ।

★★★

 

ନବମ ସର୍ଗ

 

ପିତାଙ୍କର ମୃତ୍ୟୁ ପରେ ଦଶରଥ

ଆରୋହି ସିଂହାସନରେ,

ଅରଜିଲେ ଖ୍ୟାତି ବସୁନ୍ଧରା ତଳେ

ପ୍ରଜାପାଳି ଯତନରେ ।

ସେ ମିତ୍ର ବଂଶଜ ମିତ୍ରତା ସୂତ୍ରରେ

ମନାଇଁ ବହୁ ନୃପଙ୍କୁ,

ଆପଣାର କରଗତ କରିଥିଲେ

ଧୀରେ ଧୀରେ ସେମାନଙ୍କୁ ।

ବାଣ୍ଟୁଥିଲେ ଧନ ପ୍ରଜାହିତ ଲାଗି

ସେମାନଙ୍କ ଲୋଡ଼ା ବେଳେ,

ଦିଶୁଥିଲା ବପୁ କମନୀୟ ଅତି

ଥିଲାବେଳେ ନୃପମେଳେ ।

ଶସ୍ୟ ଲାଗି ଜଳ ନଥିଲା ଅଭାବ

କେତେବେଳେ ଏଦେଶରେ,

ସୁନାସୀର ଅବା କରୁଥିଲେ ଡରି

ଜଳବୃଷ୍ଟି ନିୟମରେ ।

ଦୂରେ ଥାଉ ଭୟ ଶତ୍ରୁ ଆକ୍ରମଣ

ନ ପାରିଲା ବ୍ୟାଧି ପଶି,

ବିଟପୀ ନିକର ବିଟପୀ ପରାଏ

ସଦା ଉଠୁଥିଲେ ହସି ।

କେତେବେଳେ ହେଲେ କହୁ ନଥିଲେ ସେ

ମିଥ୍ୟା ପରିହାସ ଛଳେ,

ବିପକ୍ଷ ଦେଖିଲେ ସଜ ଉଣ୍ଡି ଉଣ୍ଡି

ଟାଣି ଆଣୁଥିଲେ ବଳେ ।

ଚଣ୍ଡ ସେନାପତି ଦଣ୍ଡଧର ପରି

ସଦା ନ୍ୟାୟ ପରାୟଣ,

ନରପତିଙ୍କର ବିନା ନିର୍ଦ୍ଦେଶରେ

ନଧର୍ଷନ୍ତି ବୈରିଗଣ ।

କର୍କଶ ହୃଦୟ ଥିଲେହେଁ ତାଙ୍କର

କେବେ ଅମର୍ଷ ବଚନ,

କହୁ ନଥିଲେ ସେ ବିପକ୍ଷଙ୍କୁ ସୁଦ୍ଧା

ଯେଣୁ ସେ ଶାନ୍ତିଭାଜନ ।

ତଣ୍ଡୁ ନଥିଲେ ସେ ମଣ୍ଡୁ ଥିଲା ଯିଏ

ତାଙ୍କୁ ବିନୀତ ଭାଷାରେ,

କରୁଥିଲେ ପୁଣି ଅର୍ଯମା ପ୍ରାର୍ଥନା

ନିତି ପ୍ରଦୋଷ ଉଷାରେ ।

ବାହାରିଲେ ଥରେ ପିତାମହ ପରି

ଜିଣିବାକୁ ବସୁନ୍ଧରା,

ଗଜବାଜୀ ଯୁକ୍ତ ଚଣ୍ଡ ସେନାସହ

ନମାନି ବରଷା ଖରା ।

ସୈନ୍ୟରାଜି ତାଙ୍କ ନୃପାଦେଶ ଲଭି

କାହାକୁ ମସ୍ତକ ହୀନ,

ଖଣ୍ଡ କରିଦେଲେ ଗଣ୍ଡଦେଶ କାର

କିଏ ବା ଧୂଳିରେ ଲୀନ ।

ଚୂର୍ଣ୍ଣ କଲାଯାଏଁ ବିପକ୍ଷର ବଳ

ପୂର୍ଣ୍ଣ ନୋହିଲା କାମନା,

ସେନାପତି ହୋଇ ଆଦେଶୁ ଥାଆନ୍ତି

କେବେହେଁ ନୋହି ବିମନା ।

ଶୌର୍ଯ୍ୟ ଦେଖିତାଙ୍କ ଧୈର୍ଯ୍ୟ ହରାଇଲେ

ଶତ ଶତ ନରପତି,

ଅନନ୍ୟ ଉପାୟ ନଦେଖି ସେମାନେ

ତାହାଙ୍କୁ କଲେ ପ୍ରଣତି ।

ମାଗିବାରୁ ଭିକ୍ଷା ରକ୍ଷା କରିବାକୁ

ଶତ୍ରୁ ରାଣୀଏ ଅଥୟେ,

ଅରଜି ଥିଲେ ଯା ବିପକ୍ଷ ହଟାଇ

ବରଜି ଦେଲେ ସଦୟେ ।

ଜିଣି ମହୀତଳ ପ୍ରବେଶିଲେ ନୃପ

ଅଯୋଧ୍ୟା ନଗରେ ଆସି,

ଜମାହେଲା କିରେ ଭଣ୍ଡାରେ ତାଙ୍କର

ଅତୁଳ ସମ୍ପଦ ରାଶି !

ରାଜ ଚକ୍ରବର୍ତ୍ତୀ ହେବାରୁ ରାଜନ

ଅନୁବର୍ତ୍ତୀ ନୃପେ ହୋଇ,

ଲଗାନ୍ତି ମସ୍ତକ ପଦତଳେ ତାଙ୍କ

ଉପହାରମାନ ଥୋଇ ।

ଶାସିଲେ ଧରଣୀ ତରଣି ବଂଣଜ

ଦଶରଥ ନରପତି,

ମହା କଉଶଳେ ଅବା ତରକରେ

ଚଞ୍ଚଳ ନକରି ମତି ।

କୋଶଳ କାଶ୍ମୀର ମଗଧ ଯେମାଏ

ଧଇଲେ ନୃପଙ୍କକର,

ତରଙ୍ଗିଣୀ ଗଣ ଛାଡ଼ି ଜନ୍ମସ୍ଥାନ

ଲଭନ୍ତି ଯଥା ସାଗର ।

ଶରୀର ପ୍ରଭାରେ ଶୋଭା ପାଉଥିଲେ

ମଧ୍ୟମା ରାଣୀ ତାଙ୍କର,

ପୁଣି ପତିଭକ୍ତି ଥିବାରୁ ତା’ ପ୍ରତି

ବଢ଼ିଲା ନୃପ ଆଦର ।

ଦିଗ ବିଦିଗରୁ ଆଣି ଏଥୁ ଅନ୍ତେ

ଅର୍ଥ ରାଶି ବାହୁବଳେ,

କଲେ ବିନିଯୋଗ ତାହାକୁ ସାନନ୍ଦେ

ଯାଗ କରି ବହୁସ୍ଥଳେ ।

ଦାନବ ବିଜେତା ମଘବାଙ୍କୁ ସିନା

ନମୁଥିଲେ ଭକ୍ତିଭରେ,

ଅନ୍ୟ ଭୂପତିଏ ନୁଆଁନ୍ତି ମସ୍ତକ

ତାଙ୍କ ଚରଣ ତଳରେ ।

କୁସୁମସମ୍ଭାର ଧରି ମଧୁକାଳ

ଏବେ ହେଲା ଉପସ୍ଥିତ,

ପାଦପ ମଣ୍ଡଳି ନବ କିଶଳୟେ

ହୋଇଲେଣି ବିଭୂଷିତ,

ଆମ୍ବ ବଉଳିବା ଗନ୍ଧ ପାଇ ପିକ

ଲୁଚି ରସାଳ ଡାଳରେ ।

ରହି ରହି କୁହୁ କୁହୁ ସ୍ୱନ କରି

ପ୍ରାଣୀଙ୍କ ମାନସ ହରେ ,

ମୁକୁଳ ବକୁଳ ସୁବାସ ଲଭିଣ

ମଧୁ ମକ୍ଷିକା ନିଚୟ ।

ଯାଇ ତା’ ଭିତରୁ ମକରନ୍ଦ ଆଣି

କରନ୍ତି ମଧୁ ସଞ୍ଚୟ,

ମଧୁପାୟୀ ମଧୁ ପାନ ଲାଳସାରେ

ଗୁଣୁ ଗୁଣୁ ନାଦକରି ।

ଉଡ଼ି ଉଡ଼ି ଯାଇ ନଳିନୀ କୋଷରୁ

ମକରନ୍ଦ ନେଲା ହରି ।

ରମଣୀୟ ଆଭା ହେଲେ ହେଁ ଶଶୀଙ୍କ

ସତୀତ୍ୱର ପରିଚୟ,

ଦେଇ କମଳିନୀ ମୁଖ ମୋଡ଼ିଲାକି

ଦେଖି ତାହାଙ୍କୁ ଉଦୟ !

ସୁଲୁ ସୁଲୁ ବାତ ଦକ୍ଷିଣ ଦିଗରୁ

ବହି ହୁଏ ରୁଚିକର,

ବିଶୁଷ୍କ ଶରୀର ଦିଶିଲା ସୁନ୍ଦର

ଏବେ ପ୍ରାଣୀମାନଙ୍କର ।

ସୁରଭି ସମୟେ ସୁରଭି ତରୁଏ

ଦିଶନ୍ତି ସୁରଭି ଅତି,

ସୌରଭେ ମୋହିତ ପଥିକପଟଳୀ

ଧରନ୍ତି ମନ୍ଥର ଗତି ।

ପୁଷ୍ପେ ବିମଣ୍ଡିତ କିଂଶୁକ ପାଦପେ

ବନେ ଉଭା ଧାଡ଼ି ଧାଡ଼ି,

ନବବଧୂ ପରି ପିନ୍ଧିଛନ୍ତି ଅବା

ଲୋହିତ ବରଣ ପାଢ଼ୀ ।

କେଳି କରୁଛନ୍ତି ଜଳପକ୍ଷୀମାନେ

ଠାବେ ଠାବେ ସରୋବରେ,

ଫଗୁଖେଳେ ମାତି ବାଳକକଳାପ

ଡେଉଁଛନ୍ତି ହରଷରେ ।

ଧାନ-ମୁଗ-ମନ୍ଥି ମନ୍ଥି ଚଷାପୁଏ

ଭୋକଶୋଷେ ଭାରି ବ୍ୟସ୍ତ,

ଉଦର ଦାଉକୁ ସମ୍ଭାଳି ନେବାକୁ

ଯୋଗୀଏ ସିନା ଅଭ୍ୟସ୍ତ ।

ମକରନ୍ଦ ଆଶେ ଅନ୍ଧହୋଇ ଅବା

ମଧୁକର ଦଳେ ଦଳେ,

ଗୁଞ୍ଜରି ମଧୁରେ କୁରୁବକ ପାଶେ

ଉଡ଼ୁଛନ୍ତି କୁତୂହଳେ ।

ବିକଚ ବକୁଳ ପୁଷ୍ପ ଚାରିପଟେ

ମଧୁଲୋଭୀ ଭୃଙ୍ଗତତି,

କାନ୍ଦୁଛନ୍ତି କିରେ ଗୁଣୁ ଗୁଣୁ ସ୍ୱନେ

ଦେଖି ମଧୁକର ପନ୍ତି ।

ଉଦ୍ୟାନ ଭିତରେ ଫୁଟି ମଲ୍ଲୀକାଏ

ରଞ୍ଜନ୍ତି ଦର୍ଶକ ମନ,

ଚନ୍ଦ୍ରମା କାନ୍ତିକି ଧିକ୍‌କାରିଲା କିରେ

ତା’ର ଧବଳ ବରଣ ?

ବସନ୍ତ ଉତ୍ସବେ ହାସ୍ୟ ରହସ୍ୟରେ

ମାତନ୍ତେ ସକଳେ ସିନା,

ନମିଳିବ ମୁକ୍ତି ଏଭବ ସାଗରୁ

ପରମେଶ ପୂଜା ବିନା ।

ଯାଉଛି ଫେରୁଛି ଏ ବସନ୍ତ କାଳ

ବିଧାତାଙ୍କ ବିଧିବଶେ

କିନ୍ତୁ ଏ ଯୌବନ ଫେରିବ ନାହିଁଟି

କେବେହେଁ କାର ପ୍ରୟାସେ ।

ଅନୁଭବି ସୁଖ ଏ ସୁରଭି କାଳେ

ଦଶରଥ ନରପତି,

ପାରିଥି ପ୍ରୟାସୀ ମୃଗୟା ବିହାରେ

ବଲାଇଲେ ଏବେ ମତି ।

ସୁସଜ୍ଜିତ ହୋଇ ପାରିଧି ବେଶରେ

ଧରି ଭୀମ ଶରାସନ,

ବାହାରିଲେ ବୀର ନବର ମଧ୍ୟରୁ

ଆରୋହି ଦିବ୍ୟସ୍ୟନନ୍ଦନ ।

ଶୋଭୁଅଛି ଗଳେ ବନ ପୁଷ୍ପମାଳ

ତନୁ ମୃଦୁ ପଲ୍ଲବରେ,

ପଶୁ ସମାକୀର୍ଣ୍ଣ ବିପିନେ ପ୍ରବେଶି

ଭ୍ରମିଲେ ହରଷଭରେ ।

ମାର୍ଗେ ମାର୍ଗେ ତାଙ୍କ ଅନୁଚରବର୍ଗେ

ପାରିଧି ବେଶ ପକାଇ,

ସରମା ନିକର ପୁଣି ଜାଲ ଘେନି

ଯାନ୍ତି ଗୋଡ଼ାଇ ଗୋଡ଼ାଇ ।

ସପ୍ତବର୍ଣ୍ଣ ଯୁକ୍ତ ରମ୍ୟ ଇନ୍ଦ୍ରଧନୁ

ଧରେ ସିଂହମାସ ଯଥା,

ବିଚିତ୍ର ଚିତ୍ରିତ ସୁରଭି କୋଦଣ୍ଡ

ବହିଲେ ନୃପତି ତଥା ।

ତହିଁ ଗୁଣଯୋଖି ଦିଅନ୍ତେ ଟଙ୍କାର

ଘୋର ଘୋଷ ହେଲା ଜାତ,

ତା’ ଶୁଣି ଆବେଗେ ଗ୍ରୀବା ଟେକି ଟେକି

ଦେଖାଦେଲେ ମୃଗବ୍ରାତ ।

କ୍ଷିପ୍ର ଗତି ଧରି କୃଷ୍ଣସାରଟିଏ

ଆସୁଥିଲା ଆଗେ ଆଗେ,

ଲକ୍ଷ୍ୟକରି ତାକୁ ତୂଣୀରରୁ କାଢ଼ି

ବିନ୍ଧିଲେ କାଣ୍ଡ ସରାଗେ ।

ପଡ଼ନ୍ତେ ତଳେ ସେ ଅନ୍ୟମୃଗ ଆଶେ

କାଢ଼ିଲେ ତୁଣୀରୁ ଶର,

କିନ୍ତୁ ଭୟତ୍ରସ୍ତ ଦେଖି ତା’ ଚାହାଁଣି

ଥକିଲେ ଅଜ କୁମର ।

ନିକଟରେ ଥିବା ପଲ୍ୱଳ ପାରୁଶ

ତୃଣେ ହୋଇଥିଲା ଭର,

ଦିଶୁଥିଲା ଯହିଁ କର୍ଦ୍ଦମରେ ସିକ୍ତ

ଖୁରାଚିହ୍ନ ବରାହର ।

ଖଣ୍ଡ ଖଣ୍ଡ ହୋଇ ମୁଖମଧ୍ୟୁଁ ତା’ର

କବଳିତ ମୁଥାଘାସ,

ଦେଖିଲେ ସହସା ଖସିପଡ଼ୁଥିବା

ଅତିଶୟ ପାଇ ତ୍ରାସ ।

ଶୂକରମଣ୍ଡଳୀ ଚରୁଥିବା ଦେଖି

ସୁକରେ ଶାୟକ ମାରି,

ଟାଳିଲେ ତକ୍ଷଣେ ସେଥିରୁ ଗୋଟିଏ

ଆନନ୍ଦିତ ହୋଇ ଭାରି ।

ବାଟେ ଯାଉଁ ଯାଉଁ ଅରଣା ମହିଷ

ଝପଟିଲା ଭୁଷିବାକୁ,

କିନ୍ତୁ ତାଙ୍କ ଶର ଗାତ୍ରଭେଦି ତା’ର

ପକାଇଲା ତଳେ ତାକୁ ।

ତଦନ୍ତେ ଶାର୍ଦ୍ଦୂଳ କେଶରୀ ବାରଣ

ସେହି ଶାୟକ ଘୋଷରେ,

ବାହାରନ୍ତେ ବନୁଁ ସଂହାରିଲେ ଜବେ

ସୁତୀକ୍ଷ୍‌ଣ ଇକ୍ଷୁ ମୁନରେ ।

ରଜନୀ ହେବାରୁ ପହୁଡ଼ିଲେ ଭୂପ

ରମ୍ୟ ପଲ୍ଲବ ଶେଯରେ,

ପ୍ରଦୀପ ପରାଏ ପ୍ରଜ୍ଜ୍ୱଳିତ ହେଲେ

ପୂର୍ଣ୍ଣଚନ୍ଦ୍ର ଏକାଳରେ ।

ଶ୍ରମଜାତ ଝାଳ ହରି ନେଉଥିଲା

ମୃଦୁ ସମୀରଣ ବହି,

ମୃଗେନ୍ଦ୍ର ଗର୍ଜନ ଘନ ବନମଧ୍ୟୁଁ

ଶୁଭୁଥିଲା ରହି ରହି ।

ପ୍ରଭାତିଲା ନିଶି ଉଠିଲେ ନରେଶ

ଶୁଣି ବିହଙ୍ଗ କୂଜନ,

ସାରି ନିତ୍ୟକର୍ମ ଚଢ଼ି ତୁରଙ୍ଗମ

ବୁଲିଲେ ଗହନ ବନ ।

ତୀବ୍ରଗତି ବଶେ ବୁଲି ବୁଲି ଶେଷେ

ସହସା କଲେ ପ୍ରବେଶ,

ତମସା ତଟରେ ନଥିଲା ଯହିଁରେ

ଦିନକର କର ଲେଶ ।

ସେ ତଟନୀ ଜଳେ କୁମ୍ଭ ପୂରଣର

ଧ୍ୱନି ଶୁଣି ନରମଣି,

ନିକ୍ଷେପିଲେ ଶଲ୍ୟ କର୍ଣ୍ଣଯାଏ ଟାଣି

ବାରଣ ବୃଂହିତ ମଣି ।

ବଧ୍ୟ ନୁହେଁ ବୋଲି ଦନ୍ତାବଳ କେବେ

ରାଜାଙ୍କର ମହୀତଳେ,

ଜାଣିଲେହେଁ ସେହି ଏ ଅବିଧି କର୍ମ

କରିଲେ ମୃଗୟାଭୋଳେ ।

ରାଜସ ଗୁଣରେ ପ୍ରାଣୀଏ ଯେବେଟି

ହୋନ୍ତି ବଶୀଭୂତ ଭବେ,

ସେତେବଳେ କେଭେ ନରହେ ତାଙ୍କର

ହିତାହିତ ଜ୍ଞାନ ଲବେ ।

ଶୁଭିଲା ଏକାଳେ ତରଙ୍ଗିଣୀ ତୀରୁ

ବିକଳ ବିଳାପ ନାଦ,

ସେହି ଆର୍ତ୍ତ ସ୍ୱର ଶୁଣି ଶଦ୍ଦଭେଦୀ

ଗଣିଲେ ବଡ଼ ପ୍ରମାଦ ।

ବିଚଳିତ ହୋଇ ନଦୀ ସମୀପକୁ

ବିଲୋକିଲେ ସେହୁ ଯାଇ,

ତପସ୍ୱୀ ତନୟ ରକ୍ତାକ୍ତ ଶରୀରେ

ହୋଇଛନ୍ତି ଭୂମିଶାୟୀ ।’

ଏ ଦାରୁଣ ଦୃଶ୍ୟେ ପୁଚ୍ଛନ୍ତେ ସେ ନମ୍ରେ

ତାଙ୍କ କୁଳ ପରିଚୟ,

ନିଜ ବଂଶ କଥା କହିଲେ ଅସ୍ପଷ୍ଟେ

ସେହି ତପସ୍ୱୀ ତନୟ ।

‘ଶୂଦ୍ର ମୁନିଙ୍କର ଅଟଇ କୁମର

ଆସିଥିଲି ଜଳପାଇଁ,

ଅଳ୍ପ ଦୂରେଛନ୍ତି ଅନ୍ଧ ପିତାମାତା

ନେଇଯାଅ ମୋତେ ଧାଇଁ ।’

ପ୍ରାଣହାରୀ ଶର ନକାଢ଼ି ଶରୀରୁଁ

ତାହାଙ୍କୁ ନେଇ ବିକଳେ,

ପିତାମାତା ଆଗେ କହିଲେ ସେ ଧୀରେ

ନେତ୍ରଭରି ଅଶ୍ରୁଜଳେ ।

କରୀ ବୋଲି ଭ୍ରମେ କରିଛି ପାତକ

ପଡ଼ି ମହା ଅଜ୍ଞାନରେ,

ଦିଅ ଦଣ୍ଡ ମୋତେ ଯେହେତୁ ମୁଁ ଦୋଷୀ

ଆଜି ଏ ହତ୍ୟା ଦୋଷରେ ।’

କାଢ଼ୁ କାଢ଼ୁ ଶଲ୍ୟ ଲଭନ୍ତେ ପଞ୍ଚତ୍ୱ

ଶୂଦ୍ର ମୁନିଙ୍କ ନନ୍ଦନ,

ଶୋକାନଳେ ଦଗ୍‌ଧ ହୋଇ ସେ ତପସ୍ୱୀ

କଲେ ଅଭିଶାପ ଦାନ ।

‘ମୋ ଭଳି ତୁମ୍ଭର ହେବ ଦେହାନ୍ତର

ବୋଲି କହନ୍ତେ ସେ ମୁନି,

ଅପୁତ୍ରିକ ବୋଲି କହି ଦଶରଥ

କିଛିକ୍ଷଣ ହେଲେ ତୁନି ।

ତହୁଁ ସେ ଦମ୍ପତି ବୋଇଲେ ତାହାଙ୍କୁ

‘କାଷ୍ଠ ଆହରଣ କରି,

କର ଅଗ୍ନିଦାନ ପୁତ୍ର ସଙ୍ଗେ ଯିବୁ

ନରହିବୁ ପ୍ରାଣ ଧରି ।’

କହନ୍ତେ ଏକଥା ମୁନି ଇଚ୍ଛାମତେ

ଯତନେ ସବୁ ସଜାଡ଼ି,

ଥୋଇ ସେ ଚିତାରେ ତିନିଙ୍କୁ ଏକାଠି

ପାବକ ଦେଲେ ଅଜାଡ଼ି ।

ପତିପତ୍ନୀ ଗଲେ ତନୟର ସହ

ତହୁଁ ଅନାମୟ ଧାମ,

ଲେଉଟିଲେ ଭୂପ ଅଭିଶାପ ପାଇ

ପୁରେ ନକରି ବିଶ୍ରାମ ।

★★★

 

Unknown

ଦଶମ ସର୍ଗ

 

ଅୟୁତରୁ ଊଣା କିଞ୍ଚିତ ବରଷ

ପାଳିଲେହେଁ ଏ ମେଦିନୀ,

ତନୟରବ ମୁଖ ନଦେଖି ନୃପତି

ଯାପନ୍ତି ଦୁଃଖେ ଯାମିନୀ ।

ଋଷ୍ୟଶୃଙ୍ଗ ଆଦି ପୌରହିତ୍ୟ କାର୍ଯ୍ୟେ

ଯଥାକାଳେ ଶୁଦ୍ଧ ହୋଇ,

ପୁତ୍ରେଷ୍ଟି ଯାଗକୁ କରିଲେ ଆରମ୍ଭ

ସକଳ ସାମଗ୍ରୀ ଥୋଇ ।

ବ୍ୟକ୍ତ କରିଥିଲେ ତ୍ୟକ୍ତ କରି ଭୟ

ଏଣେ ସୂରଗଣେ ଯାଇ,

ବିଷ୍ଣୁଙ୍କ ଛାମୁରେ ଦଶାସ୍ୟ ଔଦ୍ଧତ୍ୟ

ବ୍ରହ୍ମାଠାରୁ ବରପାଇ ।

ସେକାଳେ ଶ୍ରୀପତି ଯୋଗନିଦ୍ରା ତେଜି

ବସିଥିଲେ ଆନନ୍ଦରେ,

ପଦ୍ମାଳୟ ସହ ଉଦ୍ଭାସିତ ହୋଇ

ଫଣୀମଣିର ଜ୍ୟୋତିରେ ।

ଶୁଣି ନାରାୟଣ ଅଜରଙ୍କ କଥା

କହିଲେ ହେ ସୂରଗଣ,

ଅଛି ମୁଁ ବିଦିତ କରୁଅଛି ଯାହା

ରାକ୍ଷସପତି ରାବଣ ।

ଅଚିରେ ମରତେ ହେବି ଆବିର୍ଭୂତ

ନଭାବ କିଛି ମନରେ,

ହେଲେ ପ୍ରଭଞ୍ଜନ ଅଗ୍ରସର କିରେ

ହୁତାଶନ ସାହାଯ୍ୟରେ !

ପୂର୍ବେ ଦଶାନନ ନଅଟି ମସ୍ତକ

ଛିନ୍ନ କରି ସ୍ୱଦସ୍ତରେ,

ମୋ ତୃପତି ଲାଗି ଆନନ୍ଦେ ଆହୁତି

ଦେଇଥିଲା ଅକାତରେ ।

ବ୍ରାହ୍ମାଙ୍କ ବରର ମର୍ଯ୍ୟାଦା ନିମନ୍ତେ

ସହିଅଛି ଏତେକାଳ,

ଦୁଷ୍ଟ ନିଶାଚର ପାଇବ ନିକଟେ

ଦୌରାତ୍ମ୍ୟର ପ୍ରତିଫଳ ।

ଅଯୋଧ୍ୟା ନଗରେ ଦଶରଥ ଗୃହେ

ଜନମି ନର ରୂପରେ,

ଦେବି ଉପହାର ବଳୀରୂପେ ତାକୁ

ରଣବଣ୍ଡିକା ମୁଖରେ ।

ଏ ଆଶ୍ୱସ୍ତ ବାଣୀ ଦେବତାଏ ଶୁଣି

ଋକ୍ଷଶାଖାମୃଗ କୁଳେ,

ଜନ୍ମିଲେ ମର୍ତ୍ତ୍ୟରେ ନିଜ ନିଜ ଅଂଶେ

ରାବଣର ପ୍ରତିକୂଳେ !

ଏଣେ ଦଶରଥ ପୁତ୍ର ଲାଭ ଯାଗ

କଲାବେଳେ ସମାପନ,

ହେମମୟ ପାତ୍ରେ ସ୍ୱର୍ଗୀୟ ପୁରୁଷ

ଜଣେ ଧରି ପାୟସାନ୍ନ ।

ସହସା ଉଠିଲେ ସେହି ଯାଗ କୁଣ୍ଡୁଁ

ଅତି ବିସ୍ମୟ ଜନ୍ମାଇଁ,

‘ପ୍ରଦତ୍ତ ଏ ଅନ୍ନବିଧାତାଙ୍କ କହି

ନୃପଙ୍କୁ ଦେଲେ ବଢ଼ାଇ ।

ନେଇ ଦଶରଥ ମହା ଆନନ୍ଦରେ ।

ଦ୍ୱିଭାଗେ କରି ବଣ୍ଟନ,

କୌଶଲ୍ୟା କୈକେୟୀ ମହିଷୀଙ୍କୁ କଲେ

ସମଭାଗେ ଅରପଣ ।

ଜାଣି ବେନି ରାଣୀ ସ୍ୱାମୀ ମନୋଭାବ

ନିଜେ ଭାଗ ଭାଗ କରି,

ସୁମିତ୍ରାଙ୍କୁ ଦେଲେ ଅଧେ ଅଧେ ଦୁହେଁ

ପ୍ରଭୁଙ୍କ ନାମ ସୁମରି ।

ଫଳେ ବିମଣ୍ଡିତ ହୋଇ ଯଥାକାଳେ

ପାଦପ ଶୋଭଇ ଯଥା,

ସମକାଳେ ଗର୍ଭ ଧରି ତିନି ରାଣୀ

ଦିଶିଲେ ସୁନ୍ଦର ତଥା ।

ନିଶି ଅନ୍ତେ ଧରେ ତିମିର ନାଶକ

ଜ୍ୟୋତି ଉଷାକାଳ ଯଥା ।

ନୃପ ପାଟରାଣୀ କଉଶଲ୍ୟା ଏବେ

ପ୍ରସବିଲେ ପୁତ୍ର ତଥା ।

ମଞ୍ଜୁ ତେଜ ପୁଞ୍ଜ ଯୁକ୍ତ ନବଜାତ

ଶିଶୁ ପଡ଼ିବାରୁ ତଳେ,

ସଙ୍ଗେ ସଙ୍ଗେ ଧାଈ ନାଭି କାଟି ଦେଇ

ଧୋଇ ଦେଲା ଦେହ ଜଳେ ।

ପୁତ୍ର ହେବା ଜାଣି ଆସି ନରମଣି

ଫିଟାଇ ବ୍ୟଗ୍ରେ ଭଣ୍ଡାର,

ଦୀନ ଅକିଞ୍ଚନେ ମୁକ୍ତ କରେ ଆଣି

ବାଣ୍ଟିଲେ ଧନ ଅପାର !

ନନୀ କୋଳରୁ ଶିଶୁଟିକୁ ଆଣି

ଦେଖାନ୍ତେ ଜଣେ ବନିତା,

ଶରୀର ତାଙ୍କର ଥିବାରୁ ସୁନ୍ଦର

ରାମ ନାମ ଦେଲେ ପିତା ।

କୈକେୟୀ ଭରତ, ସୁମିତ୍ରା ଲକ୍ଷ୍ମଣ,

ଶତ୍ରୁଘନ ମନୋରମ,

ସନ୍ତାନମାନଙ୍କୁ ଏକ ସମୟରେ

ଦୁହେଁ କରିଲେ ଜନମ ।

ଅଭିରାମ ମୂର୍ତ୍ତି ସେମାନଙ୍କ ଦେହ

ଦେଖି ସକଳେ ଆନନ୍ଦ,

ହେଲେ କି ଉଦିତ ପ୍ରସୂତି ଭବନେ

ଶାରଦ ପୁନିଅଁ ଚାନ୍ଦ !

ଏ ଖବର ଖରେ ପ୍ରଭଞ୍ଜନ ବେଗେ

ପ୍ରସରନ୍ତେ ଭୂମଣ୍ଡଳେ,

ଶଙ୍କା କରି ଲଙ୍କା ଭୂପତି କିରୀଟ

ଖସି ପଡ଼ିଲା କି ତଳେ !

ଭୂମିଷ୍ଟ ହେବାରୁ ଦଶରଥ ଘରେ

ଚାରି ତନୟ ରତନ,

ଧରଣୀବାସୀଏ ତଥା ଦେବତାଏ

ହରଷେ ହେଲେ ମଗନ ।

ଗୋଟି ଗୋଟି ହୋଇ କୋଟି କୋଟି ଲୋକ

ରୁଣ୍ଡ ହୋଇ ନବରରେ,

ବିପତ୍ତି ଖଣ୍ଡନେ ମଣ୍ଡନ କଲେ କି

ରମ୍ୟ କୁସୁମ ମାଳରେ !

ମହା ହର୍ଷ ମନେ ଦେବଲୋକେ ଦେବେ

ଦୁନ୍ଦୁଭି ଶଙ୍ଖ ବଜାଇ,

କାମନା ପୂରଣ ହେବାରୁ ତାଙ୍କର

ତ୍ରିପୁର ଦେଲେ କମ୍ପାଇ ।

ସ୍ତନ୍ୟପାୟୀ ପୁତ୍ରେ ବଢ଼ିଲେ ଆଦରେ

ଦିନୁଦିନ ଶଶୀପରି,

ଏଣେ ଧରାତଳୁ ବ୍ୟାଧି ଦୁର୍ଭିକ୍ଷାଦି

ଧୀରେ ଗଲା ଅପସରି ।

ଡଗ ଡଗ ହୋଇ ଚାଲିବା ବେଳରେ

କେବେ ଯାଉଥାନ୍ତି ପଡ଼ି,

ଦରୋଟି ବଚନ କହି କେବେ କେବେ

ଯାଉଥିଲେ ହସେ ଗଡ଼ି ।

ସୁଶିକ୍ଷା ପ୍ରଭାବେ ବିନୀତ ସ୍ୱଭାବ

ଅଧିକ ହେଲା ଉନ୍ନତ,

ପରସ୍ପର ସ୍ନେହ ଭାଇଙ୍କ ମଧ୍ୟରେ

ତେଣୁ ଥିଲା ଅବିରତ ।

ଶ୍ରୀରାମ ଲକ୍ଷ୍ମଣେ ଭରତ ଶତ୍ରୁଘ୍ନେ

ସମଧିକ ଥିଲା ପ୍ରୀତି,

ନଥିଲା ଅନ୍ତର କିଛି ବେନି ମଧ୍ୟେ

ସଙ୍ଗ ଲୋଡ଼ୁଥିଲେ ନିତି ।

କିଶୋର ବୟସ ହୁଅନ୍ତେ ସେମାନେ

ସାରି ବିଦ୍ୟା ଅଧ୍ୟୟନ,

ଲାଖ ମାରି ମାରି ଶିଖି ଧନୁର୍ବିଦ୍ୟା

କଲେ ଯଶ ଉପାର୍ଜନ ।

ଦେବ ଅଂଶେ ଜାତ ନିତି ଦରଶନ

କରି ତନୟଙ୍କ ମୁଖ,

ଏ ବୁଢ଼ା ବୟସେ ଲଭିଲେ କି ନୃପ

ଅମର ଧାମର ସୁଖ ?

★★★

 

ଏକାଦଶ ସର୍ଗ

 

ଏଥୁଅନ୍ତେ ଦିନେ ବିଶ୍ୱାମିତ୍ର ମୁନି

ଆସି ଅଯୋଧ୍ୟା ନଗରେ,

ବର୍ଣ୍ଣିଲେ ଦୁଃଖରେ ଦଶରଥ ଆଗେ

କରନ୍ତି ଯା ନିଶାଚରେ ।

‘‘ରକ୍ଷମାନଙ୍କର ବିନାଶ ନିମନ୍ତେ

ରାମଙ୍କ ସିନା ଜନମ,

ନକରନ୍ତୁ ମନା ତାଙ୍କୁ ନେବା ଲାଗି

ବ୍ୟର୍ଥ ନହେଉ ମୋ ଶ୍ରମ ।

କାର୍ଯ୍ୟ ସିଦ୍ଦି ପାଇଁ ନାହିଁ କା ସନ୍ଦେହ

ହେଲେହେଁ କିଶୋର ରାମ ।’’

ସଙ୍ଗେ ସଙ୍ଗେ ତାଙ୍କୁ ଛାଡ଼ି ଦେବି ଆଣି

ଯୁଦ୍ଧର ହେଲେ ବିରାମ,

ସେ ତାପସ ବାଣୀ ଶୁଣି ନରମଣି

ଅର୍ପିଲେ ରାମ ଲକ୍ଷ୍ମଣ,

କଲେ ଧନ୍ୟ ଧନ୍ୟ ନୃପତିଙ୍କି ଏଣେ

ସ୍ୱର୍ଗରେ ଦେବତାଗଣ ।

କିନ୍ତୁ ନୃପ ହୃଦେ ଘାରି ହେଉଥାଏ

ଅନ୍ଧମୁନି ଅଭିଶାପ,

ଛାଡ଼ିଲେ ହେଁ ଋଷି ସଙ୍ଗେ ସେମାନଙ୍କୁ

କଲେ ପରେ ମନସ୍ତାପ ।

ନାନା ଶୁଭଚିହ୍ନ ଦିଶିଲା ସେକ୍ଷଣି

ପଥ ସଂସ୍କାର ଉତ୍ତାରେ,

ବାଟ ଧୂଳି ରାଶି ନାଶି ଦେଲା କିରେ

ବାରିଦ ବାରି ଧାରାରେ !

ବ୍ୟଗ୍ରେ ରାଜମାର୍ଗେ ବିଞ୍ଚି ଦେଇଥିଲା

ବାୟୁ ଗୋଟି ଗୋଟି କରି,

ପୁଷ୍ପିତ ପାଦପୁଁ ଫୁଲ ତୋଳି ଆଣି

ଅବା ପରିଚାର ପରି ।

ଶ୍ରୀରାମ ଲକ୍ଷ୍ମଣ ଜନକ ଚରଣେ

ପ୍ରଣମି ଭକତିଭରେ,

ବିଶ୍ୱାମିତ୍ର ସଙ୍ଗେ ବାହାରିଲେ ବେନି

ଧରି କାର୍ମୁକ ହସ୍ତରେ ।

ଥପ ଥପ ହୋଇ ନୟୁନୁଁ ଲୋତକ

ପଡ଼ିଲା ବିଦା କାଳରେ,

ତନୟବତ୍ସଳ ଦଶରଥଙ୍କର

ଅଧିକ ସ୍ନେହ ବଶରେ ।

ଜନନୀଙ୍କ ପଦେ ନୁଆଁଇ ମସ୍ତକ

ନବରୁଁ ହୋଇ ବାହାର,

ମୁନିଙ୍କ ପଛରେ ଗଲେ ହର୍ଷଭରେ

ସେ ବେନି ରାଜକୁମାର ।

ବିଶ୍ୱାମିତ୍ରଙ୍କର ମୁଖୁଁ ଶୁଣି ଶୁଣି

ପ୍ରାଚୀନ କାହାଣୀମାନ,

ଶୈଶବ ଚପଳ ଗତିରେ ସେ ଦୁହେଁ

କଲେ ପଥ ପର୍ଯ୍ୟଟନ ।

ଗଲାବେଳେ ପଥେ ମେଘମାଳା ନଭେ

ଭାନୁଙ୍କୁ ଦେଲେ ଘୋଡ଼ାଇ,

ମନେ ହେଲା ଅବା କଲା ଛାୟା ଦାନ

ରାମଙ୍କୁ ଦେଖି ବାଟୋଇ ।

ମଧୁର ଧ୍ୱନିରେ ବିହଙ୍ଗମଗଣ

କୂଜୁଥିଲେ ଡାଳେ ବସି,

ସ୍ତୁତି କଲାପରି ଭକତନିକର

ଦେବାଳୟ ମଧ୍ୟେ ପଶି ।

ଯାଉଁ ଯାଉଁ ବାଟେ ତାଡ଼କା ଅସୁରୀ

ଭୟଙ୍କର ରଡ଼ି ଛାଡ଼ି,

ଆସନ୍ତେ ଶ୍ରୀରାମ ବିନ୍ଧିବାରୁ ଶର

ବକ୍ଷ ଗଲା ତା’ର ଛିଡ଼ି ।

ବିଶ୍ୱାମିତ୍ର ମୁନି ଏମାନଙ୍କୁ ଘେନି

ଏଅନ୍ତେ ସ୍ୱୀୟ ମଠରେ,

ପ୍ରବେଶନ୍ତେ ଆସି ଶିଷ୍ୟମାନେ ତାଙ୍କୁ

ପୂଜିଲେ ହରଷଭରେ ।

ପୁରୋହିତ ଯାଗ ଆରମ୍ଭ କରନ୍ତେ

ବେଦ ମନ୍ତ୍ରପାଠ କରି,

ସ୍ଥୂଳ ରକ୍ତ ବିନ୍ଦୁ ପଡ଼ିଲା ଗଗନୁଁ

ବନ୍ଧୁକ ସୁମନ ପରି ।

ପୂଜା ସାମଗିରୀ ପଡ଼ିଗଲା କରୁଁ

ପୁରୋହିତ ମାନଙ୍କର,

ଏ ଦୃଶ୍ୟ ଦର୍ଶନେ କୋପେ ରଘୁମଣି

ତୂଣୀରୁ କାଢ଼ିଲେ ଶର ।

ଚାହାଁନ୍ତେ ଊର୍ଦ୍ଧକୁ ଦେଖିଲେ ଶ୍ରୀରାମ

ବୁଲିବାର ଗଗନରେ,

ଏପଟେ ସେପଟେ ଯାଗ ବିଘ୍ନକାରୀ

ସୁବାହୁ ମାୟା ବେଶରେ ।

ରିପୁକୁଳାନ୍ତକ ରାମ ତା’ ଦର୍ଶନେ

ତାକୁ କରି ଖଣ୍ଡ ଖଣ୍ଡ,

ଶକୁନି ମାନଙ୍କୁ ବାଣ୍ଟି ଦେଲେ ଜବେ

କାମନା କରି ତା’ ପଣ୍ଡ ।

ଯାଗ ସମାପନ କରି ଗାଧିସୂନୁ

ଶୁଭ ଆଶୀର୍ବାଦ ଦେଇ,

ସେ ଦୁଇ ଭାଇଙ୍କି ମିଥିଳା ଯିବାକୁ

ବାହାରିଲେ ସଙ୍ଗେ ନେଇ ।

ବିଦେହାଧିପତି ରାଜର୍ଷି ଜନକ

ତାଙ୍କ ଧନୁର୍ଭଙ୍ଗ ଯାଗେ,

ଯୋଗ ଦେବା ପାଇଁ ଗାଧି ତନୟଙ୍କୁ

ଲୋଡ଼ିଥିଲେ ଅନୁରାଗେ ।

ପ୍ରଦୋଷ ସମୟ ହେବାରୁ ସେମାନେ

ପ୍ରବେଶି ଗୌତମାଶ୍ରମେ,

ଛାୟା ତରୁ ତଳେ ଯାପିଲେ ଯାମିନୀ

କ୍ଳାନ୍ତ ହୋଇ ପଥଶ୍ରମେ ।

ଗୌତମ ପ୍ରେୟସୀ ଅହଲ୍ୟା ସୁନ୍ଦରୀ

ସ୍ୱାମୀ ଅଭିଶାପ ଫଳେ,

ପାଷାଣ ରୂପରେ ପଡ଼ିଥିଲେ ତହିଁ

ବହୁଦିନୁ ଛାଇ ତଳେ ।

ଋଷିଙ୍କ ଆଦେଶେ ପାଷାଣ ଉପରେ

ଦିଅନ୍ତେ ରାମ ଚରଣ,

ସେ ପଦ କମଳ ବାଜିବାରୁ କଲେ

ଅହଲ୍ୟା ରୂପ ଧାରଣ ।

ଗୌତମ ପ୍ରେୟସୀ ଅନୁରୋଧ କ୍ରମେ

ସେ ଆଶ୍ରମେ କିଛି କାଳ,

ରହି ପ୍ରବେଶିଲେ ମିଥିଳା ନଗରେ

ମୁନି ସଙ୍ଗେ ବେନି ବାଳ ।

ବିଦେହ ନଗର ବାସୀବାସିନିଏ

ତାଙ୍କ ଲାବଣ୍ୟ ମୂରତି,

ନିନିମେଷ ନେତ୍ରେ ଚାହିଁ ଚାହିଁ ତାଙ୍କୁ

ଲଭିଲେ ବଡ଼ ତୃପତି ।

ରାଜର୍ଷି ଜନକ ସେମାନଙ୍କୁ ଦେଖି

ନେଲେ ଅଭ୍ୟର୍ଥନା କରି,

ମନେ ହେଲା ଦୁହେଁ ସ୍ୱର୍ଗଭ୍ରଷ୍ଟା ପୁନ-

ର୍ବସୁ ତାରା ବେନି ପରି ।

ଯାଗ ଶେଷ ଅନ୍ତେ ମିଥିଳାପତିଙ୍କୁ

ନିବେଦିଲେ ଋଷିବର,

‘ତବ ହରଧନୁଦର୍ଶନ ଲାଳସେ

ଆସିଛନ୍ତି ରଘୁବୀର ।

ନିରାଶ ଅନ୍ତରେ ଉତ୍ତରିଲେ ତହୁଁ

ବିଦେହ ରାଜ ଜନକ,

‘‘ଏ ଦୁଇ ଶିଶୁଙ୍କ ନିଷ୍ଫଳ ସାହସେ

ମନେ ଲାଗେ ଦକ ଦକ ।

ନୁଆଁଇ ନପାରି ଭୀଷଣ ଚାପକୁ

ଆଗେ ବହୁ ଧନୁର୍ଦ୍ଧର,

ଲଜ୍ଜାରେ ବାହୁଡ଼ି ଯାଇଛନ୍ତି ଫେରି

ନିଜକୁ କରି ଧିକ୍‌କାର ।’’

ଜନକ ବଚନ ଶୁଣି ଗାଧିସୂନୁ

ପ୍ରଶଂସନ୍ତେ ରାମବଳ,

ଆଦେଶିଲେ ସେହୁ ପରିଚାରେ ଧନୁ

ଆଣିବାକୁ ସଭାସ୍ଥଳ ।

ଦେବରାଜ ଯଥା ଗଗନ ମଣ୍ଡଳେ

ଆଦେଶନ୍ତି ଜଳଦକୁ,

ବିଚିତ୍ର ଚିତ୍ରିତ ତେଜୋମୟ ଚାପ

ଆବିଷ୍କାର କରିବାକୁ ।

ଭୂଜଙ୍ଗମ ରାଜ ସମାନ ଭୀଷଣ

ସେ କୋଦଣ୍ଡ ଧରି ରାମ,

ବିସ୍ମୟ ଜନ୍ମାଇ ସଭାସ୍ଥ ରାଜନେ

ଦେଖାଇଲେ ସ୍ୱବିକ୍ରମ ।

ଅତିଶୟ ଗୁରୁ ହେଲେ ହେଁ କୋଦଣ୍ଡ

ନୁଆଁନ୍ତେ ଅବଲୋଳରେ,

ଏରଣ୍ଡ ଦଣ୍ଡକି ଖଣ୍ଡ ଖଣ୍ଡ ହୋଇ

ପଡ଼ିଲା ଭୂଖଣ୍ଡପରେ !

ରାମଶକ୍ତି ଦେଖି ଅଯୋନୀ ସମ୍ଭୁତା

ଜାନକୀଙ୍କି ରାମ କରେ,

‘ସମର୍ପଲି ବୋଲିକହିଲେ ତପୀଙ୍କି

ଜନକ ହରଷଭରେ ।

ତହୁଁ ଏ ରୂପରେ ଲେଖି ପଠାଇଲେ

କରି ବହୁ ନମସ୍କାର,

ଅଯୋଧ୍ୟା ରାଜାଙ୍କ ସମୀପେ ଜନକ

ରାମ ଧନୁ ଭାଙ୍ଗିବାର ।

‘‘ବିଜେ ହୋଇ ପୁରେ ପୁତ୍ରବଧୂ ରୂପେ

ପରିଗ୍ରହ ମୋ ସୁତାକୁ,

ସେବକ ପରାଏ ଭାବିବ ଯଶସ୍ୱୀ

ସଦା ଏ ନେମି ବଂଶକୁ ।’’

ବାର୍ତ୍ତାବହ ରୂପେ ଗଲେ ସତାନନ୍ଦ

ଅଯୋଧ୍ୟା ଏ ସମୟରେ,

ଜଣାନ୍ତେ ଭୂପଙ୍କୁ ଅର୍ଚ୍ଚିଲେ ସେ ତାଙ୍କୁ

ଆନନ୍ଦିତ ହୃଦୟରେ ।

ମିଥିଳାଭିମୁଖେ ବାହାରିଲେ ନୃପ

ଭରତ ଶତ୍ରୁଘ୍ନ ସହ,

ମହା ସମାରୋହେ ଗଜବାଜୀ ଧରି

ଜାଣି ଏ ଶୁଭ ବିବାହ ।

ପ୍ରବେଶି ବିଦେହ ଅଯୋଧ୍ୟାଧୀଶ୍ୱର

ବିଶ୍ୱାମିତ୍ର ସଙ୍ଗେ ଆଗେ,

କଥାବାର୍ତ୍ତା ହୋଇ ଜନକ ସଙ୍ଗରେ

ସମ୍ଭାଷଣ ଅନୁରାଗେ,

ମହୀପାଳ ବେନି ପରିଣୟ ବିଧି

ସମ୍ପାଦିଲେ ଯଥା କାଳେ ।

ଅଯୋନୀ ସମ୍ଭୁତା ବରମାଳା ଆଣି

ଦେଲେ ରଘୁମଣି ଗଳେ ।

ଜାନକୀ ଭଗିନୀ ଊର୍ମ୍ମିଳାଙ୍କ ସଙ୍ଗେ

ଲକ୍ଷ୍ମଣଙ୍କ ପରିଣୟ,

ଜ୍ୟୋତିଷୀ ଗଣନା ଅନ୍ତେ ନିର୍ବିଘ୍ନରେ

କଲେ ନରପତି ଦ୍ୱୟ ।

ଜନକଙ୍କ ଭାଇ କୁଶଧ୍ୱଜ କନ୍ୟା

ମାଣ୍ଡବୀ ଶ୍ରୁତକୀରତି,

ଦୁହେଁ ଯଥାକ୍ରମେ ଇଚ୍ଛିଲେ ସାଗ୍ରହେ

ଶତ୍ରୁଘ୍ନ ଭରତ ପ୍ରତି ।

ନବ ବଧୂଙ୍କର ମଧୁର ମିଳନେ

କୃତାର୍ଥ ହେଲେ ସକଳ,

ରାଜଧାନୀ ମୁଖେ ବାହାରିବା ଲାଗି

ବ୍ୟଗ୍ର ବରଯାତ୍ରୀ ଦଳ ।

ଲଭିଣ ମେଲାଣି ବଧୂ ସହ ଖରେ

ବାହାରିଲେ ଦଶରଥ,

ପ୍ରିତିକୂଳ ବାତ ଭୀମ ବେଗେ ବହି

ଓଗାଳିଲା ତାଙ୍କ ପଥ ।

ବ୍ୟାପ୍ତ ହୋଇଗଲା ଦିଗ୍‌ମଣ୍ଡଳ ଜବେ

ଘନଧୂଳି ପଟଳରେ,

ଜମ୍ବୁକେ ରଡ଼ିଲେ ଭୟଙ୍କର କର୍ଣ୍ଣ-

କଟୁ ବିକୃତ ସ୍ୱରରେ ।

ଦେଖନ୍ତେ ସହସା ଜମଦଗ୍ନି ପୁତ୍ର

ବୀର ପରଶୁରାମଙ୍କୁ,

ଦଶରତ ଭୂପ ‘ଏହି ଅର୍ଘ୍ୟ’ ବୋଲି

ସମ୍ଭାଷଣ କଲେ ତାଙ୍କୁ ।

ସେ ଅଭ୍ୟର୍ଥନାରେ ନକରି ଭ୍ରୂକ୍ଷେପ

କଲେ ତୀବ୍ର ଦୃଷ୍ଟିପାତ,

ମଣିଲେ ନୃପତି ବିନା ନୀରଦରେ

କୁଳୀଶ ହେଲା କି ଜାତ !

କନୀନିକା ଟେକି ହୋଇ ଉଭା ଆଗେ

ଧରି ନିଜ ଧନୁବର,

ଅବଜ୍ଞା କରିଲେ ରଘୁନନ୍ଦନଙ୍କୁ

ଉତ୍ତୋଳି କର୍କଶ ସ୍ୱର ।

ନିଃଶଙ୍କ ହୃଦୟେ ନିଶିତ ଶାୟକ

ରଖି ଅଙ୍ଗୁଳି ସନ୍ଧିରେ,

କ୍ଷିତ୍ରିୟ ସମାଜ ମୋର ଶତ୍ରୁ’ ବୋଲି

ବୋଇଲେ ରକ୍ତ ଦୃଷ୍ଟିରେ ।

‘‘ନିର୍ବାପିତ ବହ୍ନି ଉଠିଲାଣି ଜଳି

ଶୁଣି ତୋହର ବିକ୍ରମ,

ବିଳର ଭିତରେ ଯଷ୍ଟି ଆଘାତରେ

ଯଥା ସୁପ୍ତ ଭୂଜଙ୍ଗମ ।

ବସୁନ୍ଧରା ତଳେ ରାମ ଆଖ୍ୟା ମୋର

ଅଦ୍ୟାପି ଥିଲା ବିରାଜି,

ହର ଶରାସନ ଭାଙ୍ଗି ଅଛୁ ବୋଲି

ବାଧୁଅଛି ମୋତେ ଆଜି ।

ଏ ଶିବ ଧନୁର ସାର ଭାଗ ପୂର୍ବେ

ବିଷ୍ଣୁ ନେଇଥିଲେ ହରି

ପକାଇଲୁ ଭାଙ୍ଗି ମହା ଆଣ୍ଟ ପଣେ

ଦଦରା ଧନୁକୁ ଧରି ।

ଯେ ବୃକ୍ଷ ମୂଳର ମୃତ୍ତିକା ସକଳ

ଯାଇଥାଏ ଧୋଇ ହୋଇ,

ମୃଦୁଳ ପବନ କରେ ଭୂମିସାତ

ଏହା ଅନ୍ୟଥା ନୁହଇ ।

କରିବି ସ୍ୱୀକାର ପରାଜୟ ଆଜି

ମୋ କୋଦଣ୍ଡେ ଦେଲେ ଗୁଣ,

ସୁରେନ୍ଦ୍ର ସମାଜେ ବଢ଼ିବ ତୋ ନାମ

ବନ୍ଦିବି ତୋପଦେ ପୁଣ ।’’

ଭାର୍ଗବ ମୁଖରୁ ଶୁଣି ଦାଶରଥି

ମନ୍ଦ ମନ୍ଦ ହାସ୍ୟକରି,

ଚଢ଼ାଇଲେ ଗୁଣ ଅବଲୀଳା କ୍ରମେ

ଭାର୍ଗବ କାର୍ମୁକ ଧରି ।

ଦୁଃଖେ ବିପ୍ରବର ହୀନପ୍ରଭ ହୋଇ

ମଳିନ ମୁଖ ଲଜ୍ଜାରେ,

ପଚାରିଲେ ରାମ ଗର୍ବୀ ଭାର୍ଗବଙ୍କୁ

ଅତ ଦୟାର୍ଦ୍ର ଚିତ୍ତରେ ।

ମାରିବାକୁ ମୋତେ କରିଥିଲ ଇଚ୍ଛା

ଦେବି କି ତା’ ପ୍ରତିଫଳ,

ଅବା ରୋଧିବିକି ତବ ଗତପଥ

କହ ହେ ବିପ୍ର ଚଞ୍ଚଳ ?

ଠାପୁଆ ପଣରେ ଉତ୍ତରିଲେ ବିପ୍ର

‘‘ଜାଣେ ମୁଁ ତୁମ୍ଭଙ୍କୁ ହରି

ପରମ ପୁରୁଷ ପରାତ୍ପର ବୋଲି

ଖୁସି ମୁଁ ହୋଇଲି ହାରି ।

କରୁଛି ଜଣାଣ ଏ ଦୀନ ମାନସ

ନୁହେଁ ଭୋଗ ସୁଖେ ରତ,

ପବିତ୍ର ତୀର୍ଥରେ ଭ୍ରମିବାକୁ ସଦା

ନରୋଧ ମୋ ଗତିପଥ ।’’

‘ତଥାସ୍ତୁ’ ଉଚ୍ଚାରି ତାଡ଼କାରି ରାମ

ନିକ୍ଷେପ କରନ୍ତେ ଶର,

ଚିରଦିନ ଲାଗି ଭୃଗୁନନ୍ଦନଙ୍କ

ରୋଧିଲା ସରଗ ଦ୍ୱାର ।

ନସହେ ଦଇବ କହାର ଗରବ

କେତେବେଳେ ଧରାତଳେ,

ଜାଣି ଶୁଣି ଶୁଣି ଦେଖାଏ ଗାରିମା

ମଣିଷ ପ୍ରକୃତି ଛଳେ ।

‘ମାଗୁଛି ମେଲାଣିକହି ଭୃଗୁସୁତ

ଗଲେ ଗନ୍ତବ୍ୟ ମାର୍ଗରେ,

ରାଜା ଦଶରଥ ରାମଙ୍କୁ କୋଳରେ

ଧଇଲେ ଅତି ଆଦରେ ।

‘ପୁନର୍ଜନ୍ମ ହେଲାବୋଲି ନରପତି

ଆଲିଙ୍ଗି ଥରକୁ ଥର,

ମହା ଆଡ଼ମ୍ବରେ ପୁତ୍ରବଧୂ ସହ

ପ୍ରବେଶିଲେ ସ୍ୱନଗର ।

★★★

 

ଦ୍ୱାଦଶ ସର୍ଗ

 

ଆସନ୍ତେ ନିର୍ବାଣ କାଳ କ୍ରମେ କ୍ରମେ

ଦଶରଥ ନୃପବର,

ବିଚାରିଲେ ମନେ ରାମଙ୍କୁ ଦେବାକୁ

ରାଜ୍ୟର ଶାସନ ଭାର ।

କୁଳ ପୁରୋହିତ ବଶିଷ୍ଠଙ୍କୁ ଡାକି

ବାଛିଲେ ଯୋଗ ମଙ୍ଗଳ,

ରାମ ଅଭିଷେକ ସମାଚାର ବ୍ୟାପି

ପଡ଼ିଲା ଦେଶେ ଚହଳ ।

ତୋରଣ ମାଳରେ ପୂରଣ ହୋଇଲା

ଅଯୋଧ୍ୟା ରାଜ ସରଣୀ,

ପଥ ପାରୁଶରେ ଠୁଳ ହେଲା ଆସି

କ୍ରମେ ବିବିଧ ବିପଣୀ ।

ନନା ପରିକର ଆଣି ପରିଚର

ମଣ୍ଡିଲେ ରାଜ ପ୍ରାସାଦ,

ଏହାଦରଶନେ ମନ୍ଥରା ମନରେ

ଜନ୍ମିଲା ଘୋର ବିଷାଦ ।

ଛଳ ପାଞ୍ଚିମନେ ଗୋଳ ଲଗାଇଲା

ଯାଇ କୈକେୟୀ ନିକଷା,

ତେଣୁ ତା’ କଥାରେ ପଡ଼ିସେ ନୃପଙ୍କୁ

ମାଗିଲେ ବର ସହସା ।

ରାମ ବନବାସ ଚଉଦ ବରଷ

କରବେ ପ୍ରଥମ ବରେ,

ତନୟ ତାଙ୍କର ଦ୍ୱିତୀୟ ବରରେ

ବସିବେ ସିଂହାସନରେ ।

ଶୁଣୁ ଶୁଣୁ ଭୂପ ପଡ଼ିଲେ ଭୂତଳେ

ମୂର୍ଚ୍ଛା ଭଜି ବାର ବାର,

ପାଶେ ଥିବା ଲୋକେ ଏହା ଶୁଣି କଲେ

କଇକେୟୀଙ୍କୁ ଧିକ୍‌କାର ।

କି ହେଲା କି ହେଲା ବଜ୍ର କି ପଡ଼ିଲା

ନିର୍ମଳ ନଭୋମଣ୍ଡଳୁ,

ମେରୁ ମହୀଧର ଉପୁଡ଼ି ପଡ଼ିଲା

ଆଜି କେଉଁ ପାପଫଳୁଁ ।

ଗହଳି ଭିତରେ ଚହଳ ପଡ଼ିଲା

ରାମଙ୍କର ବନବାସ,

କ୍ଷଣକ ଭିତରେ ଚୂର୍ଣ୍ଣ ହେଲା କିରେ

ସମସ୍ତଙ୍କ ଅଭିଳାଷ !

ପଶିଗଲା ପୁରେ ପୁରେ ଏ ବାରତା ।

ତୀର ବେଗରେ ସହସା,

ଭରତ ଜନନୀ ଆଣିଲେ ହକାରି

ନିଜର ବୈଧବ୍ୟ ଦଶା ।

ରଘୁ କୁଳ ମଣି ବକ୍‌ଳ ବସନ

ପିନ୍ଧି ବାହାରିଲେ ବନେ,

ତାଙ୍କ ସଙ୍ଗେ ସୀତା ପଛରେ ଲକ୍ଷ୍ମଣ

ଗଲେ ପ୍ରସନ୍ନ ବଦନେ ।

କନ୍ଦାଇ ପରଜା ପିତୃ ମାତୃବର୍ଗ

କନ୍ଦାଇ ଆତ୍ମୀୟ ଜନେ,

ପିତୃ ସତ୍ୟ ଲାଗି ପ୍ରବେଶିଲେ ଯାଇ

ଘୋର ଦଣ୍ଡକା ଅରଣ୍ୟେ ।

ଗୋଡ଼ାଇ ଗୋଡ଼ାଇ ଯାଇଥିଲେ ଯେତେ

ବାହୁଡ଼ାଇ ଦେଲେ ରାମ,

କୁଶ ଘାସ ପାରି ତରୁ ତଳେ ରାତି

ତିନିହେଁ ନେଲେ ବିଶ୍ରାମ ।

ବୃଦ୍ଧ ଦଶରଥ ଅଚିରେ ଏ ମର

ତନୁ କଲେ ବିସର୍ଜନ,

ଭରତ ଶତ୍ରୁଘ୍ନ ମାମୁଁ ଘରୁ ଆସି

କଲେ ଏ ଦଶା ଦର୍ଶନ ।

ବନ ଅଭିମୁଖେ ସସୈନ୍ୟ ସେ ଦୁହେଁ

ଗଲେ ବିକଳ ହୃଦରେ,

ଖୋଜି ଖୋଜି ଯାଇ ଭେଟିଲେ ରାମଙ୍କୁ

ଚିତ୍ରକୁଟ ଗହନରେ ।

ଅଗ୍ରଜ ଦମ୍ପତି ପୟରେ ପ୍ରଣମି

ସଙ୍ଖୋଳି ସାନ ଭ୍ରାତାକୁ,

ମହାଯାତ୍ରା ବାର୍ତ୍ତା ପିତାଙ୍କର ଦେଇ

କହିଲେ ଲେଉଟିବାକୁ ।

ଅଗ୍ରଜ ଛାମୁରେ କାତରେ ବିନତି

କରିଥିଲେହେଁ ଭରତ,

ସତ୍ୟପ୍ରିୟ ରାମ ଫେରିବାକୁ ବନୁଁ

ନୋହିଲେ କେଭେ ସମ୍ମତ ।

ବୁଝାଇ ନପାରି ରାମଙ୍କୁ ଭରତ

ତାଙ୍କ ପାଦୁକା ଯୁଗଳ,

ଧରି ବାହୁଡ଼ିଲେ ନନ୍ଦିଗ୍ରାମେ ଯହିଁ

ଦୁଃଖେ କଟାଇଲେ କାଳ ।

ଏଣେ ଭ୍ରମି ଭ୍ରମି ଫଳମୂଳ ଖାଇ

ତଳେ ଶୋଇ ଅବିରତ,

ରଘୁ କୁଳମଣି ଜାୟାଭ୍ରାତା ସହ

ଆଚରିଲେ ଯତି ବ୍ରତ ।

ଧନ୍ୟରେ ଦଇବ ଠେଶା ରୀତି ତୋର

ଗଲାନାହିଁ କାଳେ କାଳେ,

ଯେ ଭୁଞ୍ଜଇ ନିତି ଘୃତ ପକ୍ୱ ଅନ୍ନ

ଆଜି ସେ ବଞ୍ଚଇ ଫଳେ ।

କିଛିକାଳ ଅନ୍ତେ ପଞ୍ଚବଟି ମୁଖେ

ଯାଉଁ ଯାଉଁ ସଞ୍ଜକାଳେ,

ବୀକ୍ଷଣେ ସହସା ବିରାଧ ରକ୍ଷକୁ

ସଂହାରିଲେ ଶରଜାଳେ ।

ଉଟଜ ବିରଚି ପଞ୍ଚବଟି ବନେ

ତହିଁ ରହିଲେ ସୁଖରେ,

ଦଶାସ୍ୟ ଭଗିନୀ ସୁର୍ପଣଖା ଦିନେ

ଆକୁଳ ହୋଇ କାମରେ,

ଆସି ହେଲା ଉଭା ରାମଙ୍କ ଆଗରେ

ଦେଇ ଆତ୍ମ ପରିଚୟ,

ଚରିତାର୍ଥ ଲାଗି ଆପଣାର ସ୍ୱାର୍ଥ

କହିଲା ଖୋଲି ହୃଦୟ ।

ଶୁଣି ତାହାଠାରୁ ଉତ୍ତରିଲେ ରାମ

‘‘କର ଗୋ ଯାଇ ବରଣ,

ହୋଇ ପତ୍ନୀ ହୀନ ଲତା ପାରୁଶରେ

ଅଛନ୍ତି ବୀର ଲକ୍ଷ୍ମଣ ।’’

ନାନା ଅଙ୍ଗ ଭଙ୍ଗି ଦେଖାଇ ଭାଇଙ୍କୁ

କହନ୍ତେ ଏହା ଉଲ୍ଲାସେ,

କୌତୁକେ ଲକ୍ଷ୍ମଣ ଭାଷିଲେ ବାଳାକୁ

‘ଯାଅ ଏଥୁ’ ମୃଦୁ ହାସେ ।

‘‘ଅଗ୍ରଜଙ୍କୁ ତୁମେ ବରିଅଛ ଆଗେ

ଏଣୁ ମାନନୀୟା ମୋର,

ବଳାଉଛ ମନ ବୃଥା ଦାସ ଜନେ

ଯଥାର୍ତ ପତି ସେ ତୋର ।’’

ଦୁଇ ଭାଇ ପାଶେ ଯାଇ ଆସି ସେହି

ହେଲା ଏଣେ ଅନାୟତା,

ସମ୍ଭାଳି ନପାରି ଜାନକୀ ହସନ୍ତେ

କ୍ରୋଧେ ସେ ହେଲା ଉନ୍ମତ୍ତା ।

ମହାକୋପେ ଦୁଷ୍ଟା କହିଲା ସୀତାଙ୍କୁ

‘‘ଦେଖିବୁ ମୋର ପ୍ରଭାବ,

ଯୋଗ୍ୟ ଫଳ ତା’ର ପାଇବୁ ଅଚିରେ

ପୁଣି କେତେ ପରାଭବ ।’’

ଏକଥା ଶ୍ରବଣେ ଲକ୍ଷ୍ମଣ କ୍ରୋଧରେ

କାଟି ତା’ର ନାକକାନ,

କରନ୍ତେ ବିକୃତା ଖରେ ଯାଇ ଖରେ

କହିଲା ଯା ଅପମାନ ।

ସେ ଦାନବ ସଙ୍ଗେ ଶତ ଶତ ରକ୍ଷ

ଧରି ଆସନ୍ତେ ତକ୍ଷଣେ,

ଦେଖି ସୀତାପତି ଶରବୃଷ୍ଟି କରି

ନାଶିଲେ ସକଳେ ରଣେ ।

ଅନନ୍ତ ନିଦ୍ରାରେ କରନ୍ତେ ଶୟନ

ଲକ୍ଷ ଲକ୍ଷ ରକ୍ଷ ଗଣ,

ଅଲକ୍ଷଣୀ କ୍ରୁରା ସୁର୍ପଣଖା ଖରେ

ଭେଟିଲା ଯାଇ ରାବଣ ।

ଦାନବ ନିଧନ ଶୁଣି ଲଙ୍କାପତି

ପୁଣି ଭଗିନୀର ଦୁଃଖ,

ମାୟାବୀ ମାରୀଚ ସମୀପେ ଚଳିଲା

ହୋଇଣ ବିଷଣ୍ଣ ମୁଖ ।

ତା’ ସାହାଯ୍ୟ ପାଇ ମାୟା ମୃଗ ଯୋଗେ

ଛଳି ରାମ ରାମାନୁଜ,

ହରି ଜାନକୀଙ୍କି ଫେରିଲା ଲଙ୍କାକୁ

ବ୍ୟଗ୍ରେ ଦଶାସ୍ୟ ଦନୁଜ ।

ଏଣେ ଖୋଜି ଖୋଜି ଜାନକୀଙ୍କି ବନେ

ମହାଶୋକେ ଦୁଇ ଭାଇ,

ଶୁଣିଲେ ଶେଷରେ ଜଟାୟୁଙ୍କ ଠାରୁ

ରାବଣ ନେବା ଚୋରାଇ ।

ପ୍ରାଣ ଛାଡ଼ିବାରୁ ପକ୍ଷୀନ୍ଧ୍ର ଜଟାୟୁ

ସଂସ୍କାରାଦି କାର୍ଯ୍ୟ ସାରି,

ବଟରେ କବନ୍ଧ ଶାପୁଁ ମକ୍ତ ଦେଇ

ସେଠାରୁ ଗଲେ ବାହାରି ।

ଲଭିଲେ ବନ୍ଧୁତ୍ୱ ସୁଗ୍ରୀବ ସହିତ

ନାଶି ତା’ ଅଗ୍ରଜ ବାଳି,

କିସ୍କିନ୍ଧ୍ୟାରେ ରାଜା କରାଇ ସୁଗ୍ରୀବ

ପଠାଇଲେ ଦୂତମାଳି ।

ଜାନକୀ ସନ୍ଧାନେ ଗଲେ ଯେଉଁମାନେ

ଚଉଦିଗେ ଭ୍ରମି ଭ୍ରମି,

ଶେଷରେ ସମ୍ପାତି ସନ୍ଦେଶ ଦେବାରୁ

ପାରାବାର ଅତିକ୍ରମି,

ଗଲା ହନୁମାନ ପ୍ରବେଶି ଲଙ୍କାରେ

ଦେଖିଲା ଦୁଃଖରେ ତହିଁ,

ମୈଥିଳୀଙ୍କୁ ଘେରି ରାକ୍ଷସୀଏ ଛନ୍ତି

ବିଷ ବଲ୍ଲୀ ପରି ଯହିଁ ।

ଚେଡ଼ୀଙ୍କ ଅଜ୍ଞତେ ବୈଦେହୀ କରରେ

ମୁଦ୍ରିକା ରାଘବଙ୍କର,

ଦେବାରୁ ଦେଖି ସେ ରାମ ଦୂତ ମଣି

ଗଡ଼ାଇଲେ ନେତ୍ରୁ ନୀର ।

ରତ୍ନ ମଥାମଣି ଦେଇ ମାରୁତିକି

ମେଲାଣି ଦେଲେ ତାହାକୁ,

ସ୍ୱର୍ଣ୍ଣ ଲଙ୍କା ପୁରୀ ଜାଳି ବାହୁଡ଼ିଲେ

ଚଞ୍ଚଳେ ରାମ ପାଶକୁ ।

ସେହି ମଥାମଣି ଦେବାରୁ ତାହାଙ୍କୁ

ଶୋକେ ସେ ହେଲେ ଅଧୀର,

ବର୍ଣ୍ଣିଲେ ଏ ଅନ୍ତେ ପବନ ନନ୍ଦନ

ସମାଚାର ଜାନକୀର ।

ଶାଗାମୃଗ ସଙ୍ଗେ ଅନତିବିଳମ୍ବେ

ପ୍ରବେଶି ସିନ୍ଧୁ ତୀରରେ,

ନିର୍ମାଣିଲେ ସେତୁ ରସାତଳ ଭେଦି

ସେମାନଙ୍କ ସାହାଯ୍ୟରେ ।

ଏ ସମୟେ ଆସି ଦଶାସ୍ୟ ଅନୁଜ

ବିଭୀଷଣ ଭକ୍ତିଭରେ,

ନେବାରୁ ଶରଣ ଶ୍ରୀରାମ ପାଶରେ

ଆଶ୍ୱାସିଲେ ସମାଦରେ ।

ସିନ୍ଧୁ ପାର ହୋଇ ସକଳେ ଏ କାଳେ

ପ୍ରବେଶିଲେ ଲଙ୍କାପୁରେ,

ଫିଙ୍ଗି ଶିଳାମାଳ ଭାଙ୍ଗିଲେ ପରିଘ

ତଟସ୍ଥ କରି ଅସୁରେ ।

ରାବଣ ଆଜ୍ଞାରେ ମାୟାରେ ଦନୁଜେ

ଆସି ସମର ଅଙ୍ଗନେ,

ଗୋଟି ଗୋଟି ହୋଇ ଯୁଝିଲେହେଁ କେତେ

ଗଲେ ଶମନ ସଦନେ ।

ଇନ୍ଦ୍ରଜିତ ଦିନେ ରାମ ଲକ୍ଷ୍ମଣଙ୍କୁ

କଲା ବଦ୍ଧ ନାଗ ପାଶେ,

ଗରୁଡ଼ କୃପାରୁ ମୁକ୍ତି ଲଭିବାରୁ

ମାତିଲେ ସର୍ବେ ଉଲ୍ଲାସେ ।

ଦିନେ ଦଶାନନ କରନ୍ତେ ବିଦୀର୍ଣ୍ଣ

ଲକ୍ଷ୍ମଣଙ୍କ ବକ୍ଷସ୍ଥଳ,

ବିଶଲ୍ୟ କରଣୀ ଆଣି ହନୁମାନ

ଦିଅନ୍ତେ ହେଲେ ସବଳ ।

ପୂଜା କରିବାର ଯାଗ ଗୃହେ ବସି

ମେଘନାଦ ଗୋପନରେ,

ଜାଣି ପାରି ଏହି ସୁମିତ୍ରା ନନ୍ଦନ

ଭାଙ୍ଗିଲେ ତା’ ଯାଗ ଖରେ ।

‘ମେଞ୍ଚଡ଼ ଟୋକାଟାବୋଲି ଥଟା କରି

ଆସିଲା ତାଙ୍କୁ ଗୋଡ଼ାଇ,

ଦୁର୍ଦୁର ଦର୍ଶନେ ଭୂଳଗ କେବେ କି

ବିଳକୁ ଯାଏ ପଳାଇ !

ଲାଗିଲା ସମର ଦୁହିଁଙ୍କର ଘୋର

ଶେଷେ ଦଶାସ୍ୟ ସୁତର,

ଗଲା ପ୍ରାଣବାୟୁ ଅବିଳମ୍ବେ ହୋଇ

ଖଣ୍ଡ ଖଣ୍ଡ କଳେବର ।

ମଘବାରି ବଧ ଶୁଣି ଦଶଶିର

ନକରି ତିଳେ ଖାତର,

ସମର ଭୂଇଁକି ବୀର କୁମ୍ଭକର୍ଣ୍ଣ

ପଠାଇ ଦେଲା ସତ୍ୱର ।

ବିଦ୍ରାପ୍ରିୟ ବୋଲି କହି ରଘୁନାଥ

ଗୁଣରେ ଚଢ଼ାଇ ଶର,

ଦେଲେ ପହୁଡ଼ାଇ ମୃତ୍ତିକା ଉପରେ

ବାନରେ ହରଷଭର ।

ଏ ଖବର ପାଇ ଦଶାନନ ସଜ

ହୋଇ ଆସିଲା ଯୁଦ୍ଧକୁ,

ଜଗି ବସିଥିଲେ କୌଶଲ୍ୟ ନନ୍ଦନ

ଟାପରା କରିଲେ ତାକୁ ।

ବସି ରଥୋପରେ କହୁଥିଲା କଥା

ଦେଖାଇ ନିଜ ବଡ଼ାଇ

ମନେ ହେଲା ଅବା ବିରାଡ଼ି ଲୋଡ଼ିଲା

ହାତୀ ସଙ୍ଗରେ ଲଢ଼ାଇ ।

ରାମ ରାବଣରେ ଯୁଦ୍ଧ ବହୁକ୍ଷଣ

ଲାଗିଲା ରଣ ଭୂଇଁରେ,

ଦେବପୁରେ ସୁରେ କୁତୂହଳ ହୋଇ

ଚାହିଁଥିଲେ ନତଶିରେ ।

ଶେଷରେ ଅବ୍ୟର୍ଥ ବ୍ରହ୍ମାସ୍ତ୍ର ପ୍ରୟୋଗେ

ଦଶାସ୍ୟର ଦଶ ଶିରେ,

କଦଳୀର କାଣ୍ଡ ପରି ଖଣ୍ଡ ଖଣ୍ଡ

ହୋଇ ପଡ଼ିଲା ଭୂଇଁରେ ।

କଲେ ପୁଷ୍ପ ବୃଷ୍ଟି ଦେବତାଏ ସ୍ୱର୍ଗୁ

ଦେଖି ରାବଣ ମରଣ,

ସେ ପୁଷ୍ପ ସୌରଭ ପାଇ ଚଉଦିଗୁଁ

ଆସିଲେ ଭ୍ରମର ଗଣ ।

ସୀତାଙ୍କୁ ଅଗ୍ନିରେ ପରୀକ୍ଷା କରାଇ

ବିଭୀଷଣେ ରାଜ୍ୟ ଦାନ,

କରି ବାହୁଡ଼ିଲେ ଚତୁର୍ଦ୍ଦଶ ବର୍ଷ

ଅନ୍ତେ ଅଯୋଧ୍ୟା ଭୁବନ ।

★★★

 

ତ୍ରୟାଦଶ ସର୍ଗ

 

ବିଷ୍ଣୁରୂପୀ ରାମ ବସି ମୋଦଭରେ

ପୁଷ୍ପକ ବିମାନ ବରେ,

ନିଜ ରାଜଧାନୀ ଅଭିମୁଖେ ଗଲେ

ସୁଖେ ପ୍ରିୟା ସହିତରେ ।

ଦୂରରୁ ଆଗରେ ଦିଶିବାରୁ ସିନ୍ଧୁ

କହିଲେ ଶୂର-ଏମନ୍ତ,

‘‘ଦେଖ ପ୍ରିୟସହି ! ଦୁଇ ଭାଗ ହୋଇ

ଦିଶଇ ସିନ୍ଧୁ କେମନ୍ତ ।’’

‘‘ସଗର ନାମରେ ପ୍ରତାପୀ ନରେଗ

ଜନ୍ମିଥିଲେ ଆମ୍ଭ କୁଳେ,

ଭୟରେ ମଘବା ତାଙ୍କ ଯାଗ ଅଶ୍ୱ

ରଖିଲେ ନେଇ ପାତାଳେ ।

ଖୋଜି ଖୋଜି ତାଙ୍କୁ ସଗରଙ୍କ ସୁତେ

ବିଦାରିଲେ ମହୀତଳ,

ତେଣୁ ଗୋ ସୁନ୍ଦରି ! ହୋଇଛି ସିନ୍ଧୁର

ଏହି ଆକାର ବିଶାଳ ।

ସୁଗ୍ରୀବ ସଇନ ସାହାଯ୍ୟେ ଶଇନ୍ଦୁଁ

ଶିଳାରାଶି ବହି ଆଣି,

ଏ ସିନ୍ଧୁ ମଧ୍ୟରେ ଅଚିରେ ଲଙ୍କାରେ

ପଶିଲୁ ସେତୁ ନିର୍ମାଣି ।

ସଗରଙ୍କ ପୋଏ ଯେଣ ଖୋଲିଥିଲେ

ତେଣୁ ବୋଲାଏ ସାଗର,

ବିବିଧ ରତନ ଥିବାରୁ ଗରଭେ

ବୋଲାଏ ଏ ରତ୍ନାକର ।

ବିମଳ ଚନ୍ଦ୍ରମା ଏହି ଜଳଧିରୁ

ପୂର୍ବେ ହୋଇଛନ୍ତି ଜାତ,

ଅତଳ ସ୍ପରଶୀ, ହୋଇ ଥିବାରୁ ଏ

ପାଉ ନାହିଁ କାର କାତ ।

ଧରଣୀ ଦେବୀଙ୍କ ଓଢ଼ଣୀ ପରି ଏ

ସିନ୍ଧୁ ରସିକ ଶେଖର,

ପାନ କରେ ସୁଖେ ତରଙ୍ଗିଣୀଙ୍କର

ଆପେ ତରଙ୍ଗ ଅଧର ।

ମୁହାଣ ମୁହଁରେ ଦେଖି ତିମି ମତ୍ସ୍ୟ

ବଳେ ନେଉଅଛି ଟାଣି,

ପାଟିକୁ ବିସ୍ତାରି ଜଳଜନ୍ତୁ ସହ

ନଦୀ ମୁହାଣର ପାଣି ।

ଅନାଅଁ ପଛକୁ ଜଳହସ୍ତୀ କୁଳ

ସହସା ସଲିଳୁ ଆସି,

ଦୁଇ ଭାଗ କରି ଦେଉଛନ୍ତି ହର୍ଷେ

ଉତ୍ତାଳ ତରଙ୍ଗରାଶି ।

ଦେକ ଅଜଗରେ ବିମଳ ପବନ

ତୀର ଦେଶୁ ପିଇବାକୁ,

ବାହାରି ଅଛନ୍ତି ମନ ମଉଜରେ

ପାଟି କରି ଟାକୁଟାକୁ ।

ମୃଦୁ ସମୀରଣ ଧୀରେ ଧୀରେ ବହି

ତଟବନୁ ଚୋରି କରି,

କେତେକୀର ରେଣୁ ତୁମ୍ଭର ବଦନେ

ଦିଶେ ବୋଳି ଦେଲା ପରି ।

ଫଳ ଭରେ ନତ ଗୁବାକ ପଙ୍କତି

କେମନ୍ତେ ନୟନ ମନ,

କରୁଛି ହରଣ ସୁନୀଳ ତମାଳ

ସହ ତୀର ତାଳୀ ବନ ।

ଇତସ୍ତତ କ୍ଷିପ୍ତ ମୁକୁତା ନିକର

ମହାସିନ୍ଧୁ ତରଙ୍ଗରେ,

ଶୁକ୍ତିରୁ ବାହାରି ବିମଳ କାନ୍ତିରେ

ବେଳା ସମୁଜ୍ଜ୍ୱଳ କରେ ।

ଦେଖ ଶଶୀମୁଖି ! କେମନ୍ତେ ବିମାନ

ଯାଉଛି ମୋ ଇଚ୍ଛାମତେ,

ବିବିଧ ଗତିରେ କେବେ ଦେବମାର୍ଗେ

କେବେ ବା ନୀରଦ ପଥେ ।

ଅନାଅଁ ପଛକୁ ଯେତିକି ଏ ରଥ

କରୁଛି ଆଗକୁ ଗତି,

ତେତିକି ବେଗରେ ଗୋଡ଼ାଇଲା ପରି

ଦିଶୁଛି ବିଟପୀତତି ।

ତବ ବଦନରେ ଦେଉଥିଲା ଦେଖା

ବିନ୍ଦୁ ବିନ୍ଦୁ ଝାଳ ଯାହା,

ଅନ୍ତରୀକ୍ଷ ବାୟୁ କିରଙ୍ଗେ ସଧୀରେ

ପୋଛି ଦେଉଅଛି ତାହା ।

ପରିଚାରୀ ପରି କେତେ ଯତନରେ

ପିନ୍ଧାଇ ଦେଉଛି ଘନ,

ତୁମ୍ଭରି ହାତରେ ସୌଦାମିନୀ ରୂପ

ନବ ବଳୟା ଭରଣ ।

ରକ୍ଷ ଭୟ ଶୂନ୍ୟ ଜନସ୍ଥାନ ଜାଣି

ନିଜ ନିଜ ଆଶ୍ରମରେ,

ରହିଲେଣି ରଚି ନୂତନ କୁଟୀର

ଆସି ଋଷିଏ ସୁଖରେ ।

ସେହି ସ୍ଥାନ ଏହି ପଡ଼ିଥିଲା ଯହିଁ

ତବ ଚରଣରୁ ଖସି,

ବାଜେଣି ନୂପୁର ବିଚ୍ଛେଦ ଦୁଃଖେକି

ମହୀରେ ମୌନେ ରୂପସି !

ଏ ବ୍ରତତୀ ବ୍ରାତ ଦୟାକରି ମୋତେ

ନତ ଶାଖାକୁ ହଲାଇ,

ଦେଖାଇ ଥିଲେ ତା’ ଯେ ପଥେ ରାବଣ

ତୁମକୁ ନେଲା ଚୋରାଇ ।

ମୃଗ ମୃଗୀମାନେ ଦକ୍ଷିଣ ଆଡ଼କୁ

ଏକ ଦୃଷ୍ଟିରେ ଅନାଇଁ,

ମୋ ଦୁଃଖରେ ଦୁଃଖୀ ହୋଇ ତୁମେ ଯିବା

ସରଣୀ ଦେଲେ ବଢ଼ାଇ ।

ଦେଖ ବିଶାଳାକ୍ଷୀ ? ମାଲ୍ୟବାନ ଗିରି

ଯହିଁ ଢାଳି ଅଶ୍ରୁଜଳ,

ତୁମ୍ଭରି ବିରହେ ଥିଲି ବର୍ଷାକାଳ

ଚାରିମାସେ ଅବିରଳ ।

ବାନ୍ଧିଲି ବନ୍ଧୁତ୍ୱ ସୁଗ୍ରୀବ ସହିତ

ଯାର ଦୂତ ହନୁମାନ,

ଭ୍ରମି ଭ୍ରମି ଶେଷେ ପ୍ରବେଶି ଲଙ୍କାରେ

କଲେ ତୁମକୁ ସନ୍ଧାନ ।

ମେଘ ଗରଜନ ଶୁଣି ଘନ ଘନ

ଘାରି ହେଉଥିଲା ମନ,

ଶିଖରୀ ଶିଖରେ ରହି ବିଚ୍ଛେଦରେ

ଦିଶିଲା ମ୍ଳାନ ବଦନ ।

ଝଡ଼ି ବରଷାରେ କୁଡ଼ିଆ ଭିତରେ

ତୁମକୁ ମନେ ପକାଇ,

ନିରାଶ ହୃଦୟେ ଉଜାଗରେ ରହି

ରାତିଡ଼ି ଦିଏ ପୁହାଇ,

ଝିଙ୍କାରି ଝଙ୍କାର ନିଶୀଥରେ ସହି ?

ଶୁଭୁଥିଲା ରହି ରହି,

ନିଶି ପାଇବାର ପତତ୍ରି ନିକର

ରବେ ଦେଉଥିଲେ କହି ।

ଗୁଞ୍ଜରି ଗୁଞ୍ଜରି ଭ୍ରମର ଭ୍ରମରୀ

ବସି ସୁମନ କଳାପେ,

ମଧୁପାନ କାଳେ ହେଉଥିଲା ମନେ

ମଜ୍ଜିଛନ୍ତି ପ୍ରେମାଳାପେ ।

କଦମ୍ବ ଫୁଲର ନମ ଅଙ୍କୁରିତ

ମୃଦୁ କେଶରକୁ ଲକ୍ଷି,

ତବ ଶରୀରର ଯଉବନ ଶୋଭା

ମନେପଡ଼ୁଥିଲା ସଖି !

ଏ ଗିରି ଶୃଙ୍ଗରେ ପ୍ରାବୃଟ କାଳରେ

ନାଚି ନାଚି କେକିକୁଳ,

କେକା ଧ୍ୱନି କରି ଗୁଚ୍ଛ ଟେକି ଟେକି

ହେଉଥିଲେ ମୋଦେ ଠୁଳ ।

କେଦାର ନିକରେ ଦର୍ଦ୍ଦୁର ରବରେ

ଚମକିତ ହେଲା ମହୀ,

ଦୂରୁଁ ହେଲା ମନେ କରୁଥିଲେ ସ୍ତୁତି

ଭାଟଗଣ ରହି ରହି ।

ମାଳତୀ ଫୁଲର ସୁରମ୍ୟ ଗନ୍ଧରେ

ସୁରଭିତ ହୋଇ ବନ,

ବିରହ ବିଧୁର ପ୍ରବାସୀ ହୃଦରେ

କରିଲା ଦୁଃଖ ବର୍ଦ୍ଧନ ।

କାଦମ୍ବିନୀ କୋଳେ ସୌଦାମିନୀ ଦେଖା

ଦେଉଥିଲା ବାର ବାର,

ଏ ଛବି ସେକାଳେ ଅନ୍ତରେ ଅନ୍ତରେ

ସନ୍ତାପ ଦେଲା ଅପାର ।

ସାଧବ ବୋହୁଏ କାହୁଁ ଆସି ଏବେ

ଜମିଗଲେ ଦୁର୍ବାଦଳେ,

ନାଶି କେ ତୁମକୁ ବୁହାଇଛି ରକ୍ତ

ବୋଲି ଭ୍ରମିଲି ବିକଳେ ।

ନବ ମେଘମାଳେ ସୁନାସୀର ଚାପ

ଦିଶିବାରୁ ଭାନୁମୁଖେ,

ବିବାହ କାଳୀନ ତୁମ ଶାଢ଼ି ବୋଲି

ମନ ଘାରି ହେଲା ଦୁଃଖେ ।

ସେ ପୂର୍ବର କଥା ପଡ଼ୁଅଛି ମନେ

ଅଧୀରେ ଚମକି ପଡ଼ି,

ଘଡ଼ଘଡ଼ି ଭୟେ ଯେବେ ଥରି ଥରି

ଧରିଥିଲ ମୋତେ ଭିଡ଼ି ।

ଦେଖ ପମ୍ପାସର ଦିଶଇ ଦୂରରୁ

କେମନ୍ତ ନିର୍ମଳ ଜଳ,

ଜଳ ପକ୍ଷୀକୁଳ ଯହିଁ କେଳି କରି

ଚରୁଛନ୍ତି ଅବିରଳ ।

ଯୋଡ଼ି ଯୋଡ଼ି ହୋଇ ରଥାଙ୍ଗ ଦମ୍ପତି

ବିବିଧ ରଙ୍ଗ ଭିଆଇ,

ପଦ୍ମନାଡ଼ ଭାଙ୍ଗି ଦେଉଛନ୍ତି ସୁଖେ

ଦୁହେଁ ଦୁହିଁଙ୍କୁ ଖୁଆଇ ।

ଏ ଛବି ପ୍ରେୟସି ! ସସ୍ପୃହ ଲୋଚନେ

ତୁମ୍ଭେ ବିରହ କାଳରେ,

ରହିଥିଲି ଚାହିଁ ମହାଶୋକେ ଅଶ୍ରୁ-

ସିକ୍ତ ଦୀନ ନୟନରେ ।

ତୁମ୍ଭ ବିରହରେ ଅଥୟେ ସେକାଳେ

ଅଶୋକ ଲତାକୁ ଆଗେ,

ପାଇଲି ତୁମ୍ଭଙ୍କୁ ବୋଲି ଆଲିଙ୍ଗିଲି

ତା’ ପାଶେ ଯାଇ ସରାଗେ ।

‘‘ନୁହନ୍ତି ଏ ସୀତା’’ ବୋଲି ସଉମିତ୍ରି

ନିବାରନ୍ତେ ମୋତେ କହି,

ଫେରିଲି ସେଠାରୁ ଅନୁଭବି କ୍ଳେଶ

ମନେ ପଡ଼ୁଅଛି ସହି !

ଧାଡ଼ି ଧାଡ଼ି ହୋଇ ଆକାଶରେ ଉଡ଼ି

ମରାଳକୁଳ ମୋଦରେ,

ବିମୁଗ୍‌ଧ ହୁଅନ୍ତି ପୁଷ୍ପକ ରଥର

ରମ୍ୟ କିଙ୍କିଣୀ ନାଦରେ ।

ବଡ଼ କୁତୂହଳେ ବହି ବହି ନିଜେ

ଜଳ ଆଣି ଝରଣରୁ,

ବଢ଼ାଇ ଥିଲଟି ଏହି ପଞ୍ଚବଟି

ବନେ ବାଳ ଚୁତତରୁ !

କେମନ୍ତ ସୁନ୍ଦର ତୁମ୍ଭର ପାଳିତ

ଏହି କୃଷ୍ଣସାରଗଣ,

ଆମ୍ଭଙ୍କୁ ଅନାଇଁ ଊର୍ଦ୍ଧ୍ୱମୁଖେଛନ୍ତି

ହୁଏ କି ପ୍ରିୟେ ! ସ୍ମରଣ ?

ପବିତ୍ର ଆଶ୍ରମ ଅଗସ୍ତି ୠଷିଙ୍କ

ଦେଖ ଏହି ପ୍ରିୟ ସହି,

ଯହିଁରୁ ଅନିଳ ହୋମ ହବି ଗନ୍ଧ

ଆଣୁଅଛି ଧୀରେ ବହି ।

ଦିଶିଲାଣି ଆଗେ ଶାତକର୍ଣ୍ଣିଙ୍କର

ପଞ୍ଚାପର କେଳିସର,

ଶ୍ୟାମଳ କାନନ ବେଢ଼ି ରହିବାରୁ

ଦିଶଇ କେଡ଼େ ସୁନ୍ଦର ।

ସୂତୀକ୍ଷ୍‌ଣ ନାମରେ ଦେଖ ଆଉଜଣେ

ମୁନି ବସି ଏକଧ୍ୟାନେ,

ଶୂନ୍ୟଙ୍କୁ ଅନାଇଁ କରୁଛନ୍ତି ତପ

ବହ୍ନି ଜାଳି ସନ୍ନିଧାନେ ।

ଏହାଙ୍କ କଠୋର ତପ ଦେଖି ଇନ୍ଦ୍ର

କେଳିପ୍ରିୟା ଅପ୍‍ସରାଙ୍କୁ,

ଅତି ଗୋପନରେ ପ୍ରେରିଥିଲେ ପୂର୍ବେ.

ତାଙ୍କ ତପ ଭାଙ୍ଗିବାକୁ ।

ମୁରକି ମୁରକି ହସି ଗେଲ ହୋଇ

କରନ୍ତେ ଅଙ୍ଗଭଙ୍ଗିକି,

ନୋହିଲା ବିକାର ମୁନିଙ୍କ ମାନସେ

ଦେଖି ତାହାର ଠାଣିକି ।

ଦେଖ ପ୍ରିୟତମେ ! ମନମୁଗ୍‌ଧକର

ଚିତ୍ରକୁଟ ଗରିବର,

ଯାର ପାଦଦେଶେ ମନ୍ଦାକିନୀ ବହି

ଦିଶୁଅଛି ମନୋହର ।

ଗିରିପଦ ଦେଶେ ଅନାଅ ଏ ସେହି

ଶ୍ୟାମଳ ତମାଳ ଆଗେ,

ଯାର ପତ୍ର ତେଳି ଦେଉଥିଲି ଖଞ୍ଜି

ତୁମ ଶ୍ରବଣେ ସରାଗେ ।

ଦେଖ ତପୋବନ ଅତ୍ରି ଋଷିଙ୍କର

ଯହିଁ ପ୍ରାଣିଏ ସକଳ,

ପରସ୍ପର ମିଳି ଶାନ୍ତଭାବେ ରହି

ସୁଖରେ ଯାପନ୍ତି କାଳ ।

ଆଗୋ ବନଜାକ୍ଷି ! ସମାଧିବେଦୀରେ

ସ୍ଥିତ ପାଦପ ସକଳ,

ଧ୍ୟାନ ମଗ୍ନ ପ୍ରାୟ ରହିଛନ୍ତି ଦେଖ

ହୋଇ ଏକାନ୍ତ ନିଶ୍ଚଳ ।

ଅନାଅଁ ଅନାଅଁ ଆଗୋ ଚନ୍ଦ୍ରାନନି,

ଗଙ୍ଗା ଯମୁନା ସଙ୍ଗମ,

ଯହିଁ ସ୍ନାନ କରି ମୋକ୍ଷ ଲଭି ଲୋକେ

ନପାନ୍ତି ପୁଣି ଜନମ ।

ଗୁହକ ନଗରୀ ଦେଖ ପ୍ରିୟ ସହି !

ଯହିଁ କନକ ମୁକୁଟ,

ଖୋଲି ମୋ ଶିରରୁ ରଚିଲି ତାପସ

ଯୋଗ୍ୟ ନବ ଜଟାଜୁଟ ।

ଯାହା ଦେଖି ଦୁଃଖେ ‘‘କୈକେୟୀ, ପୂରିଲା

ଏବେ ତୁମ୍ଭ ମନୋରଥ,’’

ବୋଲି କାନ୍ଦି କାନ୍ଦି ସୁମନ୍ତ୍ର ସାରଥି

ଏଥୁଁ ଫେରାଇଲେ ରଥ ।

ସହି ! ଏହି ସେହି ସରଯୁ ତଟିନୀ

ବହେ କଳକଳ ସ୍ୱରେ,

ରବିବଂଶ ନୃପେ କରନ୍ତି ମାଜଣ

ସଦା ଯାହାର ଜଳରେ ।

କୌଶଲ୍ୟା ସମାନ ମୋର ଏହି ମାତା

ଦେଖି ମୋତେ ଆସିବାର,

ଆଲିଙ୍ଗନ ଆଶେ ଧବଳ ତରଙ୍ଗ-

କର ତୋଳୁଅଛି ତା’ର ।

ମାତା କୋଳ ପରି ଲାଗେ ମୋତେ ସଦା

ଏହାଙ୍କ ପୁଲୀନ ଦେଶ,

ପବିତ୍ର ସଲିଳା ଏହି ଗୋ ତଟିନୀ

ନାହିଁଟି କଳୁଷ ଲେଶ ।

ଅଯୋଧ୍ୟାବାସୀଏ ପିଇ ବଢ଼ିଛନ୍ତି

ଯାର କ୍ଷୀରସମ ଜଳ,

ଜନନୀ ପରାଏ ଅତି ପୂଜନୀୟା

ରାମର ଏ ଅବିରଳ ।

ଦେଖ ଧୂଳିରାଶି ଗୋଧୂଳି ଗଗନ

ପରି ଉଡ଼ୁଛି କେସନ,

ସଙ୍ଖୋଳି ନେବାକୁ ଆସୁଛନ୍ତି ମୋତେ

ଏବେ ଅଯୋଧ୍ୟା ରାଜନ ।

କୁଳ ପୁରୋହିତ ଆସନ୍ତି ଆଗରେ

ପିନ୍ଧି ବଳ୍‌କଳ ବସନ,

ତାଙ୍କ ପଛେ ପଛେ ଆସୁଛନ୍ତି ହର୍ଷେ

ଦେଖ କୈକେୟୀନନ୍ଦନ ।

ଜଟାଧାରୀ ହୋଇ ଧାର୍ମିକ ଭରତ

ଅବଲମ୍ବି ଶୁଦ୍ଧାଚାର,

ରାଜଶ୍ରୀକୁ ପାଇ ନ କରିଣ ଭୋଗ

କରୁଛନ୍ତି ଫଳାହାର ।

ରାମ ମନୋରାବ ପୁଷ୍ପକ ବିମାନ

ବୁଝି ଅବନୀତଳକୁ,

ଖସନ୍ତେ ରହିଲେ ସକଳେ ଅନାଇଁ

ଶ୍ରୀରାମ ଆଗମନକୁ ।

ସୁଗ୍ରୀବର କରେ କର ଦେଇ ଧୀରେ

ସ୍ଫଟିକ ସୋପାନତତି,

ଅତିକ୍ରମ କରି ପୁଷ୍ପକ ବିମାନୁଁ

ଓହ୍ଲାଇଲେ ସୀତାପତି ।

ତାଙ୍କ ସଙ୍ଗେ ସୀତା ପଛରେ ଲକ୍ଷ୍ମଣ

ରଥୁଁ ଆସନ୍ତେ ଓହ୍ଲାଇ,

ବିଶ୍ରବାଙ୍କ ସୁତ ବିଭୀଷଣ ତାଙ୍କୁ

ଦେଲେ ସରଣୀ ଦେଖାଇ ।

ସର୍ବାଗ୍ରେ ପ୍ରଣମି କୁଳ ପୁରୋହିତେ

ଘେନିଲେ ଅର୍ଘ୍ୟସାଦରେ,

ସୋଦର ବେନିଙ୍କୁ ଆଲିଙ୍ଗନ କରି

ଚୁମ୍ବିଲେ ଶିର ସ୍ନେହରେ ।

ପାଚିଲା ଦାଢ଼ିଆ ବୃଦ୍ଧ ମନ୍ତ୍ରୀମାନେ

ଭକ୍ତି ଗଦ୍‌ଗଦ ଚିତ୍ତରେ,

ପ୍ରଣାମ କରନ୍ତେ କୁଶଳ ପଚାରି

ଭାଷିଲେ ରାମ ମୋଦରେ ।

‘‘ବିପଦ କାଳର ବନ୍ଧୁ ଏ ଅଟନ୍ତି

ସୁଗ୍ରୀବ ନାମ ୟାଙ୍କର,

ମହାମିତ୍ର ମୋର ଏହି ବିଭୀଷଣ

ସମରେ ଏ ଧୁରନ୍ଧର ।’’

ଏମନ୍ତ କହନ୍ତେ ରାମ, ସଙ୍ଖୋଳିଲେ

ଭରତ ତାଙ୍କୁ ଆଗରେ,

ତଦନ୍ତେ ଅନୁଜ ଲକ୍ଷ୍ମଣଙ୍କ ପାଶେ

ହେଲେ ଉପନୀତ ଖରେ ।

ନୁଆଁଇ ମସ୍ତକ ସୁମିତ୍ରାନନ୍ଦନ

ବନ୍ଦନ୍ତେ ତାଙ୍କ ପୟରେ,

ଭରତ ତାହାଙ୍କୁ କଲେ ଆଲିଙ୍ଗନ

ଅତିଶୟ ପ୍ରେମଭରେ ।

ହର୍ଷେ କୁତୂହଳେ କପି ସେନାନିଏ

ଧରନ୍ତେ ମନୁଷ୍ୟ ବେଶ,

କଲେ ଆରୋହଣ ମଦସ୍ରାବୀଗଜେ

ଲଭି ଶ୍ରୀରାମ ଆଦେଶ ।

ଝରୋଦ୍‌ଗାରୀ ଗିରି ଆରୋହଣ ପରି

ମଣିଲେ ସୁଖ ବାନରେ,

ବୀର ବିଭୀଷଣ ପରିଜନ ସହ

ଆରୋହିଲେ ରଥୋପରେ ।

ଧ୍ୱଜେ ବିମଣ୍ଡିତ କାମଗତି ରତେ

ଚଢ଼ି ସୋଦର ସଙ୍ଗରେ,

ବାହାରି ଶ୍ରୀରାମ ଓହ୍ଲାଇଲେ ଯାଇ

ରାଜପ୍ରାସାଦ ପାଶରେ ।

ରୁଣ୍ଡହେବା ଲୋକେ ମୁଣ୍ଡ ପରଶିଲେ

ଚରଣତଳେ ତାଙ୍କର,

ଲଳନାମାନଙ୍କ ହୁଳହୁଳି ନାଦେ

କମ୍ପିଲା ପୁରନବର ।

ବାଳକ ବାଳିକା ମଞ୍ଜୁ ଅଟ୍ଟାଳିକା

ପରେ କରି ଆରୋହଣ,

ସାକେତପୁରର ରମଣୀୟ ଶୋଭା

ଉଲ୍ଲାସେ କଲେ ଈକ୍ଷଣ ।

ମୃଦଙ୍ଗ ଝାଞ୍ଜର ମୁହୁର୍ମୁହୁଃ ତାନ

ରୋଧିଲା ଶ୍ରୁତିବିବର,

ଗୁରୁଙ୍କ ଆଶୀଷ ଲଭି ନବରରେ

ପ୍ରବେଶିଲେ ଅନନ୍ତର ।

★★★

 

ଚତୁର୍ଦ୍ଦଶ ସର୍ଗ

 

ଶ୍ରୀରାମ ଲକ୍ଷ୍ମଣ ପହଞ୍ଚି ଦେଖିଲେ

ସ୍ୱାମୀ ବିୟୋଗ ଦୁଃଖରେ,

ବିଧବା ଜନନୀ କୌଶଲ୍ୟା ସୁମିତ୍ରା

ଯାପନ୍ତି କାଳ କାତରେ ।

ଜନନୀଙ୍କ ପାଶେ ଗମି ଭକ୍ତିଭରେ

ଲଗାଇ ଶିର ପୟରେ,

ପ୍ରଣମନ୍ତେ ବେନି ବେନି ଜନନୀଏ

ଆଉଁଷିଲେ ସମାଦରେ ।

ଅଲକ୍ଷଣୀ ବୋଲି କହି ବଇଦେହୀ

କାନ୍ଦି କାନ୍ଦି ଆର୍ତ୍ତସ୍ୱରେ,

ସ୍ନେହମୟୀ ଶାଶୁ ଦୁହିଁଙ୍କର ପଦେ

ପ୍ରଣମିଲେ ଭକ୍ତିଭରେ ।

ବଧୂ ଜନନୀଙ୍କି ଉଠ ଉଠ ବୋଲି

ସମ୍ବୋଧି ମଧୁର ସ୍ୱରେ,

ଏ ମହା ସଙ୍କଟୁଁ ଉଦ୍ଧରିଛ ବୋଲି

ଭାଷିଲେ ଶାଶୁଏ ଖରେ ।

ଶାସ୍ତ୍ର ବିଧିମତେ ଅଭିଷେକ କ୍ରିୟା

କରିବାକୁ ସମ୍ପାଦନ,

ନଦୀ ଜଳଧିରୁ ଠୁଳାଇ ସଲିଳ

କଲେ ସବୁ ଆୟୋଜନ ।

ବୃଦ୍ଧ ମନ୍ତ୍ରୀଗଣ ଘେନି ରମ୍ୟରଥେ

ନେଲେ ରାଜଧାନୀମୁଖେ,

ମହିଳାଏ ଆସି ଅଞ୍ଜଳି ଅଞ୍ଜଳି

ଲାଜା ପକାଇଲେ ସୁଖେ ।

ବିବିଧ ବାଦ୍ୟରେ କମ୍ପନ୍ତେ ମେଦିନୀ

ରୋଧିଲା କର୍ଣ୍ଣ ବିବର,

ଧରିଲେ ଭରତ ଶିରେ ଶ୍ୱେତଛତ୍ର

ସୁମିତ୍ରାସୁତେ ଚାମର ।

ଦେଖି ମନେ ହେଲା ସାମଦାନ ଭେଦ

ଦଣ୍ଡ ଏ ଚାରି ଉପାୟେ,

ଆବିର୍ଭୂତ ହେଲେ ଧରଣୀ କୋଳରେ

କି ଅବା ଶ୍ରୀରାମରାୟେ ।

ଶାଶୁଙ୍କର ଯୋଗେ ଦିବ୍ୟ ବେଶ ରଚି

କ୍ଷୁଦ୍ର ବିମାନରେ ବସି,

ଯିବାବେଳେ ସୀତା ଜୁହାରିଲେ ତାଙ୍କୁ

ଲଳନାଏ ହସି ହସି ।

ପିତାଙ୍କ ଗୃହରେ ପ୍ରବେଶି ଶ୍ରୀରାମ

କରଯୋଡ଼ି ଭକ୍ତିଭରେ,

ଜୁହାରି ଜନନୀ କୈକେୟୀଙ୍କି ତହିଁ

ପ୍ରବୋଧିଲେ ଆଳାପରେ ।

ସଙ୍ଖୋଳିବା ଲାଗି ଆସିଥିଲେ ଯେତେ

ପୁଣ୍ୟାତ୍ମା ମହର୍ଷିମାନେ,

ସତ୍କାର ଲଭିଣ ମହା ଆନନ୍ଦରେ

ଗଲେ ନିଜ ନିଜ ସ୍ଥାନେ ।

ରାକ୍ଷସ କପିଏ ବିଦେଶରେ ଅଛୁ

ବୋଲି ନ ପାରିଲେ ଜାଣି,

ବହୁ ଉପହାର ସହ ସେମାନଙ୍କୁ

ଜାନକୀ ଦେଲେ ମେଲାଣି ।

ଜନନୀଭ୍ରାତାଙ୍କ ପ୍ରତି ସମରୂପେ

କରୁଥିଲେ ବ୍ୟବହାର,

ଲୋଭ ଛାଡ଼ିଦେଇ ପାଳିଲେ ଧରଣୀ

ରାମ ଘେନି ରାଜ୍ୟଭାର,

ତନୟ ପରାଏ ଶାସି ପରଜାଙ୍କୁ

ହରି ତାହାଙ୍କ ସନ୍ତାପ,

ଭୁଲ କରିଦେଲେ ତୁଲ ସେ କରନ୍ତି

ସଦା କରି ଅନୁତାପ ।

ଏ ରୂପେ ରାଜ୍ୟର ଶାସନ ଦାୟିତ୍ୱ

ତୁଲାଇ ବିନା ବାଧାରେ,

କଟାଇଲେ ଦିନ କୌଶଲ୍ୟା ନନ୍ଦନ

ସୀତାସହ ଶରଧାରେ ।

ମନେ ହେଲା ନିଜେ ରାଜଲକ୍ଷ୍ମୀ ଅବା

ବିଦେହ ନନ୍ଦିନୀଙ୍କର,

ଚାରୁରୂପେ ଧରି ମିଳିଛନ୍ତି ଭୋଗେ

ରାମସହ ନିରନ୍ତର ।

କିଛିଦିନ ପରେ ମଇଥିଳୀଙ୍କର

ଦିଶିଲା ଅକ୍ଷିଯୁଗଳ,

ବଦନ ମଣ୍ଡଳ ସହାଧିକତର

କ୍ରମେ ଚିକ୍‌କଣ ଉଜ୍ଜ୍ୱଳ ।

ଗର୍ଭଚିହ୍ନ ବୋଲି ପଡ଼ିବାରୁ ଜଣା

ରାମ କରି ପରିହାସ,

ପୁଚ୍ଛିଲେ ତାହାଙ୍କୁ କେଉଁ ଦ୍ରବ୍ୟ ପ୍ରତି

ହୁଏ ତବ ଅଭିଳାଷ ?

କୁନି ସମାକୀର୍ଣ୍ଣ ଜାହ୍ନବୀ ତୀରର

ତପୋବନ ଦରଶନେ,

ବଳୁଛି ମୋ ମନ ବୋଲି ଉତ୍ତରିଲେ

ଦେବୀ ଆନତ ବଦନେ ।’’

କୋଳହଳ ପୂର୍ଣ୍ଣ ଅଯୋଧ୍ୟା ନଗର

ଦରଶନ ମାନସରେ,

ପାର୍ଶ୍ୱଚର ସହ ଆରୋହିଲେ ରାମ

ଅଭ୍ରଂଲିହ ହର୍ମ୍ମ୍ୟପରେ ।

ତରଣୀ ମାଳରେ ସରଯୁତଟିନୀ

ହରୁଥିଲା ଜନମନ,

କେହିବା ଆମୋଦେ କରନ୍ତି ଆଳାପ

ଖାଇ ଦକ୍ଷିଣା ପବନ ।

ଏକାଳେ ଶ୍ରୀରାମ ସମ୍ବୋଧନ କରି

ପଚାରିଲେ ଅନିୁଚରେ,

କି କହି ଥାଆନ୍ତି ମୋ ଚରିତ୍ର ନେଇ

ଅଯୋଧ୍ୟା ପ୍ରଜାନିକରେ ?’

ତୁହାଇ ତୁହାଇ ପୁଚ୍ଛନ୍ତେ ଶ୍ରୀରାମ

କହିଲା ସେ ଅନୁଚର,

ରାକ୍ଷସ ଗୃହରେ ଥିବାରୁ ଜାନକୀ

ମନେ ଖେଦ ପ୍ରଜାଙ୍କର ।’

ହାତୁଡ଼ି ଘାତରେ ଫାଟିଯାଏ ଯଥା

ତପ୍ତ ଲୌହ ଅନଳରେ,

ବିଦାରିତ ହେଲା ତାହାଙ୍କ ହୃଦୟ

ପତ୍ନୀଙ୍କ ଅପବାଦରେ ।

ଚିନ୍ତା କରି କରି ବହୁକ୍ଷଣ ଯାଏ

ଭ୍ରମିଲା ମନ ଦୁଃଖରେ,

ବିଚାରି ବିଚାରି ତେଜିବାକୁ ସୀତା

ସିଦ୍ଧାନ୍ତ କଲେ ଶେଷରେ ।

ପତ୍ନୀକୁ ଛାଡ଼ିବା କଠିନ ହେଲେହେଁ

ଯଶରଙ୍କ ପକ୍ଷେ ଭବେ,

ନୁହଇ ଆଶ୍ଚର୍ଯ୍ୟ ଯେଣୁ ତାଙ୍କ ହୃଦ

ଥାଏଁ ସଦା ଗଉରବେ ।

ଏଣୁ ଡାକି ରାମ ଦୁଃଖେ ସୋଦରଙ୍କୁ

କହିଲେ କଥା ଏସନ,

ହେ ଭାଇ ! ମଳିନ ଦିଶଇ ଯେମନ୍ତ

ସଲିଳ-ସିକ୍ତ ପବନ,

ବାଜି ଦରପଣେ ତେମନ୍ତ ଏ ବଂଶେ

କଳଙ୍କ କାଳିମା ଲାଗି,

ପ୍ରସରୁଛି ଖରେ ଅଲକ୍ଷିତ ଭାବେ

ହେଉଛି ମୁଁ ଦୋଷେ ଭାଗୀ ।

ଦେଖ ଏ କଳଙ୍କ ଜଳେ ତୈଳବିନ୍ଦୁ

ପରି ଜନପଦେ ବ୍ୟାପି

ଗଲାଣି, କରତି ହେଉଛି ହୃଦୟ

ଶୁଣି ନଥିଲି ଅଦ୍ୟାପି ।

ସତୀ ପତିବ୍ରତା ହେଲେହେଁ ଜାନକୀ

ଏଥୁଁ ମୁକୁଳିବା ପାଇଁ,

ବିଳମ୍ବ ନକରି ଛାଡ଼ିବାକୁ ତାଙ୍କୁ

ଗଲାଣି ମୋ ମନ ଧାଇଁ ।

ନାଶି ଦଶାନନ ରହିଅଛି ଟେକ

ପୁଣି କୁଳର ଗୌରବ,

ରାମବିନା ଅନ୍ୟ ମାରିବାକୁ ତାକୁ

ନୁହନ୍ତା କେବେ ସମ୍ଭବ ।

ଓଲଟି କ୍ରୋଧରେ ଭୀଷଣ ଭୁଜଙ୍ଗ

ଚରଣ ପ୍ରହାର ଖାଇ,

କରଇ ଦଂଶନ ଯାହା ସେ କେବଳ

ପ୍ରତିହିଂସା ବୃତ୍ତି ପାଇଁ ।

ନକର ବାରଣ ମୋର ଏ କାର୍ଯ୍ୟରେ

ଦୟାର୍ଦ୍ର ଚିତ୍ତେ ସରବେ,

ନିନ୍ଦା-ଶଲ୍ୟ-ହୃଦୁଁ କାଢ଼ି ଏ ଜୀବନ

ରାମର ରଖ ଏ ଭବେ ।

ନିବାରି ସେକାଳେ ନ ପାରିଲେ କେହି

ଅବା ସମର୍ଥନ ପାଇଁ,

ସତ୍ୟବାଦୀ ରାମ ଲକ୍ଷ୍ମଣଙ୍କୁ ଡାକି

କହିଲେ ତହୁଁ ଅନାଇଁ ।

ଗର୍ଭବତୀ ସୀତା ରହିଛନ୍ତି ଚାହିଁ

ଆଶ୍ରମ ଦେଖିବା ଆଶେ,

ସଙ୍ଗେ ତାଙ୍କୁ ନେଇ ଛାଡ଼ି ଆସ ଯାଇ

ବାଲ୍ମୀକିଙ୍କ ମଠ ପାଶେ ।’

ପର୍ଶୁରାମ ଯଥା ପିତ୍ରାଦେଶ ଲଭି

କାଟିଥିଲେ ମାତାଶିର,

ଭ୍ରାତାଦେଶେ ତାଙ୍କୁ ନେବା ଲାଗି ମଠେ

ମଙ୍ଗିଲେ ସୌମିତ୍ରି ବୀର ।

ମୈଥିଳୀ ପାଶରେ ପ୍ରବେଶି ବିଷାଦେ

କହିଲେ ଲକ୍ଷ୍ମଣ ତାଙ୍କୁ,

ମହାମୁନିଙ୍କର ଶାନ୍ତି ନିକେତନ

ଆଶ୍ରମ ଦେଖିଯିବାକୁ ।

ପରିତୁଷ୍ଟ ସତୀ ଶିରୋମଣି ସୀତା

ଶୁଣି ତାଙ୍କର ବଚନ,

ବେନି ଅଶ୍ୱ ଯୋଡ଼ି ଥୋଇଲେ ତକ୍ଷଣେ

ସୁମନ୍ତ୍ର ଆଣି ସ୍ୟନ୍ଦନ ।

ସୁମିତ୍ରାନନ୍ଦନ ସହ ମଇଥିଳୀ

ତହିଁ ଆରୋହି ଅଚିରେ,

ଦେଖି ଦେଖି ବାଟେ ରମଣୀୟ ଦୃଶ୍ୟ

ଗଲେ ମଠମୁଖେ ଧୀରେ ।

ନୋହିଲା ପରାଏ କଷଣ ସାରଥି

ନେଲେ ସ୍ୟନ୍ଦନ ଚଳାଇ,

ଭାଗୀରଥୀ ତୀର ହେବାରୁ ତାହାଙ୍କୁ

ତହିଁରୁ ଦେଲେ ଓହ୍ଲାଇ ।

କଳ୍ପଦ୍ରୁମ ନୋହି ବିଷବୃକ୍ଷ ବୋଲି

ସ୍ୱାମୀଙ୍କୁ ନଜାଣି ଦେବୀ,

ମଙ୍ଗଳ କାମନା କରି ଅବରତ

ରହୁଥିଲେ ତାଙ୍କୁ ସେବି ।

ଦକ୍ଷିଣ ନୟନ ନାରି ଘନ ଘନ

ଦେଲା କି ଆଗୁଁ ସୂଚନା !

ରାମ ରମଣୀର ଘଟାଇବା ବିହି

ଆଣି ଦୁଃସହ ଯାତନା ।

ବନେ ବିସର୍ଜିବେ ଜାନକୀଙ୍କି ବୋଲି

ଜାହ୍ନବୀ ବୀଚିଛଳରେ,

କରତୋଳି ବ୍ୟଗ୍ରେ ଉଭାହେଲା କିରେ

ଲକ୍ଷ୍ମଣଙ୍କ ସମ୍ମୁଖରେ ?

କ୍ଷୁଦ୍ର ତରଣୀରେ ତରଙ୍ଗିଣୀ ହେଲେ

ଭାତୃଜାୟା ସହ ପାରି,

ଦେବର ନୟନୁଁ ଗଡ଼ିଲେ ହେଁ ଲୁହ

ନ ପାରିଲେ ସତୀ ବାରି ।

ଅଗ୍ରଜ ଆଦେଶ ହେଲେହେଁ ଦାରୁଣ

ବାଷ୍ପ ଗଦ୍‌ଗଦ କଣ୍ଠରେ,

ଲକ୍ଷ୍ମଣ ସତୀଙ୍କୁ ଜଣାଇଲେ ତାହା

ଲୁହ ପୋଛି ପଣନ୍ତରେ ।

ଅକାଳ ଜଳଦ ଶିଳାବୃଷ୍ଟି କରି

ନାଶଇ ଶସ୍ୟକୁ ଯଥା,

ସେ କଠୋର ବାକ୍ୟେ ଜାନକୀ ଅଧୀରେ

ପଡ଼ିଲେ ଭୂମିରେ ତଥା ।

ଅଳଙ୍କାରମାନ ଖସି ଶରୀରରୁ

ବଲ୍ଲରୀ କୁସୁମ ସମ,

ହୋଇଗଲା ବିଞ୍ଚି ତାଙ୍କ ଚାରିପଟେ

ଶୁଣି ଏ ବାର୍ତ୍ତା ନିର୍ମମ ।

ବହୁକ୍ଷଣ ଯାଏ ମୂର୍ଚ୍ଛାଭଜି ସତୀ

ପଡ଼ି ରହିଲେ ଭୂତଳେ,

ମାତ୍ର କ୍ରମେ କ୍ରମେ ଲଭିଲେ ଚେତନା

ଦେବର ଯତନ ଫଳେ ।

ଅନ୍ତରେ ଅନ୍ତରେ ଦଗ୍‌ଧ ହୋଇ ଦେବୀ

ଜ୍ଞାନଶୂନ୍ୟ ହେବାଠାରୁ,

ଅତିଶୟ ଦୁଃଖ ଜାତ ହେଲା ହୃଦେ

ଚେତନା ଲାଭ କଲାରୁ ।

ବୃଜିନ ବର୍ଜିତ ହେଲେହେଁ ସେ ସତୀ

ପତିଙ୍କି ନନିନ୍ଦି ଲବେ,

କର୍ମହୀନା ବୋଲି ନିନ୍ଦି କପାଳକୁ

କାନ୍ଦିଲେ ବିକଳ ରବେ ।

ପଡ଼ି ପଦତଳେ ଭାଷିଲେ ସୌମିତ୍ରି

ତାଙ୍କୁ ବାଷ୍ପରୁଦ୍ଧ ସ୍ୱରେ,

‘‘ପାଷଣ୍ଡ ପରାଏ ଆଚରିଛି ଯାହା

କ୍ଷମାକର ସତୀ ! ଥରେ ।

ରାଜାଜ୍ଞା ଅବଜ୍ଞା କରିବାକୁ କେବେ

ନବଳେ ଲକ୍ଷ୍ମଣ ମନ,

କିନ୍ତୁ କରିଅଛି ଦୋଷ ତବ ପାଶେ

କହି ଏ କଟୁ ବଚନ ।’’

ତହୁଁ ଦେବରଙ୍କୁ କହିଲେ ଆଦରେ

ସଧୀରେ ତାଙ୍କୁ ଉଠାଇ,

‘‘ହୁଅ ଚିରଞ୍ଜୀବୀ, କହିବ ଶାଶୁଙ୍କୁ

ପ୍ରଣାମ ପଦେ ଜଣାଇ,

ଏ ଅଭାଗିନୀର ଗର୍ଭସ୍ଥ ସନ୍ତାନେ

ଇଚ୍ଛନ୍ତୁ ସଦା ମଙ୍ଗଳ,

କହିବ ରାଜାଙ୍କୁ, ଜନଆଗେ ଏକି

ଅଗ୍ନିପରୀକ୍ଷାର ଫଳ ?

ହୋଇଛି କି ଏହା ଯଥାର୍ଥ କରମ

ଶୁଣି ଲୋକ ଅପବାଦ ?

ଅବା ଅବିଚାରେ ଘଟାଇଲା ବିହି

ତୁଚ୍ଛାରେ ଆଣି ପ୍ରମାଦ;

ଘଟିଛି କି ଅବା ବିଷମ ବିପାକ

ପୂର୍ବଜନ୍ମ ପାତକରୁ,

ନୁହନ୍ତା କି ସୁଖ ଛାଡ଼ିଥିଲେ ପୂର୍ବେ

ବନବାସ ସମୟରୁ ?

ମଧୁର ମିଳନେ ଯାପୁଥିଲି କାଳ

ତାଦେଖି ଲକ୍ଷ୍ମୀ ନସହି,

ଈର୍ଷାପରବଶେ ସଜ ଉଣ୍ଡି ଅବା

ଘଟାଇଲେ ଛଳ ବହି ।

କିରୂପେ ଶରଣ ଘେନିବି ମୁଁ ଅବା

ବନବାସୀ ଯତିଙ୍କର,

ଲୋଡ଼ୁଥିଲେ ଆଶ୍ରା ଯେଉଁମାନେ ମୋତେ

ବନବାସେ ନିରନ୍ତର ।

ଏ ବିରହ ବ୍ୟାଧି କାଳାନଳ ପରି

ଦହୁଅଛି ସଦାବେଳେ

ଏ ଜୀବନ ଥିବା ଯାଏ ମୋ ମାନସୁଁ

ନଯିବ ପାଶୋର ହେଳେ ।

ଏ ଉଦରେ ଯେଉଁ ଦିବ୍ୟତେଜ ତାଙ୍କ

ରହିଅଛି ବିଦ୍ୟମାନ,

ରକ୍ଷଣେ ତାହାର ମୋ କର୍ତ୍ତବ୍ୟ ବୋଲି

ଧରିଛି ସିନା ଜୀବନ ।

ରବିଙ୍କି ଅନାଇଁ ଏକଧ୍ୟାନେ ରହି

ସନ୍ତାନ ଜନମ ପରେ,

ଜପିବି ଏପରି ଯେପରି ସନ୍ତତ

ସଙ୍ଗୀହେବୁ ପରସ୍ପରେ ।

ମନୁଙ୍କ ମତରେ ବର୍ଣ୍ଣାଶ୍ରମ ଧର୍ମ

ରାଜାଙ୍କର ସିନା ଭବେ

ନିର୍ବାସନ ମୋର ହେବନାହିଁ କେଭେ

ଉପକାର ତାଙ୍କ ଲବେ ।

କରୁଣ ବଚନ ଶୁଣି ସୀତାଙ୍କର

ସୁମିତ୍ରାନନ୍ଦନ ଖରେ,

ତାଙ୍କ ଦୃଷ୍ଟିପଥୁଁ ହୋଇଲେ ଅନ୍ତର

ଯେ ଆଜ୍ଞା ! କହି ଲାଜରେ ।

କୁରରୀ ପରାଏ ଭୟାତୁରା ସୀତା

କାନ୍ଦିଲେ ଭୂତଳେ ପଡ଼ି

ତରୁଡାଳେ ବସି କୂଜିଲେ କି ଦୁଃଖେ

ତରୁଶାୟୀ ଶୁଣି ରଡ଼ି ।

ଦଇବ ଇଚ୍ଛାରେ ଏ ବିଶ୍ୱ ଚାଳିତ

ମଣିଷ ତା’ କ୍ରୀଡ଼ନକ,

କାନ୍ଦିଲେ କି ହେବ ଯେତେ ମଥାକୋଡ଼ି

ହେଲେ ଅବା ବକବକ ।

ସମ ରଣ ଯୋଗେ କୁସୁମ ବରଷି

କି ଅବା ଲୋତକ ଛଳେ,

ବୃକ୍ଷଲତାମାଳ ଦୁଃଖିନୀ ଦୁଃଖରେ

କାନ୍ଦିଲେ ଆହା ! ବିକଳେ ।

ମୟୂର ମୟୂରୀ ନୃତ୍ୟାମୋଦ ଛାଡ଼ି

ଶୁଣି ବିଳାପ ସହସା,

କେକାଧ୍ୱନି ଛଳେ ବୋଧିଲେ କି ଅବା

ଆସି ଜାନକୀ ନିକଷା ।

ଗ୍ରୀବାଟେକି ମୃଗେ ମ୍ରିୟମାଣ ଅବା

ଗଭୀର ବିଷାଦ ଭରେ !

ବଇଦେହୀଙ୍କର ବନମଧ୍ୟେ ଶୁଣି

କାନ୍ଦିବାର ଆର୍ତ୍ତସ୍ୱରେ ।

ଏକାଳେ ବାଲ୍ମୀକି କୁଶ ହୋମକାଠ

ଲାଗି ଆସିଥିଲେ ବନ,

ସତୀଙ୍କ ସମୀପେ ଆସିଲେ ସେକ୍ଷଣି

ଶୁଣି ବିକଳ କ୍ରନ୍ଦନ ।

କାନି ପଣନ୍ତରେ ପୋଛିଦେଇ ଲୁହ

ବନ୍ଦନ୍ତେ ତାଙ୍କ ପଦରେ,

ଗର୍ଭଚିହ୍ନ ଦେଖି ତାପସ ଏମନ୍ତ

ଭାଷିଲେ ତାଙ୍କୁ ଆଦରେ ।

ସୁପୁତ୍ରର ମାତା ହୁଅ ବୋଲି ଦେଇ

ଆଶୀର୍ବାଦ ଘନ ଘନ ,

ବୋଧିଲେ ତାହାଙ୍କୁ ନାନା କଥା କହି

ନିନ୍ଦି କୌଶଲ୍ୟା ନନ୍ଦନ ।

‘‘ଏ କୁତ୍ସିତ ରୀତି କ୍ରୂର ବ୍ୟବହାର

ଦେଖି ରଘୁମଣିଙ୍କର,

ହୋଇଛି ମୁଁ ରୁଷ୍ଟ ଏଣୁ ଗୋ ଜାନକୀ !

ତିଳେ ଶୋଚନା ନକର ।

କର ନାହିଁ ସତି ! ଦୁଃଖ କିଛି ମନେ

ଆସି ମୋ ଆଶ୍ରମେ ରହ,

ତାପସ କୁମାରୀ ନିକର ତୁମ୍ଭଙ୍କୁ

ଦେଖାଇବେ ଅନୁଗ୍ରହ ।

ତମସା ତଟିନୀ ତୀର ଦେଶେ ପୂର୍ଣ୍ଣ

ମୁନି କୁଟୀର ନିକର,

ଯହିଁ ଜାତ କର୍ମ ହେବ ଯଥାକାଳେ

ସମ୍ପାଦିତ ସନ୍ତାନର ।

ସୁଖେ ସ୍ନାନ କରି ଚାରୁ ପୁଳିନରେ

ଈଶ୍ୱରଙ୍କୁ ପୂଜାକରି,

ହୋଇ ସୁପ୍ରସନ୍ନ ମାନସ ପ୍ରବୃତ୍ତି

ତୁମ୍ଭ ଦୁଃଖ ନେବ ହରି ।

ନିବାରର ଧାନ ଋତୁ ଜାତଫଳ

ପୂଜା ଯୋଗ୍ୟ ଉପହାର,

ଯୋଗାଇ ଦେବେ ସେ ୠଷି କୁମାରୀଏ

ସଦାସରଳ ଉଦାର ।

ଶକ୍ତି ଅନୁଯାୟୀ ପାଣି ବହି ମାଖେ

ବଢ଼ାଅ ପାଦପମାନ ।

ମାନସ ସନ୍ତାପ ଘୁଞ୍ଚିଯିବ ଧୀରେ

ଜନ୍ମିବା ଆଗୁଁ ସନ୍ତାନ ।’’

ତପୋଧନଙ୍କର ଦୟାର୍ଦ୍ର ହୃଦୟ

ଜାଣି ସତୀ ଶିରୋମଣି,

ଚାଲିଲେ ମନ୍ଥରେ ମହର୍ଷି ପଶ୍ଚାତେ

‘ଉପକୃତ ହେଲି’ ମଣି ।

ବିରହ ବିଧୁରା ଜାନକୀଙ୍କି ଘେନି

ଆଶ୍ରମେ ବାଲ୍ମୀକି ଯାଇ,

ତାଙ୍କ ପରିଚୟ ଦେଇ ତାପସୀଙ୍କୁ

କହିଲେ ସବୁ ବୁଝାଇ ।

ରହିଥିଲେ ବେଢ଼ି ମହା ଆନନ୍ଦରେ

ଦେଖି ସନ୍ଧ୍ୟା ଆଗମନ,

କୁରଙ୍ଗନିଚୟ ହୋମବେଦୀ ପାଶେ

କରି ଭୀତି ବିସର୍ଜନ ।

ଅବସ୍ଥାନ କଲେ ପତର କୁଟୀରେ

ମୃଗଚର୍ମ ଶେଯେ ଶୋଇ,

ରକ୍ଷା କଲେ ତନୁ କନ୍ଦମୂଳ ଖାଇ

ନିତି ଧୁଆଧୋଇ ହୋଇ ।

ବୁଝିବାକୁ ଲବେ ନିୟତିର ଗତି

ଶକତି ନାହିଁ କାହାରି,

ରତ୍ନପଲଙ୍କୁରେ ବିହରେ ଯେ ଆଜି

କାଲି ସେ ଦାଣ୍ଡ ଭିକାରି ।

ଉଠି ପ୍ରଭାତରୁ ତମସାକୁ ଯାଇ

କାଖରେ କଳସ ଧରି,

ବହି ଆଣି ନୀର ଦିଅନ୍ତି ଗଛରେ

ନିତି ତାପସୀଙ୍କ ପରି ।

ଲିହିଥିଲା ବିହି ଏ କପାଳେ ପୁଣି

ବୋହିବାକୁ ନିଜେ ଜଳ,

ଯାର ପଦତଳେ ଖଟୁଥିଲେ ନିତି

ପରିଚାରୀ ଦଳଦଳ ।

ଇନ୍ଦ୍ରଜିତ ଜେତା ସୁମିତ୍ରାନନ୍ଦନ

ଅଯୋଧ୍ୟା ନଗରେ ଫେରି,

ଯିବାରୁ ସକଳେ ଜାନକୀ ସମ୍ବାଦ

ପୁଚ୍ଛିଲେ ତାହାଙ୍କୁ ଘେରି ।

ଲକ୍ଷ୍ମଣ ନିକଟୁଁ ସକଳ ବୃତ୍ତାନ୍ତ

ଶୁଣି ରାଜୀବଲୋଚନ,

ଦୁଃଖରେ ଅଧୀର ହୋଇ ଅହରହ

କଲେ ଅଶ୍ରୁ ବିସର୍ଜନ ।

ପରକଥା ଶୁଣି ଅବିମୃଶ୍ୟଭାବେ

କରେ ଯେ କରମ ଭବେ,

ଅନବରତ ସେ ଅସହ୍ୟ ଯାତନା

ମର୍ମ୍ମେ ମର୍ମ୍ମେ ଅନୁଭବେ ।

କୋପ ପରିଶୂନ୍ୟ ଶାନ୍ତଶିଷ୍ଟ ରାମ

ଧୀରେ ଶୋକ ପରିହରି,

ସକଳ କଲ୍ୟାଣ କଲେ ପ୍ରଜାଙ୍କର

ରାଜଧର୍ମ ଅନୁସରି ।

ଗୃହଧନ୍ଦା ଛାଡ଼ି ରାଜକାର୍ଯ୍ୟେ ବ୍ୟସ୍ତ

ରହିଲେ ସୋଦର ସହ,

ବଢ଼ାଇ ପୌରୁଷ ଅନ୍ୟ ପତ୍ନୀ ଆଉ

କଲେ ନାହିଁ ପରିଗ୍ରହ ।

ସୀତା ପ୍ରତିମୂର୍ତ୍ତି ସୁବର୍ଣ୍ଣେ ବିରଚି

କଲେ ଅଶ୍ୱମେଧ ଯାଗ,

ସମ୍ବରି ଥିଲେହେଁ ଜାନକୀଙ୍କି ବନେ

ହୃଦେଥିଲା ଅନୁରାଗ ।

ଜନରବୁଁ ଶୁଣି ଜନକନନ୍ଦିନୀ

ପତିଙ୍କ ସ୍ନେହ ମହିମା,

ଅନତି ବିଳମ୍ବେ କଲେ ପରିହାର

ମାନସୁଁ ଦୁଃଖ କାଳିମା ।

★★★

 

ପଞ୍ଚଦଶ ସର୍ଗ

 

ପୁନର୍ବିବାହରେ ନ ବଳାଇ ମନ

ଶାସିଲେ ଧରଣୀ ରାମ,

ସତୀ ପତିବ୍ରତା ଜନକସୁତାଙ୍କୁ

ହୃଦେ ରଖି ଅବିରାମ ।

ଯମୁନା ତଟିନୀ ତୀରବାସୀ ମୁନି

ଲବଣ ଉପଦ୍ରବରେ,

ଯାଗରକ୍ଷା ପାଇଁ ରାମଙ୍କୁ କହିଲେ

ଆସି ଆତଙ୍କ ମନରେ ।

ସେମାନଙ୍କ ଆଗେ ଧର୍ମ ରକ୍ଷା ଲାଗି

ରାମ କରି ଅଙ୍ଗୀକାର,

ବିହିଲେ ଆଦେଶ ଶତ୍ରୁଘ୍ନକୁ ଡାକି

କରିବାକୁ ପ୍ରତିକାର ।

ଆଶୀର୍ବାଦ ଘେନି ବଡ଼ ଭାଇଙ୍କର

ବାହାରିଲେ ଶତ୍ରୁଘନ,

ହୋଇ ଅୟୋଜିତ ସୁସଜ୍ଜିତ ସୈନ୍ୟେ

ପଛରେ କଲେ ଗମନ ।

ଆଗେ ଆଗେ ଚାଲି ମୁନିଏ ଚଞ୍ଚଳେ

ନିଅନ୍ତି ବାଟ ଦେଖାଇ,

ରବି ଅସ୍ତ ଦେଖି ବାଲ୍ମୀକି ଆଶ୍ରମେ

ରହିଲେ ସକଳେ ଯାଇ ।

ସର୍ବାଙ୍ଗ ସୁନ୍ଦର ଯୁଗଳ ତନୟ

ପ୍ରସବନ୍ତେ ରାମ ଭାର୍ଯ୍ୟା,

ସେଦିନ ଆଶ୍ରମେ କଲେ ତାହାଙ୍କର

ତାପସୀଏ ପରିଚର୍ଯ୍ୟା ।

ଏ କୁଶଳ ବାର୍ତ୍ତା ଶୁଣି ଶତ୍ରୁଘନ

ହେଲେ ଖୁସି ଅତିଶୟ,

ତହିଁ ଆରଦିନ ଗଲେ ସେ ହରଷେ

ଘେନି ସଇନନିଚୟ ।

ବାଟେ ଯାଉଁ ଯାଉଁ ଲବଣ ଦୈତ୍ୟକୁ

ଆସୁଥିବା ଦେଖି ଖରେ,

ଶତ୍ରୁଘ୍ନ ସୁମତି ଚ୍ଛେଦିଲେ ତାହାକୁ

ସଜ ଉଣ୍ଡି ତୀକ୍ଷ୍ମଶରେ ।

ସେ ଆଘାତେ ଦୈତ୍ୟ ଗର୍ଜି ବାରବାର

ଭାଷିଲା ଏମନ୍ତ ଗିର,

‘‘ଆଜିରେ ବିଧାତା ଆହାର ରୂପରେ

ଖଞ୍ଜିଲା ସୁନ୍ଦର ବୀର ।

କ୍ଷୁଧାର୍ତ୍ତ ଅଛି ମୁଁ ଭକ୍ଷିବି ଏକ୍ଷଣି

ତୋତେ ପ୍ରେରି ଯମାଳୟେ’’

ଏହା କହି ଶାଳ ତରୁଟିଏ ଆଣି

ଛେଚିଲା ତାଙ୍କ ହୃଦୟେ ।

ସମ୍ଭାଳି ଶତ୍ରୁଘ୍ନ ଐନ୍ଦ୍ର ଅସ୍ତ୍ର କାଢ଼ି

କରନ୍ତେ ତାକୁ କ୍ଷେପଣ,

ଦୁଇଖଣ୍ଡ ହୋଇ ରୁଧିରରେ ବୁଡ଼ି

ପଡ଼ିଲା ଦୈତ୍ୟ ଲବଣ ।

ବଧିବାରୁ ତାକୁ ତପସ୍ୱୀନିକର

ସ୍ତୁତି କଲେ ଶତ୍ରୁଘ୍ନକୁ,

ଲଜ୍ଜାଭରେ ସେହି କଲେ ଅବନତ

ବ୍ୟଗ୍ରେ ଆପଣା ଶିରକୁ ।

ଘୁଞ୍ଚାଇ ଶତ୍ରୁଘ୍ନ ତପବିଘ୍ନ ଯାହା

ଥିଲା ଋଷିମାନଙ୍କର,

ରଚିଲେ କୌଶଳେ କାଳିନ୍ଦୀ ତଟରେ

ମଥୁରା ନାମେ ନଗର ।

ନଥିଲା ଧନରେ ତିଳେ ମାତ୍ର ସ୍ପୃହା

ମହାର୍ହ ଭୂଷଣ ଯଶ,

ନ୍ୟାୟ ପରବଶ ହୋଇ ସୁକୌଶଳେ

କଲେ ପରଜାଙ୍କୁ ବଶ ।

ମହର୍ଷି ବାଲ୍ମୀକି ଏଣେ ତନୟଙ୍କ

ନାମ ଦେଇ କୁଶଲବ,

ଚିନ୍ତା କଲେ ସଦା ବଢ଼ିବ କିପରି

ସେମାନଙ୍କ ଗଉରବ ।

ଶୈଶବ ସମୟ ଅତୀତ ହେବାରୁ

ନିଜକୃତ ରାମାୟଣ,

ବେଦ ସହ ଶିକ୍ଷା ଦେଲେ ସେମାନକୁ

କରିବାକୁ ପାରାୟଣ ।

ଜନନୀ ମୁଖରେ ହରଷ ନଥିବା

କାଳରେ ସେ ଦୁଇଭାଇ,

ମନକୁ ଭୁଲାଇ ଦିଅନ୍ତି ତାଙ୍କର

ଶ୍ରୀରାମ ଚରିତ ଗାଇ ।

ଦୁଇ ଦୁଇ ସୁତ ଜନ୍ମିଲେ ଏକାଳେ

ଅନ୍ୟ ତିନି ଭାଇଙ୍କର,

ବିରହ ବେଦନା କିନ୍ତୁ ରାମମନ

ଘାଣ୍ଟୁଥିଲା ନିରନ୍ତର ।

ନିଜସୁତ ଶତ୍ରୁ- ଘାତୀ ସୁବାହୁକୁ

ବିଦିଶା ମଥୁରାପୁରେ,

ନୃପତି କରାଇ ପେରିଲେ ଶତ୍ରୁଘ୍ନ

ମାରି ଲବଣ କର୍ବୁରେ ।

ତୋରଣମାଳିନୀ ଅଯୋଧ୍ୟା ନଗରୀ

ପ୍ରବେଶନ୍ତେ ଆଡ଼ମ୍ବରେ,

ପୁରବାସୀ ବୃନ୍ଦ ମହିଳାଙ୍କ ସହ

ଅଭ୍ୟର୍ଥିଲେ ଭକ୍ତିଭରେ

ଏ ଅନ୍ତେ ନବରେ ପ୍ରବେଶି ପ୍ରଥମେ

ବନ୍ଦି ଅଗ୍ରଜ ଚରଣେ,

ପ୍ରଣମିଲେ ଯାଇ ଭକତି ମାନସେ

ସ୍ନେହମୟୀ ମାତାଗଣେ ।

ଏକାଳେ ଜନୈକ ଶ୍ରୋତ୍ରିୟ ବ୍ରାହ୍ମଣ

ମୃତ ଶିଶୁଟିଏ ଧରି

ଉଭାହେଲା ଆସି ରାଜସିଂହଦ୍ୱାରେ

ନେତ୍ରେ ଅଶ୍ରୁପୂର୍ଣ୍ଣକରି ।

ଭାଷିଲା ଏମନ୍ତ ଅତି ଉଚ୍ଚସ୍ୱରେ

‘‘ହେ ବସୁଧେ ! ଲୋକମାତା

ଦଶରଥଙ୍କର କରଭ୍ରଷ୍ଟ ହୋଇ

ଦେଖୁଛ କି ଜଣେ ଦାତା,

କଷ୍ଟୁଁ କଷ୍ଟତର ଶୋଚନୀୟ ଦଶା

କରୁଛ ଏବେ ଧାରଣ,

ରାମଙ୍କ ଶାସନେ ସମର୍ଥ କେ ଅଛି

କରିବାକୁ ତା’ ବାରଣ ।

ହୋଇ ମ୍ରିୟମାଣ ଶୁଣି ସେ ଧିକ୍‌କାର

କହିଲେ ଶ୍ରୀରାମ ଯାଇ,

ସେ ବିପ୍ରବରଙ୍କୁ କ୍ଷମାକର ବୋଲି

ସଦୟେ ଆଶ୍ୱାସ ଦେଇ ।

ଦ୍ୱିଜ ତନୟକୁ ଯମର କବଳୁଁ

ଫେରାଇବା ଆଶାକରି,

ପୁଷ୍ପକ ରଥରେ ଆରୋହି ଶ୍ରୀରାମ

ବାହାରିଲେ ଧନୁ ଧରି ।

ଏକାଳେ ଏରୂପେ ଶୁଭିଲା ଶୂନ୍ୟରୁ

‘‘ପ୍ରଜା ଛାଡ଼ି ନିଜ ଧର୍ମ,

ଅନ୍ୟ ବ୍ୟବହାର କରୁଛନ୍ତି ତେଣୁ

ଅଟଇ ଏହା କୁକର୍ମ ।

ସବିଶେଷ ହେତୁ ଖୋଜି ପୂର୍ଣ୍ଣରୂପେ

ବାସନା କର ପୂରଣ,’’

ଚଳିଲା ବିମାନ ଦଶଦିଗେ ବେଗେ

ଏକଥା କରି ଶ୍ରବଣ ।

ଦେଖିଲେ ଦୂରରୁ ଦୁଇପାଦ ଛନ୍ଦି

ଉଚ୍ଚବୃକ୍ଷ ଶାଖା ପରେ,

କରୁଛି ତପସ୍ୟା ଜନଏକ ଶୂଦ୍ର

ରହି ଏକାଗ୍ର ଚିତ୍ତରେ ।

ପଚାରନ୍ତେ ରାମ କହିଲା ସେ ତପି

‘‘ଶମ୍ଭୁକ ନାମ ମୋହର,

ଜାତିରେ ମୁଁ ଶୂଦ୍ର ସ୍ୱର୍ଗ କାମନାରେ

କରୁଛି ତପସ୍ୟା ଘୋର ।’’

ଭାବିଲେ ଶ୍ରୀରାମ, ‘‘ନାହିଁଟି ଏହାର

ତପସ୍ୟାରେ ଅଧିକାର,

ଧର୍ମଶାସ୍ତ୍ରମତେ ଶିରଚ୍ଛେଦ ଦଣ୍ଡ

ଅଟଇ ଏ ଦୁରାତ୍ମାର ।’’

ତେଣୁ ତା’ର ଶିର ଶରରେ ଛିଣ୍ଡାଇ

ପକାଇଲେ ସେହୁ ତଳେ,

ବ୍ରାହ୍ମଣ୍ୟ ଧର୍ମର ମୂଳନୀତି ବୋଲି

ଯଶ ରଖି ଭୂମଣ୍ଡଳେ ।

ଫେରି ଅଯୋଧ୍ୟାକୁ ଶୁଣିଲେ ଶ୍ରୀରାମ

ମୃତ ବ୍ରାହ୍ମଣ କୁମର

ପାଇଛି ଜୀବନ ତେଣୁ ସ୍ତୁତିଗାନ

କରେ ବିପ୍ର ରାମଙ୍କର ।

କିଛିଦିନ ପରେ ଅଶ୍ୱମେଧ ଯାଗ

ସମ୍ପୂର୍ଣ୍ଣ କରିବା ପାଇଁ,

ମହା ଆଡ଼ମ୍ବରେ ଅଶ୍ୱକୁ ମୋଚନ

କଲେ ଅଯୋଧ୍ୟାର ସାଇଁ ।

ନାନା ଉପାୟନ ରାକ୍ଷସବାନର

ନର ନରପତି ଚୟେ,

ନାନା ଦେଶୁଁ ଆସି ଦେଲେ ମୋଦଭରେ

ତାଙ୍କୁ ଜୁହାରି ବିନୟେ ।

ଏହି ମହାଯାଗେ ଯୋଗ ଦେବାପାଇଁ

ଆସି ମହାଋଷି ମାନେ,

ଜ୍ୟୋତିର୍ମୟ ଲୋକୁଁ ସୁଦ୍ଧା ଦଳେ ଦଳେ

ପହଞ୍ଚିଲେ ଯାଗସ୍ଥାନେ ।

ଜଳସ୍ରୋତ ପରି ଚାରିଦିଗୁଁ ଏଣେ

ଆସି ନିମନ୍ତ୍ରିତ ଦଳ,

ନିର୍ବିଘ୍ନରେ ସମା- ପନ କରବାକୁ

ଯତନ କଲେ ସକଳ ।

ପତ୍ନୀରୂପେ ଘେନି ସୁବର୍ଣ୍ଣ ପ୍ରତିମା

ବିଦେହ ନନ୍ଦିନୀଙ୍କର,

ଅନୁଷ୍ଟିଲେ ଯାଗ ରକ୍ଷକ କରାଇ

ତହିଁ ରାକ୍ଷସନିକର ।

ବାଲ୍ମୀକି ରଚିତ ରାମାୟଣ ଗୀତ

ଗାଇଲେ ମଧୁରସ୍ୱରେ

ଲବକୁଶ ବେନି ଋଷିଙ୍କ ପ୍ରସାଦୁଁ

ଆସି ଯାଗ ମଣ୍ଡପରେ ।

କିନ୍ନର ପରାଏ ଲବକୁଶ ବେନି

ଭାଇ ଅଟନ୍ତି ଗାୟକ,

ପୁଣି କବିଗୁରୁ ମହର୍ଷିବାଲ୍ମୀକି

ନିଜେ ଗୀତବିରଚକ ।

ଶ୍ରୋତାଏ ସକଳ ହୋଇ ବିମୋହିତ

ହେଲେ ପଚରାପଚରି,

ମଧୁର ମୁରତି ଦେଖି ତାହାଙ୍କର

ହେଲେ ସର୍ବେ ଠରାଠରି ।

ବୟସ ବେଶକୁ ଛାଡ଼ି ସବୁ ଅଂଶେ

ରାମ ସଙ୍ଗେ ଦୁହିଁଙ୍କର,

ନଥିଲା ପ୍ରଭେଦ ତେଣୁ ଲୋକମାନେ

ଦେଖୁଥିଲେ ଥର ଥର ।

ପଚାରିଲେ ରାମ କେଉଁ କୃତିବିନ୍ତ

ଶିକ୍ଷକ ବାବୁ ତୁମ୍ଭର,

ଶିଖାଇଲେ କିଏ କହ କେଉଁ କବି

ପ୍ରଣେତା ଏ ସୁଗ୍ରନ୍ଥର ।

ଦୁଇଭାଇ ତହୁଁ ଉତ୍ତରିଲେ ତାଙ୍କୁ

‘‘ବାଲ୍ମୀକି ଗୁରୁ ଆମର,

ଏହି ଉପାଖ୍ୟାନ ରଚିଛନ୍ତି ସେହି

ଶୁଣିବାକୁ ସୁଧୀବର ।’’

ନାନା ଲୋଭନୀୟ ପଦାର୍ଥ ଦେଲେହେଁ

ନ ନେବାରୁ ବେନିଭାଇ,

ଦର୍ଶକ ମଣ୍ଡଳି ପିଚାରିଲେ ତହୁଁ

ବାଲ୍ମୀକି ସମୀପେ ଯାଇ ।

ଗମନ୍ତେ ଶ୍ରୀରାମ ମହର୍ଷିଙ୍କ ପାଶେ

ଭାଷିଲେ ସେ ମୁନିବର ,

ଲବକୁଶ ବେନି ଅଟନ୍ତି ଯମଜ

ବଇଦେହୀଙ୍କ କୁମର ।

ମୋ ଆଶ୍ରମେ ରହି କରନ୍ତି ଉଜ୍ଜ୍ୱଳ

ଅବିରତ ତପୋବନ,

ଘେନ ତାଙ୍କୁ ଏବେ ମାତାସହ ମୋଦେ

ଏହା ମୋର ନିବେଦନ ।

ଏ ବଚନ ଶୁଣି ଦୁଃଖେ ରଘୁ ମଣି

କହିଲେ ତାଙ୍କୁ ଏପରି,

ଇଚ୍ଛିଲେ ପ୍ରଜାଏ ଗ୍ରହିବି ତାହାଙ୍କୁ

ତବ ଆଜ୍ଞା ଶିରେ ଧରି ।’

ଆଣିଲେ ଡକାଇ ସୀତାଙ୍କୁ ଆଶ୍ରମୁଁ

ଅରିରେ ସେ ମୁନିବର,

ଏଣେ ରଘୁମଣି ଜମାଇଲେ ଆଣି

ତାହାଙ୍କ ପ୍ରଜାନିବିର ।

କଷାୟ ବସନ ପିନ୍ଧି ସୀତାଦେବୀ

ସ୍ୱୀୟ ଚରଣଯୁଗଳେ,

ନିବେଶି ନୟନ ଧୀରେ ଧୀରେ ବିଜେ

ହେଲେ ସେହି ସଭାସ୍ଥଳେ ।

ଫଳେ ଅବନତ ପକ୍ୱଶାଳି ପରି

ନତମୁଖେ ସୀତା ରହି,

ନିଜ ଚରିତ୍ରର ପବିତ୍ରତା ନେଇ

କହିଲେ ଅନାଇଁ ମହୀ ।

‘‘ହେ ଧରଣୀ ଦେବି ! କରି ନାହିଁ କେବେ

ସ୍ୱାମୀପ୍ରତି ଅବିଶ୍ୱାସ,

ଏଣୁ ତୋ ଜଠରେ ସ୍ଥାନ ଦେଇ ମୋତେ

ପୂରାଅ ମୋ ଅଭିଳାଷ ।’’

କହିବା ମାତ୍ରକେ ଏକଥା ଜାନକୀ

ଦିଶିଗଲା ରନ୍ଧ୍ରଟିଏ,

ତହିଁରୁ ଧରିତ୍ରୀ ଦେବୀ ବାହାରନ୍ତେ

ତଟସ୍ଥ ହେଲେ ସଭିଏଁ ।

ସ୍ୱାମୀଙ୍କ ଆଡ଼କୁ ଅନାଇଁ ଏକାଲେ

ରହିଥିଲେ ସୀତାସତୀ

ପଶିଲେ ପାତାଳେ ତାଙ୍କୁ କୋଳେ ଧରି

ଆସି ଦେବୀ ବସୁମତୀ

କେଡ଼େ ଅଭାଗିନୀ ଜନକ ଦୁହିତା

ବିବାହ ବାସି ଦିନରୁ,

ସୁଖ ବୋଲି ଦିନେ ଜାଣିଲେ ନାହିଁଲୋ

ନିଜ କପାଳ ଦୋଷରୁ ।

ଶାଶୁଘର ଯାଇ ରହି କିଛି ଦିନ

ଗଲେ ପତି ସଙ୍ଗେ ବନ,

ସକଳ ସୌଭାଗ୍ୟ ତେଜି ପାଟରାଣୀ

ପିନ୍ଧି ବକଳ ବସନ ।

ମଣିଥିଲେ ସିନା ପତିସଙ୍ଗେ ସୁଖେ

ଯାପିବେ କାନନେ କାଳ,

ଦଶା ବିପାକରୁ ଅବା ପୂର୍ବ କର୍ମୁଁ

ଦଶାନନ ହେଲାକାଳ ।

ଅଶୋକ ବନରେ ବନ୍ଦୀଭାବେ ରହି

ଭୋଗିଲେ କେତେ ଯାତନା,

ପତି ପତି ବୋଲି ଝୁରି ଝୁରି ସଦା

ହେଲା ସଫଳ କାମନା ।

ଚରିତ୍ରରେ ତାଙ୍କ ସନ୍ଦେହ କରିଣ

ରାମ ସର୍ବ ସମକ୍ଷରେ

ଅଗ୍ନିରେ ତାହାଙ୍କୁ ପରୀକ୍ଷା କରାଇ

ଗ୍ରହିଲେ ହରଷଭରେ ।

ଅଯୋଧ୍ୟାନାଥଙ୍କ ପାଟରାଣୀ ହୋଇ

ଦିନ ଗଲାନାହିଁ ସୁଖେ,

ଲୋକ ଅପବାଦ ଯୋଗେ ରାମଚନ୍ଦ୍ର,

ପଠାଇଲେ ବନମୁଗେ ।

ଦେବର ଲକ୍ଷ୍ମଣ ସଙ୍ଗେ ତାଙ୍କୁ ଘେନି

ଭାଗୀରଥୀକୂଳେ ଛାଡ଼ି

ଆସନ୍ତେ ବାହୁଡ଼ି ଏକାକିନୀ ହୋଇ

କଲେ ସେ ବିକଳେ ରଡ଼ି ।

ଏକାଳେ ବାଲ୍ମୀକି ଶୁଣି ସେ କ୍ରନ୍ଦନ

ପାଖକୁ ଆସିଲେ ଧାଇଁ,

ରାମ ବ୍ୟବହାରେ ରୋଷବହି ମନେ

କହିଲେ ସୀତାଙ୍କୁ ଚାହିଁ ।

‘‘ଅଛ ଗର୍ଭବତୀ ମୋର ମଠେ ସୁଖେ

ରହି ତାପସୀଙ୍କ ସହ,

ହସ କଉତୁକେ ଦିନ ସରିଯିବ

ମାନସେ ଦୁଃଖ ନବହ ।’’

ଏହା କହି ମୁନି ତାଙ୍କୁ ସଙ୍ଗେ ଘେନି

ଗଲେ ଆପଣା ମଠକୁ,

ରଖିଲେ ଯେପରି ସୁଖେ ଦିନ ଯିବ

ତେଜି ବିରହ ଦୁଃଖକୁ ।

କିଛିଦିନ ଗତେ ଯମଜ ତନୟ

ପ୍ରସବିଲେ ସୀତାସତୀ

ଜାତକର୍ମ ତାଙ୍କ ସାରି ମହାମୁନି

ପାଳିଲେ ଯତନେ ଅତି ।

ଲବକୁଶ ବୋଲି ତାଙ୍କ ନାମ ଦେଇ

ସ୍ୱରଚିତ ରାମାୟଣ,

ଶିଖାନ୍ତେ ଦୁହିଁଙ୍କୁ ଲଳିତ କଣ୍ଠରେ

ନିତି କଲେ ପାରାୟଣ ।

ଅଶ୍ୱମେଧ ଯାଗ କରିବାରୁ ରାମ

ବାଲ୍ମୀକି ଧରି ସଙ୍ଗରେ,

ସେ ଭାଇ ଦୁହିଁଙ୍କୁ ବୋଲାଇଲେ ଗୀତ

ଆସି ଯାଗ ମଣ୍ଡପରେ ।

ରାମାୟଣ ଗାନେ ଚିହ୍ନାଇଁ ଦୁହିଁଙ୍କୁ

ରାମଙ୍କ ବୋଲି କୁମର ।

ଗ୍ରହିବାକୁ ସୀତା କୋଶଳନାଥଙ୍କୁ

ନିବେଦିଲେ ମୁନିବର ।

ପ୍ରଜାଙ୍କ ସମକ୍ଷେ ସୀତାଙ୍କ ଚରିତ୍ର

ପରୀକ୍ଷା କରିବା ପାଇଁ,

ଡକାଇ ଆଣନ୍ତୁ ବୋଲି ମହର୍ଷିଙ୍କୁ

ବୋଇଲେ କୋଶଳ ସାଇଁ ।

ଏ ଆଦେଶ ଲଭି ମହାଋଷି ଯାଇ

ସୀତାଙ୍କୁ ସେ ସଭାସ୍ଥଳ,

ଆଣନ୍ତେ ତକ୍ଷଣେ ଲୋକଙ୍କ ମଧ୍ୟରେ

ପଡ଼ିଲା ଘୋର ଚହଳ ।

ନତ ମୁଖେ ସୀତା ଧରଣୀ ଦେବୀଙ୍କୁ

ଆକ୍ଷି କରି ଛଳ ଛଳ,

ଡାକନ୍ତେ ସେ ଦେବୀ ବାହାରି ରନ୍ଧ୍ରରୁ

ତାଟକା କଲେ ସକଳ ।

କୋଳେ ଘେନି ତାଙ୍କୁ ହୁଅନ୍ତେ ଅଦୃଶ୍ୟ

ନମାନି ରାମ ବଚନ,

ଉଦ୍ୟତ ହେଲେ ସେ କରିବାକୁ ବ୍ୟଗ୍ରେ

ତା’ର ମସ୍ତକ ଛେଦନ ।

ଏକାଳେ ସହସା ବ୍ରହ୍ମା ଆସି ତହିଁ

କରନ୍ତେ ତାଙ୍କୁ ବାରଣ,

ଉପଦେଶ ତାଙ୍କ ଘେନିଣ ଶ୍ରୀରାମ

କ୍ରୋଧ କଲେ ସମ୍ବରଣ ।

ଯାଗଶେଷେ ତୋଷି ବନ୍ଧୁବାନ୍ଧବଙ୍କୁ

ସଭିଙ୍କି ଦେଇ ମେଲାଣି,

ସମର୍ପିଲେ ରାମ ସମୁଦାୟ ରାଜ୍ୟ

ଲବକୁଶ ଡାକି ଆଣି ।

ଭରତଙ୍କୁ ଦେଲେ ସିନ୍ଧୁଦେଶ ତାଙ୍କ

ମାତୁଳ ଅନୁରୋଧରେ,

କିନ୍ତୁ ନିଜପୁତ୍ର ତକ୍ଷ ପୁଷ୍କଳଙ୍କୁ

ଦେଲେ ସେ ହରଷ ଭରେ ।

କାରାପଥ ପୁରେ ଲକ୍ଷ୍ମଣଙ୍କ ପୁତ୍ର

ଅଙ୍ଗଦ ଚନ୍ଦ୍ର କେତୁଙ୍କୁ,

ରାଜପଦ ଦେଇ ଯାପିଲେ ସମୟ

ମାନି ରାମ ଆଦେଶକୁ ।

କିଛିଦିନ ଅନ୍ତେ ରାମଙ୍କ ସମୀପେ

ଶମନ କରି ପ୍ରବେଶ,

ନିବେଦିଲେ ତାଙ୍କୁ ବୈକୁଣ୍ଠେ ଯିବାକୁ

ଘେନି ବ୍ରହ୍ମାଙ୍କ ଆଦେଶ ।

ସମାପନ କରି ମର୍ତ୍ତ୍ୟଲୀଳା ରାମ

ଚାଲିଲେ ଭାଇଙ୍କ ସହ,

ଗଲେ ତାଙ୍କ ସଙ୍ଗେ ଯେତେ ପ୍ରିୟଭୃତ୍ୟ

ରାକ୍ଷସ କପି ନିବହ ।

ବୈକୁଣ୍ଠୁଁ ଆଗତ ରଥରେ ଆରୋହି

ଗଲେ ଯମ କଥାଶୁଣି,

ଭବମାୟା ଛାଡ଼ି ଦେବ ଭାବଗ୍ରାହୀ

ଧଇଲେ ସ୍ୱମୂର୍ତ୍ତି ପୁଣି ।

★★★

 

ଷୋଡଶ ସର୍ଗ

 

ବୟସରେ ବଡ଼ ଗୁଣରେ ଗରିଷ୍ଠ

କୁଶ ବସି ସିଂହାସନେ,

କୃଷିର ଉନ୍ନତି ଲାଗି ସେତୁ ବାନ୍ଧି

ପାଳିଲେ ପ୍ରଜା ଯତନେ ।

ବିବିଧ ସତ୍‌କାର୍ଯ୍ୟ କରି ପ୍ରଜାଲାଗି

ରଞ୍ଜିଲେ ତାଙ୍କୁ ମାନସ,

ଦାନ ଧର୍ମେ ମନ ଦେବାରୁ ସତତ

ବଢ଼ିଲା ତାଙ୍କର ଯଶ ।

ଏଥୁଅନ୍ତେ ଦିନେ ନିଶୀଥ ସମୟେ

କୁଶ ଶୟନାଗାରରେ,

ଅଚିହ୍ନା ରମଣୀ ଗୋଟିଏ ପ୍ରବେଶି

କହିଲା ଉଚ୍ଚ ସ୍ୱରରେ ।

‘ଜୟ ହେଉ ବୋଲି’ ଶୁଣି ଆଚମ୍ବିତେ

କୁଶ ପୁଚ୍ଛିଲେ ତାହାଙ୍କୁ,

କେମନ୍ତେ ପଶିଲ ଗୃହେ ନ ଫିଟାଇ

ଅର୍ଗଳିତ କବାଟକୁ ।

ନବ କମଳିନୀ ହିମବିନ୍ଦୁ ଝାଳେ

ଲଭଇ ବିବର୍ଣ୍ଣ ଯଥା,

ହୁଏ ଅନୁମାନ ଦୁଃଖେ ମ୍ଳାନ ତବ

ବଦନ ଦିଶଇ ତଥା ।

କିଏ ତୁମ୍ଭେ କହ, କାହାର ବନିତା,

ଆସିଛ କିପାଁ ରାତ୍ରରେ ?

ଇନ୍ଦ୍ରିୟ ଦାସ ତ ନୁହନ୍ତି କଦାପି

ଇକ୍ଷ୍ୱାକୁବଂଶ କୁମରେ ।

ବୀଣାଜିଣା ସ୍ୱରେ ଭାଷିଲେ ଦୁଃଖିନୀ

ଶୁଣ ହେ ନରେନ୍ଦ୍ରମଣି,

‘‘ଭାରତ ମଧ୍ୟରେ ଯଶ ଗଉରବେ

ସଦା ଅଯୋଧ୍ୟା ଧରଣୀ ।

ଟେକିଥିଲା ତା’ର ଉଜ୍ଜ୍ୱଳ ମସ୍ତକ

ସେହି ମହାନଗରୀର,

କଳ କାଳରେ ଅଧିଷ୍ଠାତ୍ରୀ ମୁହିଁ

ଅର୍କବଂଶ ଅଧୀଶ୍ୱର ।

ତବ ପିତାସଙ୍ଗେ ଗଲେ ଅଧୀବାସୀ

ମଜ୍ଜି ବାତ୍ସଲ୍ୟ ପ୍ରେମରେ,

ଅନାଥିନୀ ହୋଇ ରହିଲି ଏପୁରେ

ଏବେ ଏକାକୀ ଦୁଃଖରେ ।

ତୁମ୍ଭେ ଶକ୍ତିଶାଳୀ ନ୍ୟାୟପରାୟଣ

ଜନ୍ମିଛ ସେହି ବଂଶରେ,

ଥାଉଁ ଥାଉଁ ତୁମେ ଲଭୁଛି କି ଦଶା

କାନ ଡେରି ଶୁଣ ଥରେ ।

ମୋର ନୃପଙ୍କର ଅତୁଳ ଐଶ୍ୱର୍ଯ୍ୟେ

ପୁଣି ବୀରତ୍ୱ ପ୍ରଭାବେ,

ଏ ସାକେତପୁର ସତତ ପ୍ରସିଦ୍ଧି

କରିଥିଲା ଲାଭ ଭବେ ।

ପଣ୍ଡିତ ମଣ୍ଡିତ ଏ ମହାନଗରୀ

ହୋଇଛି ଶ୍ମଶାନ ଆଜି,

ମିଶିଛି ମାଟିରେ ଅଟ୍ଟାଳିକା ପୁଣି

ରମ୍ୟ ଦେବାଳୟ ରାଜି ।

ପଶି ସରସୀରେ ଅରଣା ମହିଷ

ଦେଖାଇ ଆପଣା ବଳ,

ସଞ୍ଚାଳି ଗୋଡ଼କୁ ଅଥବା ଥୋଡ଼କୁ

ପଙ୍କିଳ କରୁଛି ଜଳ ।

ବରଷା ପାଣିରେ ଭିଜି କାନ୍ଥଶ୍ରେଣୀ

ଭୁଷୁଡ଼ି ପଡ଼ିଛି କାହିଁ,

ଜମି ହିଡ଼ ପରି ଦିଶୁଛି ତା’ ଦୂରୁଁ

କିଏସେ ପଚାରୁ ନାହିଁ ।

ଯେ ରାଜମାର୍ଗରେ ଅଭିସାରିକାଏ

ବିଚରୁ ଥିଲେ ନିର୍ଭୟେ,

ଭ୍ରମୁଛନ୍ତି ଏବେ ଶର୍ବରୀ ସମୟେ

ତହିଁ ସାରମେୟଚୟେ ।

ଦୁରନ୍ତ ଶୃଗାଳେ ଏଣେ ତେଣେ ବୁଲି

କରି ବିକଟ ଚିତ୍କାର,

ନିଜମୁଖ ବହ୍ନି ତେଜେ ଖୋଜି ଖୋଜି

କରନ୍ତି ଶବ ଆହାର ।

ଗୃହ କେକୀ କୁଳ କାମିନୀମାନଙ୍କ

ଶୁଣି ମୃଦୁ କରତାଳି,

ଦିଶନ୍ତି ବିବର୍ଣ୍ଣ ଯେହୁ ବର୍ହତୋଜି

ନାଚୁଥିଲେ ଢଳି ଢଳି ।

ଅଲକ୍ତକ ରସ ରଞ୍ଜିତ ଚରଣେ

ଭ୍ରମୁଥିଲେ ଆନନ୍ଦରେ,

ଯହିଁ ରମଣୀଏ ଏବେ ବୁଲୁଛନ୍ତି

ତହିଁ ଶାର୍ଦ୍ଦୂଳ ନିକରେ ।

ଶୁଭୁ ନାହିଁ କାହିଁ ନବ ନବ ତାନେ

ମୃଦଙ୍ଗର ଧ୍ୱନି ଆଉ,

ଆନନ୍ଦ ବିହୀନ ସାକେତ ନଗରେ

ବଢ଼ିଲାଣି ଖଣ୍ଟ ଦାଉ ।

କମଳ କାନନେ ମୃଣାଳ ଖଣ୍ଡକୁ

ନିଜ ଥୋଡ଼ ହସ୍ତେ ଧରି,

ଖାଉଥିଲା ଯାହା ପ୍ରମତ୍ତ ମାତ୍ତଙ୍ଗ

ଏବେ କୁପିତ କେଶରୀ ।

ହାବୋଡ଼ି ତା’ ଆଗେ କାମୋଡ଼ି ଦନ୍ତରେ

କମନୀୟ କୁମ୍ଭମାନ,

ବିଦାରି ନଖରେ ଅବିରତ ଖରେ

କରୁଅଛି ଛିନ୍ନଭିନ୍ନ ।

ବାରନ୍ଦାମାନଙ୍କ ଧାଡ଼ି ଧାଡ଼ି ସ୍ତମ୍ଭେ

ଅପରୂପ ନାରୀରୂପ

ଶୋଭୁଥିଲା ଯାହା ଧୂଳିରେ ମିଶି ତା

ହୋଇଅଛି ଭଗ୍ନସ୍ତୂପ ।

ଆଗେ ଯେଉଁ ହର୍ମ୍ମ୍ୟ ବିମଳ କାନ୍ତିରେ

ତୁଷାର ଖଣ୍ଡର ପରି,

ଦିଶୁଥିଲା ଦୂରୁଁ ହୋଇଅଛି ତାହା

ଏବେ ତୃଣାଙ୍କୁରେ ଭରି ।

ଏବେ ହେ ବୀରେନ୍ଦ୍ର ଉପବନ ଲତା

ଦେଲେଣି ଦଳି ବାନରେ,

ସେ ଦଶା ଦର୍ଶନେ କହିବା ନିମିତ୍ତ

ନୟନୁ ଲୋତକ ଝରେ ।

ପୁଷ୍ପିତ ଲତାରୁ ଫୁଲ ତୋଳି ତୋଳି

ଲଳନାଏ ଯହିଁ ସୁଖୀ,

ହେଉଥିଲେ ସଦା ପୁଳିନ୍ଦଙ୍କ ଯୋଗେ

ଗଲା କ୍ରମେ ତାହା ଶୁଖି ।

ପ୍ରଦୀପମାଳରେ ଯେ ରମ୍ୟ ଗବାକ୍ଷ

ହେଉଥିଲା ଆଲୋକିତ

ସେଗୁଡ଼ିକ ଏବେ ଊର୍ଣ୍ଣନାଭଜାଲେ

ହୋଇଛି ଆହା ଭରିତ !

ଧାର୍ମିକନିବହ ଗୁଣୁ ଗୁଣୁ ସ୍ୱରେ

ଜପି ଜପି ହରିନାମ,

ନଯାନ୍ତି ପ୍ରଭାତୁଁ ସରଯୁକୁ ଆଉ

ଘେନି ପୂଜା ପୁଷ୍ପଦାମ ।

ନାହିଁ ସେ ସୌନ୍ଦର୍ଯ୍ୟ ଅବା ଜନଚିହ୍ନ

ରହିଛି ଏସବୁ ସହି,

କୁଶାବତୀ ଛାଡ଼ି ଆସ ମୋର ପୁରେ

ମୋ ପ୍ରତି ସୁଦୟା ବହି ।

‘ତଥାସ୍ତୁ’ ଉଚ୍ଚାରି ରଘୁ ଶ୍ରେଷ୍ଠ କୁଶ

ଘେନନ୍ତେ ତାଙ୍କ ପ୍ରାର୍ଥନା,

ହେଲେ ଅନ୍ତର୍ହିତା ଲକ୍ଷ୍ମୀ ଦେହିକ୍ଷଣି

ପୂରିଲା ଭାବି କାମନା ।

ନୃପତି ପ୍ରଭାତୁ ଉଠି ଶୟନରୁ

କହି ମନ୍ତ୍ରୀଙ୍କ ଆଗରେ,

ଶୁଭ ଅନୁକୂଳେ ଅଯୋଧ୍ୟାଭିମୁଖେ

ଗମିଲେ ହରଷଭରେ ।

ପ୍ରଭଞ୍ଜନ ଯୋଗେ ଦୋହଲି ଦୋହଲି

ଶୋଭୁଥିଲା ଧ୍ୱଜତତି,

ବିପୁଳବାହିନୀ ଚାଲି ପଛେ ପଛେ

ଟେକିଥିଲେ ଶିରେ ଛତି ।

ଉଡ଼ୁଥିଲେ ନଭେ ଚଞ୍ଚଳ ପକ୍ଷରେ

ହଂସେ କଳରବ କରି,

ବିଞ୍ଚିଦେଲା କିରେ ନୃପଙ୍କୁ ଗଗନ

ଧବଳ ଚାମର ଧରି ।

ଅଶ୍ୱଙ୍କର ହ୍ରେଷା ହସ୍ତୀର ଗର୍ଜନ

ଭୀମ ନାଦୀ ଢୋଲ ସ୍ୱରେ,

ଗିରିବାସୀ ପ୍ରାଣୀ ନିକର କେଉଁଠି

ଲୁଚିଗଲେ ଅତି ଦରେ ।

ଆସି ଅଯୋଧ୍ୟାକୁ ସୁପବିତ୍ର ମନେ

ରମ୍ୟ ରାଜଭବନରେ,

ପ୍ରବେଶିଲେ କୁଶ ବେଦୋକ୍ତମତରେ

ଆତ୍ମୀୟଙ୍କ ସହିତରେ ।

ରାଜଶ୍ରୀ ହରାଇ ଥିଲା ଯେ ନଗରୀ

ଗଢ଼ି ତା’ ନୂଆଭାବରେ,

ବଂଶର ମର୍ଯ୍ୟାଦା ବଢ଼ାଇଲେ ସେହୁ

ନୋହି ମତ୍ତ ପ୍ରମୋଦରେ ।

କିଛି ଦିନ ଅନ୍ତେ ଭୁଜଙ୍ଗରାଜଙ୍କ

ଭାଗିନୀ କୁଶବତୀଙ୍କୁ,

କରିଲେ ବିବାହ ଭୁଜଙ୍ଗମ ଭୟୁଁ

ମୁକ୍ତ କରି ଧରଣୀକୁ ।

★★★

 

ସପ୍ତଦଶ ସର୍ଗ

 

ଭୁବନ ଭୂଷଣ ତନୟ ରତନ

ପ୍ରସବନ୍ତେ କୁମୁଦ୍‌ବତୀ,

ରଖିଲେ ଅତିଥି ନାମ ତାହାଙ୍କର

ସାନନ୍ଦେ ଅଯୋଧ୍ୟାପତି ।

ଦକ୍ଷିଣ ଉତ୍ତର ଦିଗକୁ ଉଜ୍ଜ୍ୱଳ

ରଖଇ ରବି ଯେସନ,

ପିତୃମାତୃ ବେନି କୁଳକୁ ଅତିଥି

ରଖିଲେ କୁଶ ତେସନ ।

ଯୋଗ୍ୟ ପାତ୍ରୀ ସହ ଯଥା ସମୟରେ

ପୁତ୍ରକୁ ବିଭା କରାଇ,

ଦୁର୍ଜୟ ବିନାଶେ ଗଲେ ସ୍ୱର୍ଗେ କୁଶ

ଇନ୍ଦ୍ରଙ୍କ ଡକରା ପାଇ ।

ସେ ଦୈତ୍ୟକୁ ମାରି ହୋଇଲେ ନିହତ

ନିଜେ ତାହାର ହସ୍ତରେ,

କୁମୁଦ୍‌ବତୀ ଏହା ଶୁଣି ଦେହତ୍ୟାଗ

କରିଲେ ପତି ପ୍ରେମରେ ।

ବୃଦ୍ଧ ମନ୍ତ୍ରୀଗଣ ଅତିଥିଙ୍କୁ କଲେ

ପ୍ରତିଷ୍ଠିତ ରାଜପଦେ,

ମୁକୁଳି ବନ୍ଦିରୁ ବନ୍ଦିଏ ଏକାଳେ

ସ୍ତୁତିକଲେ ତାଙ୍କ ପଦେ ।

ସକଳ କାର୍ଯ୍ୟରେ ସରଳ ବିଶ୍ୱାସୀ

ଥିଲେ ସଦା ନବ ଭୂପ,

ଜଣେ ହେଲେ କେହି ନଥିଲେ ସେକାଳେ

ତାହାଙ୍କର ଅନୁରୂପ ।

ବିଶୁଦ୍ଧ ଚରିତ୍ର ଥିଲା ସଦା ତାଙ୍କ

କହୁଥିଲେ ହସି କଥା,

କୌଣସି କରମ କରୁ ନଥିଲେ ସେ

ଦେଇ କାହାମନେ ବ୍ୟଥା ।

ଆଳସ୍ୟ ଉପେକ୍ଷି ମନ୍ତ୍ରୀଙ୍କ ସଙ୍ଗରେ

ମିଶି ନବୀନ ରାଜନ,

ପ୍ରକୃତ ତଥ୍ୟକୁ ଆଣୁଥିଲେ ଟାଣି

ନଥି ଦେଖି ତନ୍ନ ତନ୍ନ ।

ସକଳ ବିଷୟେ ନିୟମକୁ ଲକ୍ଷି

ଚଳୁଥିଲେ ନୃପ ନବ,

ଶତ୍ରୁ ଉତ୍ପାଟନେ ନିରତ ଆନନ୍ଦ

କରୁଥିଲେ ଅନୁଭବ ।

ମଣିଷକୁ ମତ୍ତ କରନ୍ତି ସନ୍ତତ

ସୁରୂପ ଯୌବନ ଧନ,

ତିନିହେଁ ଥିଲେ ହେଁ ଏକତ୍ର ଆୟତ୍ତେ

ରଖୁଥିଲେ ଭୂପ ମନ ।

ଷଡ୍‌ରିପୁମାନଙ୍କୁ ପରାଭବ ଦେଇ

କଲେ ଆପଣାର ବଶ,

ନୀତି ନିୟମକୁ ନଲଙ୍ଘିବା ଲାଗି

ଅଟଳ ଥିଲା ମାନସ ।

ରିପୁଙ୍କ ଅଜ୍ଞାତେ ରଖି ଗୁପ୍ତଚର

ଅଣାଉଥିଲେ ସନ୍ଦେଶ,

ସୁନୀତି ସହିତ ମିଶାଇ ଶୌର୍ଯ୍ୟକୁ

ଗଢ଼ିଲେ ଅଯୋଧ୍ୟାଦେଶ ।

କୌଶଳେ ମନ୍ତ୍ରଣା କରି ମନ୍ତ୍ରୀସହ

କରୁଥିଲେ କାର୍ଯ୍ୟମାନ,

ଶୟନେ ସ୍ୱପନେ ପ୍ରଜାଙ୍କ କଲ୍ୟାଣ

ଥିଲା ଏକମାତ୍ର ଧ୍ୟାନ ।

ଦୁର୍ଭାଗ୍ୟ ବଶରୁ ଜନ୍ମିଲେ ବିରାଗ

କେବେ ପ୍ରଜାଙ୍କ ମନରେ,

ସତତ ଚେଷ୍ଟିତ ହେଉଥିଲେ ନୃପ

ଆଣିବାକୁ ଶାନ୍ତି ଖରେ ।

ଧର୍ମ ଅର୍ଥକାମ ତିନିଙ୍କୁ ସମାନ

ଭାବେ ରଖୁଥିଲେ ପାଶେ,

ବଳହୀନ ହେଲେ ବିପକ୍ଷ ତାହାକୁ

ରଖୁଥିଲେ ନିଜ ବଶେ ।

ନଜାଣେ କେ ଏହା ଜଗତେ ହୁଅନ୍ତି

ସକଳେ ଧନର ବଶ,

କିନ୍ତୁ ନରପତି ନୋହି ଲୋଭଯୁକ୍ତ

ବଢ଼ାଉ ଥିଲେ ସ୍ୱଯଶ ।

ବିଜୟ ଆଶାରେ ଧରମ ରାହାକୁ

ଲଙ୍ଘୁ ନଥିଲେ ସେ କଦା,

ତେଣୁ ନୃପଙ୍କର ରହୁଥିଲେ ପାଶେ

ରଣେ ଜୟଲକ୍ଷ୍ମୀ ସଦା ।

ଏ ରୂପେ ନୃପତି ହୋଇଲେ ଉଦଯୋଗୀ

ନୀତି ଶାସ୍ତ୍ର ଅନୁସରି,

ଶୌର୍ଯ୍ୟେ ଅବା ଯଶେ ବସୁନ୍ଧରା ତଳେ

ନଥିଲା କେ ତାଙ୍କ ସରି ।

ତାଙ୍କ ରାଜତ୍ୱରେ ମେଘ ଯଥାକାଳେ

ବର୍ଷୁଥିଲା ଘନରସ,

ତେଣୁ ଅହରହ କୃଷକ ମୁହଁରେ

ଫୁଟି ଉଠୁଥିଲା ହସ ।

★★★

 

ଅଷ୍ଟାଦଶ ସର୍ଗ

 

ଅତିଥିଙ୍କ ରାଣୀ ନିଷଧ ପତିର

କନ୍ୟା ଗର୍ଭୁଁ ହେଲେ ଜାତ,

ସୁପୁତ୍ର ଗୋଟିଏ ନିଷଧ ଆନନ୍ଦେ

ଯାନାମ ରଖିଲେ ତାତ ।

ଯୌବନେ ପ୍ରବିଷ୍ଟ ହୁଅନ୍ତେ ତନୟ

ରାଜପଦରେ ବସାଇ,

ତପସ୍ୟା ଆଚରି ଗଲେ ସ୍ୱର୍ଲୋକକୁ

ପ୍ରଜାମାନଙ୍କୁ କନ୍ଦାଇ ।

ଅଦ୍ୱିତୀୟ ବୀର କୁଶ ନରେଶଙ୍କ

ନାତି ନିଷଧ ରାଜନ,

ନିଜ ବାହୁବଳେ ପିତା ଅନ୍ତେ ଯତ୍ନେ

ପାଳିଥିଲେ ଏ ଭୁବନ ।

ଏହାଙ୍କର ସୁତା ମହାବଳବନ୍ତ

ନଳ ସିଂହାସନେ ବସି,

ବିକ୍ରମ ଦେଖାଇ ଅଚିରେ ସଦମ୍ଭେ

ଦେଲେ ରିପୁଙ୍କୁ ଧରଷି ।

ତାହାଙ୍କ ଉତ୍ତାରେ ନଭଶଦ୍ଦ ହେଲେ

ଅଯୋଧ୍ୟାର ଦଣ୍ଡଧର,

ନଭୋମାସ ପରି ହେଲେ ସେ ଆନନ୍ଦ

ବର୍ଦ୍ଧକ ପରଜାଙ୍କର ।

ଲଭନ୍ତେ ନିର୍ବାଣ ନଭ, ପୁଣ୍ଡରିକ

ବସିଥିଲେ ସିଂହାସନେ,

ସୁହାସିନୀ ଲକ୍ଷ୍ମୀ ଆସି ଅହରହ

ରହିଲେ ତାଙ୍କ ସଦନେ ।

ପୁତ୍ର କ୍ଷମଧନ୍ୱା ହସ୍ତେ ସମର୍ପିଣ

ଶାସନ ଭାର ରାଜ୍ୟର,

ଗଲେ ବନେ ବହି କ୍ଷମାଶୀଳ ନାମ

ପୁଣ୍ଡରିକ ନରବର ।

ତାହାଙ୍କ ଔରସେ ଜନ୍ମି ଦେବାନିକ

ହେଲେ ଅଦ୍ୱିତୀୟ ବୀର,

ପିତା କ୍ଷମଧନ୍ୱା ହେଉଥିଲେ ଖୁସି

ଦେଖି ତାଙ୍କୁ ଧୀରସ୍ଥିର ।

ଗମନ୍ତେ ଅମର- ପୁରେ କ୍ଷମଧନ୍ୱା

ଦେବାନିକ ନରପତି,

ପଦେ ଅଧିଷ୍ଟିତ ହୋଇ ଅଯୋଧ୍ୟାର

ଲଭିଲେ ଅନ୍ତିମ ଗତି ।

ତାହାଙ୍କ ତନୟ ସ୍ୱକୁଳ ପ୍ରଦୀପ

ଅହୀନଗୁ ଗୁଣମଣି,

ମଧୁର ବଚନେ ତୋଷିଲେ ଅଚିରେ

ସାକେତପୁର ଧରଣୀ ।

ଆତ୍ମୀୟମାନଙ୍କ ପରି ଶତ୍ରୁଙ୍କର

ହୋଇ ସେ ପ୍ରିୟ ଭାଜନ,

ତାଙ୍କ ଅମାୟିକ ବ୍ୟବହାର ଯାଗେ

କରିଲେ ରାଜ୍ୟ ପାଳନ ।

ଗମନ୍ତେ ସ୍ୱର୍ଗକୁ ଶାସି ବହୁକାଳ

ଅହୀନଗୁ ନୃପବର,

ତାହାଙ୍କ ତନୟ ପରିଯାତ୍ର ଏବେ

ହେଲେ ରାଜ୍ୟେ ଅଧୀଶ୍ୱର ।

କିନ୍ତୁ ଅଳ୍ପ କାଳେ ତନୟ ଶୀଳକୁ

ସମର୍ପି ରାଜ୍ୟ ଶାସନ,

ବନ୍ଦୀରୁ ମୁକୁଳି ବିଷୟ ସମ୍ଭୋଗ

ସୁଖେ ବଳାଇଲେ ମନ ।

ଗ୍ରାସି ଜରା କ୍ରମେ ଭୋଗୀ ନରେଶଙ୍କୁ

ମର୍ତ୍ତ୍ୟୁଁ କରନ୍ତେ ଅନ୍ତର,

ବଜ୍ରଧର ପରି ବଜ୍ରଣାଭ ହେଲେ

ଅଯୋଧ୍ୟାର ଦଣ୍ଡଧର ।

ସହସା ତାହାଙ୍କୁ ଗ୍ରାସିବାରୁ କାଳ

ଶଙ୍ଖଣଶୂରଙ୍କୁ ନେଇ,

ପିନ୍ଧାଇଲେ ରାଜ ମୁକୁଟ ପ୍ରଜାଏ

ଉପାୟନମାନ ଦେଇ ।

ଗମନ୍ତେ ସ୍ୱର୍ଗକୁ ଶଙ୍ଖଣ ନୃପତି

ପୈତୃକ ଆସନ ପରେ,

ତାଙ୍କ ପୁତ୍ର ବୀର ହରିଦଶ୍ୱ ରାଜା

ହେଲେ ସାକେତ ପୁରରେ ।

ସେ କ୍ଷିତୀଶ ତୋଷି ତପସ୍ୟାରେ ଶିବ

ଲଭିଲେ ସୁତ ରତନ,

ବିଶ୍ୱସହ ନାମ ବହି ଭୂମଣ୍ଡଳେ

ହେଲେ ପ୍ରତାପୀ ରାଜନ ।

ହିରଣ୍ୟାଭ ବୋଲି ତନୟ ଗୋଟିଏ

ଜନମି ତାଙ୍କ ଔରସେ,

ବୈଶ୍ୱାନର ସମ ହେଲେ ତେଜଶାଳୀ

ବିନାଶି ଶତ୍ରୁ ରଭସେ ।

ଅନ୍ତିମ ବୟସେ ବିଶ୍ୱସହ ଦେଇ

ଅଯୋଧ୍ୟାର ସିଂହାସନ,

ହିରଣ୍ୟ ପୁତ୍ରଙ୍କୁ ଗଲେ ବନେ ମୋଦେ

ପିନ୍ଧି ବଳ୍‌କଳ ବସନ ।

ଧର୍ମେ ପାଳି ଧରା ସେ ହିରଣ୍ୟ ନାଭ

ସୂର୍ଯ୍ୟବଂଶ ଅବତଂସ,

କୌଶଲ୍ୟଙ୍କୁ ରାଜ୍ୟ ଦେଇ ସୁରଧାମେ

ଗଲେ ଲଭି ମହାଯଶ ।

ବ୍ରହ୍ମନିଷ୍ଠ ସୁତ କୌଶଲ୍ୟ ବାର୍ଦ୍ଧକ୍ୟେ

ତେଜି ସୁଶାସିତା ଧରା,

ଅମର ପୁରକୁ ଆଶ୍ରିଲେ ବୁହାଇ

ପ୍ରଜାନେତ୍ରୁ ଅଶ୍ରୁଧାରା ।

ତାହାଙ୍କ କୁମର କମଳ ଲୋଚନ

ସାକ୍ଷାତ ବିଷ୍ଣୁଙ୍କ ପରି,

ଦିଶୁଥିଲେ ଚାରୁ ବିନୟ ଗୁଣରେ

ନଥିଲା କେ ତାଙ୍କ ସରି ।

ଦେବରାଜଙ୍କର ସଖା ହେବା ଆଶେ

ତେଜି ବିଷୟ ବାସନା,

ତୀର୍ଥ ପର୍ଯ୍ୟଟନ କରି କରି ଶେଷେ

ପୂରିଲା ତାଙ୍କ କାମନା ।

ପୁଷ୍ୟ ନାମଧାରୀ ତାହାଙ୍କ ଆତ୍ମଜ

ଅଯୋଧ୍ୟାର ସିଂହାସନ,

ପିତୃଅନ୍ତେ ଲଭି ଧର୍ମତ୍ୱ ଆଶ୍ରୟି

ଚଳାଇଲେ ସୁଶାସନ ।

ସଂସାର ବନ୍ଧନେ ବୀତସ୍ପୃହ ହୋଇ

ରାଜତ୍ୱକୁ ପରିହରି,

ଲଭିଲେ ମୁକତି ଋଷି ଧୁରନ୍ଧର

ଜୈମିନିଙ୍କି ଗୁରୁକରି ।

ତାହାଙ୍କ ଆତ୍ମଜ ବୀର ଧ୍ରୁବସନ୍ଧି

ତହୁଁ ହେଲେ ଅଧିପତି,,

ସତ୍ୟରେ ଅଟଳ ରହି ଅହରହ

ଲଭିଲେ ପରମ ଗତି ।

ସୁଦର୍ଶନ ବୋଲି ତନୟ ତାଙ୍କର

ଶିଶୁଥିଲେ ଏ ସମୟେ,

ମୋହନ ମୂରତି ଥିବାରୁ ଦିଶିଲେ

କୁମୁଦବନ୍ଧୁ ପରାଏ ।

ନୃପଙ୍କ ବିୟୋଗ ଦେଖି ମନ୍ତ୍ରୀମାନେ

ଶୋକ ନେତ୍ରୁ ପରିହରି,

ଅଭିଷେକୋତ୍ସବ ପାଳିଲେ ଶିଶୁଙ୍କ

ବିହିତ ବିଧାନ କରି ।

କିଶୋର ଚନ୍ଦ୍ରଙ୍କୁ ଧରି ନଭସ୍ଥଳ

ଶୋଭା ପାଉଥାଏ ଯଥା,

ରାଜଶିଶୁ ବସି- ବାରୁ ସିଂହାସନେ

ଶୋଭିଲା ଅଯୋଧ୍ୟା ତଥା ।

ସେ ରାଜମୁକୁଟ ବହିଥିବା ଯୋଗୁଁ

ହେଲେହେଁ ବୟସେ ସାନ,

ନଗର ବାସୀଏ ଭାବି ପ୍ରଭୁ ତାଙ୍କୁ

ଦେଖାଉଥିଲେ ସମ୍ମାନ ।

ସାମନ୍ତ ରାଜାଏ ସେ ପଦକୁ ଛୁଇଁ

ଜୁହାରୁଥିଲେ ଭକ୍ତିରେ,

ଜ୍ଞାନ ବୃଦ୍ଧ ଲୋକ ନିକଷା ରହିସେ

ଶିଖିଲେ ବିଦ୍ୟା ଅଚିରେ ।

କାଳକ୍ରମେ ତାଙ୍କ ଅଙ୍ଗଦେଶେ ଆସି

ପ୍ରବେଶନ୍ତେ ଯଉବନ,

ମନ୍ତ୍ରୀମାନେ ରାଜ- କନ୍ୟା ଦେଶାନ୍ତରୁ

ଆଣି କରିଲେ ମଣ୍ଡନ ।

★★★

 

ଉନବିଂଶ ସର୍ଗ

 

ଗୁଣୀ ଶିରୋମଣି ବାଣୀ ବରପୁତ୍ର

ନୃପବର ସୁଦର୍ଶନ,

ଗ୍ରାସିବାରୁ ଜରା ତେଜିବାକୁ ଧରା

ବଳାଇଲେ ଏବେ ମନ ।

ଅଗ୍ନିବର୍ଣ୍ଣ ପୁତ୍ରେ ଦେଇ ରାଜପଦ

ଯାଇ ନୈମିଶ କାନନ,

ଭୂମିପରେ ଶୋଇ ଅଟ୍ଟାଳିକା ଛାଡ଼ି

କଲେ ଉଟଜ ସଦନ ।

ଏଣେ ଅଗ୍ନିବର୍ଣ୍ଣ ଦେଇ ମନ୍ତ୍ରୀଗଣ

କରେ ରାଜ୍ୟର ଶାସନ,

ଏକାନ୍ତରେ ବଶ ହୋଇ କାନ୍ତା ସଙ୍ଗେ

ବ୍ୟସନେ ବଳିଲା ମନ ।

ନାରୀମଣ୍ଡଳୀରେ ବସି କେଳିପୁରେ

କଟାଇଲେ ଦିବାନିଶି,

ରାଜକାର୍ଯ୍ୟ ଲାଗି ରହୁ ନଥିଲେ ସେ

କେବେ ମନ୍ତ୍ରୀସହ ମିଶି ।

ପ୍ରଜାପୁଞ୍ଜ ଆସି ଯାଉଥିଲେ ଫେରି

ଛାମୁଙ୍କ ଦେଖା ନପାଇ,

ମାତି ବିଳାସରେ ହାସ୍ୟ ରହସ୍ୟରେ

ଦିଅନ୍ତି ଦିନ ପୁହାଇ ।

ପ୍ରମତ୍ତ ବାରଣ କରିଣୀ ସଙ୍ଗରେ

ପଶେ ପଦ୍ମାକରେ ଯଥା,

ପଶନ୍ତି ନୃପତି ରମଣୀଙ୍କ ସହ

କେଳି ସଦନରେ ତଥା ।

ବ୍ୟସନେ ଆସକ୍ତ ହେବାରୁ ସନ୍ତତ

ଜନ୍ମି କ୍ଷୟ କାସ ରୋଗ,

ଆକ୍ରମନ୍ତେ ଭୂପ ଦ୍ରୁତ ବେଗେ ଆସି

ଛାଡ଼ିଲେ ସକଳ ଭୋଗ ।

ନିର୍ବାଣ ଉନ୍ମୁଖ ହେଲେ ଦୀପ ପାତ୍ର

ଦିଶଇ ସେ କାଳେ ଯଥା,

କ୍ରମେ କଳେବର ହୋଇ ଅସମର୍ଥ

ଦିଶିଲେ ନୃପତି ତଥା ।

ଔଷଧକୁ ପରା- ଭବି ବୈଦ୍ୟଙ୍କର

ରୋଗ ହେଲା ଅସମ୍ଭାଳ,

ପ୍ରଦୀପ ପତନେ ହୁଏ ଯେହ୍ନେ ନାଶ

ପଡ଼ିଲେ ତେହ୍ନେ ଭୂପାଳ ।

ନ ଥିବାରୁ ପୁତ୍ର ମନ୍ତ୍ରୀମାନେ ମିଳି

ଶବଦାହ ଗୋପନରେ,

କରି ତାହାଙ୍କର କଲେ ସମାପନ

ଦଶାହ କରମ ଖରେ ।

ପାଟ ମହିଷୀଙ୍କ ଗର୍ଭଚିହ୍ନ ଲକ୍ଷି

ତାଙ୍କୁ ବସାଇ ଗାଦିରେ,

ପରଜା ନିବହ ହେଲେ ପୁଲକିତ

ଦୁଃଖ ପରିହରି ଧୀରେ ।

Image

 

ପଦ

ଅଶୁଦ୍ଧ

ଶୁଦ୍ଧ

୧ମ ପଦ

ଲୀପ

ଦିଲୀପ

୪ର୍ଥ ପଦ

ମ୍ବୁତ୍ର

ପୁତ୍ର

୫ମ ପଦ

ଉଢଉକନ

ଉପଢ଼ଉକନ

ଶେଷ ପଦ

ଦ୍ଦଦର୍ଭ

ବିଦର୍ଭ

୨ୟ ପଦ

କିଳିଙ୍କ

କଳିଙ୍ଗ

୧ମ ପଦ

ସୁନାନ୍ଦା

ସୁନନ୍ଦା

୨ୟ ପଦ

ଯେଣୁଏ

ଯେଶୁଏ

୪ର୍ଥ ପଦ

ଲାବାଣ୍ୟ

ଲାବଣ୍ୟ

ଶେଷ ପଦ

ପାଢ଼ୀ

ଶାଢ଼ି

୪ର୍ଥପଦ

ମଧ୍ୟ

ମଧ୍ୟେ

୫ମ ପଦ

ପ୍ତ

ବ୍ୟାପ୍ତ

ଶେଷ ପଦ

ସାଷଣ

ସମ୍ଭାଷଣ

ଶେଷ ପଦ

ବଧ

ବଧୂ

ଶେଷ ପଦ

ବଟରେ

ବାଟରେ

୩ୟ ପଦ

ରାତିଡ଼ି

ରାତିଟି

ଶେଷପଦ

ସୋଭା

ଶୋଭା

ଶେଷ ପଦ

ହଲ୍ମୀକି

ବାଲ୍ମୀକି

୧ମ ପଦ

ସମରଣ

ସମୀରଣ

ଶେଷପଦ

ମାଖେ

କାଖେ

୩ୟ ପଦ

ନିକଟୁ

ନିକଟୁ

୩ୟ ପଦ

ଚ୍ଛେଦିଲେ

ଛେଦିଲେ

୨ୟ ପଦ

ପ୍ରଜାନିବିର

ପ୍ରଜାନିକର

୩ୟ ପଦ

ଭସନ

ବସନ

୨ୟ ପଦ

କୁଶ

ଯଶ